ଲକ୍ଷ୍ନୌ, ୪।୪: ଉତ୍ତର ପ୍ରଦେଶରୁ ଆସିଛି ଏକ ଚଞ୍ଚଲ୍ୟକର ଖବର । ଆତଙ୍କବାଦୀ କାର୍ଯ୍ୟକଳାପ ମାମଲାରେ ୟୁପି ଏଟିଏସ୍ ଦ୍ୱାରା ଗିରଫ ହୋଇଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ମିରଟ୍‌ର ସାକିବ ଓରଫ୍ ‘ଡେଭିଲ୍’ ଏହି ପୂରା ମଡ୍ୟୁଲ୍‌ର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସାକିବ ନିଜ ସହଯୋଗୀ ଅରବାବ୍ ସହିତ ଇଦ୍ ଅବସରରେ ମିରଟ୍ ଆସି ୩ ଦିନ କାଳ ଗୁପ୍ତରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକର ରେକି କରୁଥିଲା, କିନ୍ତୁ ସ୍ଥାନୀୟ ଗୋଇନ୍ଦା ସଂସ୍ଥା ଏହାର ସାମାନ୍ୟ ସୁରାକ୍ ସୁଦ୍ଧା ପାଇପାରିନଥିଲା ।

ଇଦ୍ ବାହାନାରେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କୁ ପଠାଉଥିଲା ତଥ୍ୟ:

ତଦନ୍ତରୁ ଜଣାପଡ଼ିଛି ଯେ, ପରୀକ୍ଷିତଗଡ଼ ଅଞ୍ଚଳର ଅଗୱାନପୁର ଗ୍ରାମର ନିବାସୀ ସାକିବ ଏବଂ ଅରବାବ୍ ଇଦ୍ ପାଇଁ ନିଜ ଘରକୁ ଆସିଥିଲେ । ଏହି ତିନି ଦିନ ମଧ୍ୟରେ ସେମାନେ ମିରଟ୍ ଏବଂ ଆଖପାଖ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ, ମଲ୍‌, ରେଳ ଷ୍ଟେସନ ଏବଂ ଜନଗହଳି ପୂର୍ଣ୍ଣ ସ୍ଥାନଗୁଡ଼ିକର ଭିଡିଓ ଏବଂ ଫଟୋ ଉତ୍ତୋଳନ କରିଥିଲେ । ଏହି ସମସ୍ତ ଗୁପ୍ତ ସୂଚନା ସେମାନେ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ପାଖକୁ ପଠାଉଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​​​​​​​​ରୋଷେଇ ଶାଳରୁ ସଡ଼କ ପର୍ଯ୍ୟନ୍ତ ମହଙ୍ଗା ମାଡ଼, ଟୋରେଣ୍ଟ ଗ୍ୟାସ୍‌ ଢାଳିଲା ନିଆଁ !  

ନଜରରେ ଥିଲା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଓ ନେତା:

ୟୁପି ଏଟିଏସ୍ ଶୁକ୍ରବାର ଦିନ ଲକ୍ଷ୍ନୌରୁ ସାକିବ ଓ ଅରବାବ୍ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ପାଖରୁ ମିଳିଥିବା ଡିଜିଟାଲ୍ ପ୍ରମାଣରୁ ଜଣାପଡ଼ିଛି ଯେ, ସେମାନେ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଯୋଗାଯୋଗ କରୁଥିଲେ । ରାଜନେତା, ସରକାରୀ ସଂସ୍ଥା ଏବଂ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ସେମାନଙ୍କ ଟାର୍ଗେଟ୍‌ରେ ଥିଲା । ବର୍ତ୍ତମାନ ଏଜେନ୍ସିଗୁଡ଼ିକ ସେମାନଙ୍କର କଲ୍ ଡିଟେଲ୍ ରେକର୍ଡ (CDR) ଏବଂ ମୋବାଇଲ୍ ଡାଟା ଯାଞ୍ଚ କରୁଛନ୍ତି । ଏସଏସପି ଅଭିନାଶ ପାଣ୍ଡେଙ୍କ ସୂଚନା ଅନୁସାରେ, ସାକିବ ପୂର୍ବରୁ ମଧ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲା । ୨୦୧୯ ମସିହାରେ ସାକିବ ବିରୋଧରେ ଦୁଷ୍କର୍ମ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ଜେଲ୍‌ରୁ ଜାମିନରେ ଆସିବା ପରେ ସେ ହାଇଦ୍ରାବାଦ ପଳାଇଥିଲା ଏବଂ ସେଠାରେ ଏକ ସେଲୁନ୍‌ରେ କାମ କରୁଥିଲା । ଅନ୍ୟପଟେ ଅରବାବ୍ ଗୁରୁଗ୍ରାମରେ ୱେଲ୍ଡିଂ କାମ କରୁଥିଲା ।

ଜାରି ରହିଛି ଖୋଳତାଡ଼:

ଏବେ ଏଟିଏସ୍ ଏବଂ ସ୍ଥାନୀୟ ଗୋଇନ୍ଦା ୟୁନିଟ୍ ସାକିବର ପରିବାର, ବନ୍ଧୁ ଏବଂ ସହଯୋଗୀମାନଙ୍କୁ ପଚରାଉଚରା କରୁଛନ୍ତି । ମିରଟରେ ସେମାନେ କୌଣସି ନୂଆ ନେଟୱର୍କ ତିଆରି କରିଥିଲେ କି ନାହିଁ, ସେ ନେଇ ତଦନ୍ତ ଚାଲିଛି । ଏହା ସହିତ ଗ୍ରେଟର ନୋଏଡ଼ା, ଗାଜିଆବାଦ ଏବଂ ଅମ୍ବାଲାରୁ ଗିରଫ ହୋଇଥିବା ଅନ୍ୟ ସନ୍ଦିଗ୍ଧଙ୍କ ସହ ଏମାନଙ୍କର କ’ଣ ସମ୍ପର୍କ ରହିଛି, ତାହା ମଧ୍ୟ ଖୋଳତାଡ଼ କରାଯାଉଛି ।