ନୂଆଦିଲ୍ଲୀ, ୪।୪: ବିଶ୍ୱ ବଜାରରେ ଅସ୍ଥିରତା ଏବଂ ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତର ହାତ ଧରିଛି ପୁରୁଣା ବନ୍ଧୁ ରୁଷ । ଭାରତକୁ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ (LNG) ର ଯୋଗାଣ ବଢ଼ାଇବା ପାଇଁ ରୁଷ ଏକ ଖୋଲା ପ୍ରସ୍ତାବ ଦେଇଛି । ରୁଷର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମାନ୍ତୁରୋଭ୍ ନିକଟରେ ଭାରତ ଗସ୍ତ କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏବଂ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ।

କାହିଁକି ଗୁରୁତ୍ୱପୂର୍ଣ୍ଣ ଏହି ପ୍ରସ୍ତାବ ?  

ଇରାନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ବଜାରରେ ଏବେ ହାହାକାର ପରିସ୍ଥିତି। ବିଶେଷ କରି ଷ୍ଟେଟ୍ ଅଫ୍ ହୋର୍ମୁଜ ଦେଇ ଯାଉଥିବା ୨୦ ପ୍ରତିଶତ ତେଲ ପରିବହନ ବାଧାପ୍ରାପ୍ତ ହେବାର ଆଶଙ୍କା ଦେଖାଦେଇଛି। ଏହି ସମୟରେ ରୁଷ କହିଛି ଯେ, ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବା ପାଇଁ ସେ ସମ୍ପୂର୍ଣ୍ଣ ସକ୍ଷମ । ରୁଷର ଉପ-ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଭେଟିଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​ଭାରତରେ ପାକିସ୍ତାନୀ ସ୍ପାଏ: ଇଦ୍ ପାଇଁ ଘରକୁ ଆସିଥିଲା ମାଷ୍ଟରମାଇଣ୍ଡ 'ଡେଭିଲ୍', ଧରିଲା ପୁଲିସ

ଏହି ଆଲୋଚନାରେ କିଛି ମୁଖ୍ୟ ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି:

ଉର୍ବରକ ଯୋଗାଣ: ୨୦୨୫ ଶେଷ ସୁଦ୍ଧା ଭାରତକୁ ଉର୍ବରକ ଯୋଗାଣ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି କରିବାକୁ ରୁଷ ଲକ୍ଷ୍ୟ ରଖିଛି ।

ବାଣିଜ୍ୟିକ ଲକ୍ଷ୍ୟ: ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି ।

ପରମାଣୁ ଶକ୍ତି: ବେସାମରିକ ପରମାଣୁ ଶକ୍ତି କ୍ଷେତ୍ରରେ ନୂତନ ପ୍ରକଳ୍ପ ଏବଂ ବୈଷୟିକ ସହଯୋଗ ପାଇଁ ରୁଷ ଆଗ୍ରହ ପ୍ରକାଶ କରିଛି ।

ଭାରତ-ରୁଷ ଆନ୍ତଃ-ସରକାରୀ ଆୟୋଗ ବୈଠକରେ ବାଣିଜ୍ୟ, ଶିଳ୍ପ, ପ୍ରଯୁକ୍ତିବିଦ୍ୟା ଏବଂ ପରିବହନ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ସହମତି ହୋଇଛି । ଗତବର୍ଷ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ସମୀକ୍ଷା ମଧ୍ୟ କରାଯାଇଛି । ବିଶ୍ୱ ସ୍ତରରେ ଶକ୍ତି ସଙ୍କଟ ଦେଖାଦେଇଥିବା ବେଳେ ରୁଷର ଏହି ପ୍ରସ୍ତାବ ଭାରତ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହାଦ୍ୱାରା ଭାରତର ଶକ୍ତି ସୁରକ୍ଷା ସୁନିଶ୍ଚିତ ହେବା ସହ ଆର୍ଥିକ ଅଭିବୃଦ୍ଧିରେ ମଧ୍ୟ ସହାୟତା ମିଳିବ ।