ମସ୍କୋ, ୨୦/୧୧: ଭାରତକୁ ଶକ୍ତିଶାଳୀ ଏସ୍ୟୁ -୫୭ ଷ୍ଟିଲ୍ଦ ଯୁଦ୍ଧ ବିମାନ ଦେବା ପାଇଁ ରୁଷ ରାଜି ହୋଇଛି । ଏମିତି କି ଏହି ଯୁଦ୍ଧ ବିମାନର ଟେକ୍ନୋଲୋଜି ମଧ୍ୟ ବିନା ସର୍ତ୍ତରେ ଦେବା ଲାଗି ମସ୍କୋ ପକ୍ଷରୁ କୁହାଯାଇଛି । ଦୁବାଇ ଏୟାର ସୋ’ରେ ରୁଷୀ କମ୍ପାନି ରଷ୍ଟେକ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ଗେଇ କେମେଜୋଭ ଏହି ସୂଚନା ଦେଇଛନ୍ତି ।
ଆମେରିକାର ଏଫ୍-୩୫ ଯୁଦ୍ଧ ବିମାନ ଭଳି ଏସ୍ୟୁ -୫୭ ମଧ୍ୟ ବେଶ୍ ଶକ୍ତିଶାଳୀ । ଉଭୟ ପଞ୍ଚମ ପିଢ଼ିର ବିମାନ । ଆମେରିକା ଭାରତକୁ ଏଫ୍-୩୫ ବିମାନ ବିକ୍ରି କରିବା ଲାଗି ଅନେକ ଦିନ ହେଲା ଚାହୁଁଛି । ଏଭଳି ସ୍ଥିତିରେ ରୁଷ ଏସ୍ୟୁ-୫୭ ବିମାନ ଦେବାକୁ ରାଜି ହୋଇଥିବାରୁ ଆମେରିକାକୁ ଶକ୍ତ ଧକ୍କା ଲାଗିଛି । ସଦ୍ୟ ଘଟଣାକ୍ରମେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଭେଟିଥିଲେ । ଏହାପରେ ପୁଟିନ୍ ଆସନ୍ତା ମାସରେ ଭାରତ ଆସିବା ପାଇଁ କହିଥିଲେ । ଜୟଶଙ୍କରଙ୍କ ଏହି ଗସ୍ତ ପରେ ରୁଷୀ କମ୍ପାନି ତରଫରୁ ବୟାନ ଆସିଛି ।
କମ୍ପାନିର ସିଇଓ ସର୍ଗେଇ କେମେଜୋଭ କହିଛନ୍ତି, ଭାରତ ଓ ରୁଷ୍ ଅନେକ ଦଶନ୍ଧି ହେଲା ପରସ୍ପରର ଭରସାଯୋଗ୍ୟ ପ୍ରତିରକ୍ଷା ଭାଗୀଦାରି ରହିଆସିଛନ୍ତି । ଭାରତ ଉପରେ ଯେତେବେଳେ ଅନ୍ତର୍ଜାତୀୟ କଟକଣା ଲଗାଯାଇଥିଲା, ସେତେବେଳେ ବି ରୁଷ୍ ଭାରତର ସୁରକ୍ଷା ସକାଶେ ଅସ୍ତ୍ରଶସ୍ତ୍ର ଯୋଗାଣ ଜାରି ରଖିଥିଲା । ବୁଧବାର ମଧ୍ୟ ରୁଷ୍ର ସମାନ ନୀତି ରହିଛି । ଭବିଷ୍ୟତର ସହଯୋଗକୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ରୁଷ୍ କହିଛି ଯେ ଏସ୍ୟୁ -୫୭ର ଟେକ୍ନୋଲୋଜି ଉପରେ କୌଣସି ରୋକ ଲଗାଯିବ ନାହିଁ । ଏଥିରେ ଇଞ୍ଜିନ, ରାଡାର, ଷ୍ଟେଲ୍ଦ ଟେକ୍ନୋଲୋଜି ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ବାବଦରେ ତଥ୍ୟ ପ୍ରଦାନ କରାଯାଇ ପାରିବ । ଭାରତ ସରକାର ଚାହିଁଲେ ତାଙ୍କ ଦେଶରେ ଏସ୍ୟୁ-୫୭ ବିମାନ ଉତ୍ପାଦନ କରାଯାଇ ପାରିବ । ରୁଷ୍ ଭାରତକୁ ୨ ସିଟ୍ଭିତ୍ତିକ ଏସ୍ୟୁ -୫୭ ନିର୍ମାଣର ଯୁଗ୍ମ ଯୋଜନା ନେଇ ମଧ୍ୟ ପ୍ରସ୍ତାବ ଦେଇଛି ।
ଉଲ୍ଲେଖଥାଉ କି ଅନେକ ଦଶନ୍ଧି ଧରି ରୁଷ୍ ଭାରତର ପ୍ରମୁଖ ସାମରିକ ଯୋଗାଣକାରୀ ରହିଆସିଛି । ରୁଷ୍ ଭାରତକୁ ଯୁଦ୍ଧ ବିମାନ,ବୁଡ଼ା ଜାହାଜଠାରୁ ଆରମ୍ଭକରି ମିସାଇଲ ବ୍ୟବସ୍ଥା ଓ ହେଲିକପ୍ଟର ଆଦି ଯୋଗାଇ ଆସୁଛି ।