ନୂଆଦିଲ୍ଲୀ,୨।୧୦: ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଏକାଠି ହୋଇଛି ୟୁରୋପୀୟ ସଂଘର ନେତା। ରୁଷକୁ ମୁକାବିଲା କରିବା ନେଇ ତିଆରି କରିଛନ୍ତି ରଣନୀତି। ତେବେ ସେପଟେ ୟୁରୋପୀୟ ଦେଶର ନେତାଙ୍କ ପ୍ଲାନକୁ ବିଫଳ କରିବାକୁ ରୁଷ ମଧ୍ୟ ବଡ଼ ଧରଣର ପ୍ରସ୍ତୁତିରେ ରହିଛି। ୟୁରୋପୀୟ ସଂଘକୁ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ଦେଇଛନ୍ତି କଡ଼ା ଚେତାବନୀ। ସେ କହିଛନ୍ତି  ଯଦି ୟୁରୋପୀୟ କର୍ତ୍ତୃପକ୍ଷ ବିଦେଶରେ ରୁଷର ସମ୍ପତ୍ତି ଜବତ କରିବାକୁ ପଦକ୍ଷେପ ନିଅନ୍ତି, ତେବେ ପ୍ରତିଶୋଧ ସ୍ୱରୂପ ଆମେ ବିଦେଶୀ ମାଲିକାନା ସମ୍ପତ୍ତିକୁ ଜାତୀୟକରଣ କରିବା ସହ ତାକୁ ତୁରନ୍ତ ବିକ୍ରି କରିବୁ।

ବୁଧବାର  ଡେନମାର୍କରେ ଏକ ଅନୌପଚାରିକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା। ସେଥିରେ ରୁଷ କେନ୍ଦ୍ରୀୟ ବ୍ୟାଙ୍କର ପ୍ରାୟ ୩୦୦ ବିଲିୟନ ଡଲାର ଫ୍ରିଜ୍‌ ହୋଇଥିବା ସମ୍ପତ୍ତିକୁ ୟୁକ୍ରେନ୍‌କୁ ସହାୟତା ଦେବା ନେଇ ଚର୍ଚ୍ଚା କରିଥିଲେ। ଏଥିରୁ ପ୍ରାୟ ୨୧୦ ବିଲିୟନ ୟୁରୋ କେବଳ ୟୁରୋପୀୟ ଦେଶରେ ଜମା ରହିଛି। ବ୍ରସେଲ ସ୍ଥିତ ସିକ୍ୟୁରିଟିଜ୍ ଡିପୋଜିଟ୍‌ରୀ ୟୁରୋକ୍ଲିୟରରେ ୧୮୫ ବିଲିୟନ ୟୁରୋ ରହିଛି। ଏହି ପ୍ରସ୍ତାବ ଡେନମାର୍କରେ ବସିଥିବା ବୈଠକ ବେଳେ ଚର୍ଚ୍ଚା କରାଯାଇଥିଲା। ଯାହାକୁ ଫିନଲାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ହର ଷ୍ଟବ୍ ଅଦ୍ଭୁତପୂର୍ବ ବୋଲି ଘୋଷଣା କରିଥିଲା। ସେଭଳି ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ଭାନ୍ ଡେର ଲେୟନ୍‌ ବି ସ୍ବାଗତ କରିଥିଲେ। ସେ କହିଥିଲେ ଏହି ଯୋଜନା ଦ୍ବାରା ୟୁକ୍ରେନକୁ ତୁରନ୍ତ ସହାୟତା ମିଳିବ। ଏବେ ୟୁରୋପୀୟ ସଂଘର ଏହି ଯୋଜନାକୁ ଚେତାବନୀ ଦେଇଛି ରୁଷ। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି  ଯଦି ୟୁରୋପୀୟ କର୍ତ୍ତୃପକ୍ଷ ବିଦେଶରେ ରୁଷୀୟ ସମ୍ପତ୍ତି ଜବତ କରନ୍ତି, ତେବେ ଆମେ ମଧ୍ୟ ଚୁପ୍ ବସିବୁନି। ଆମେ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମେ ବିଦେଶୀ ମାଲିକାନା ସମ୍ପତ୍ତିକୁ ଜାତୀୟକରଣ କରିବା ସହ ତାକୁ ତୁରନ୍ତ ବିକ୍ରି କରିବୁ। ମଙ୍ଗଳବାର ଏଭଳି ନିର୍ଦ୍ଦେଶ ଉପରେ ସ୍ୱାକ୍ଷର କରିଛନ୍ତି ପୁଟିନ୍। ଯାହା ରାଷ୍ଟ୍ରାୟତ୍ତ ସମ୍ପତ୍ତି ବିକ୍ରୟ ପାଇଁ ଏକ ଦ୍ରୁତ ପ୍ରକ୍ରିୟା । ଏହି ଆଦେଶର ଲକ୍ଷ୍ୟ ହେଉଛି ରୁଷ ଏବଂ ବିଦେଶୀ କମ୍ପାନୀ ଉଭୟର ବିକ୍ରୟକୁ ତ୍ୱରାନ୍ୱିତ କରିବା।

ଡେନମାର୍କରେ ଆୟୋଜିତ ବୈଠକରେ ରୁଷ ବିରୋଧରେ ସୁରକ୍ଷା ବଢାଇବା ପାଇଁ  ଆଲୋଚନା ହୋଇଛି। ଏଥିରେ ‘ଡ୍ରୋନ୍ ଓ୍ବାଲ’ ଉପରେ ଚର୍ଚ୍ଚା କରିଥିଲେ ୟୁରୋପୀୟ ଦେଶ।  ‘ଡ୍ରୋନ୍ ଓ୍ବାଲ’ ଏକ ଆଣ୍ଟି ଡ୍ରୋନ୍ ସିଷ୍ଟମ, ଯାହାକି ଡ୍ରୋନ୍‌କୁ ଖୁବ୍ ଶୀଘ୍ର ଚିହ୍ନଟ କରିବା ସହ ତାକୁ ନଷ୍ଟ କରିବାର କାମ କରିଥାଏ। ଏହି ପଦକ୍ଷେପ ସହିତ, ୟୁରୋପୀୟ ସଂଘ ଏହାର ସୀମା ଏବଂ ଆକାଶପଥର ସୁରକ୍ଷାକୁ ସୁଦୃଢ଼ ​​କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ୟୁକ୍ରେନକୁ ୪ ବିଲିୟନ ୟୁରୋର ଋଣ ପ୍ରଦାନ କରାଯାଇଛି, ଯାହା ଏହାର ପ୍ରତିରକ୍ଷା ଏବଂ ପୁନଃନିର୍ମାଣରେ ସାହାଯ୍ୟ କରିବ। ରୁଷ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିଛି। କହିଛି ହା ତା’ର  ସମ୍ପତ୍ତିର ଏକ ବେଆଇନ ଜବତ, ଯାହା ପାଇଁ ରୁଷ ନିଶ୍ଚିତ ଭାବରେ ଜବାବ ଦେବ।