ନୂଆଦିଲ୍ଲୀ,୨୫/୦୫; ୟୁକ୍ରେନ୍ ପକ୍ଷରୁ ହୋଇଥିବା ସଦ୍ୟ ହମଲାର ପ୍ରଚଣ୍ଡ ପ୍ରତିଶୋଧ ନେଇଛି ରୁଷ । ଶନିବାର ରାତିତମାମ ଏହା ୟୁକ୍ରେନ୍ ରାଜଧାନୀ କିଏଭ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟଙ୍କର ବୋମା ବର୍ଷା କରିଛି । ୭୦୦ରୁ ଅଧିକ ଡ୍ରୋନ୍ ଏବଂ ୫୦ରୁ ଉର୍ଦ୍ଧ୍ୱ ମିସାଇଲ୍ ମାଡ଼ରେ ଥରି ଉଠିଛି ସମଗ୍ର ଅଞ୍ଚଳ । ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୦ରୁ ଅଧିକ ଆହତ ହୋଇଛନ୍ତି ।
ଏହି ଆକ୍ରମଣ କରିଥିବା ନେଇ ରବିବାର ରୁଷ ସ୍ୱୀକାର କରିଛି । ଏମିତି କି ୟୁକ୍ରେନ୍ ଉପରେ ଓରେସ୍ନିକ୍ ହାଇପରସୋନିକ ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରିଥିବା ମାନିଛି । ୪ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧରେ ରୁଷ ଏହାକୁ ମିଶାଇ ୩ ଥର ଓରେସ୍ନିକ୍ ହାଇପରସୋନିକ ବାଲିଷ୍ଟିକ ମିସାଇଲ ମାଡ଼ କରିସାରିଲାଣି । ଆକ୍ରମଣ ପୂର୍ବରୁ ରୁଷ ସତର୍କ କରାଇଥିଲା । ଏହାପରେ ଦେଶବ୍ୟାପୀ ୟୁକ୍ରେନର ବାୟୁସେନା ଲୋକଙ୍କୁ ସତର୍କ କରାଇଥିଲା । ଏମିତିକି ରୁଷ୍ ତରଫରୁ ସମ୍ଭାବ୍ୟ ହାଇପରସୋନିକ ମିସାଇଲ ମାଡ଼ ହେବା ନେଇ କହିଥିଲା । ଲୋକମାନେ ସତର୍କ ହୋଇଯିବା ଯୋଗୁ ମୃତ୍ୟୁ ସଂଖ୍ୟା ଅଧିକ ହୋଇନାହିଁ । କେନ୍ଦ୍ରୀୟ କିଏଭ ଉପରେ କ୍ରୁଜ୍ ମିସାଇଲ ମାଡ଼ ହେବା ବେଳର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । କିଭଳି ଜୋରଦାର ବିସ୍ଫୋରଣ ହେବା ପରେ ନିଆଁ ଏବଂ ମୋଟା ଧୂଆଁ ବାହାରୁଛି, ସେଥିରେ ଦେଖିବାକୁ ମିଳିଛି । ସରକାରୀ କୋଠା ଏବଂ ଆବାସିକ ଅଞ୍ଚଳ ନିକଟରେ ଏହି ଆକ୍ରମଣ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷର ଏହା ଅନ୍ୟତମ ଭୟଙ୍କର ଡ୍ରୋନ ଓ ମିସାଇଲ ଆକ୍ରମଣ ବୋଲି କୁହାଯାଉଛି । ରୁଷର ସରକାରୀ ନ୍ୟୁଜ ଏଜେନ୍ସିଙ୍କ ରିପୋର୍ଟ ଅନୁସାରେ, ୟୁକ୍ରେନ ଉପରେ ଓରେସ୍ନିକ୍, ଇସ୍କନ୍ଦର, କିଞ୍ଝଲ ଓ ଜିର୍କନ୍ ମିସାଇଲ ଦ୍ୱାରା ହମଲା କରାଯାଇଛି । ୟୁକ୍ରେନର ସାମରିକ କମାଣ୍ଡ ବ୍ୟବସ୍ଥା, ବାୟୁସେନା ଘାଟି ଏବଂ କିଛି ଶିଳ୍ପ ଉଦ୍ୟୋଗକୁ ଏଥିରେ ଟାର୍ଗେଟ୍ କରାଯାଇଥିବା ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ବୟାନକୁ ଆଧାର କରି ଏକ ରିପୋର୍ଟ ଦର୍ଶାଇଛି । ସମସ୍ତ ଏୟାର ଷ୍ଟ୍ରାଇକ୍ ସଫଳ ହୋଇଥିବା ରବିବାର ମସ୍କୋ ପକ୍ଷରୁ ଦାବି କରାଯାଇଛି ।
ଏହା ବି ପଢନ୍ତୁ...ଚିର ବିଦାୟ ସହ ଏଆଇ ଫଟୋ ସେୟାର କଲେ ଟ୍ରମ୍ପ୍, ଯୁଦ୍ଧର ଅନ୍ତ ଘଟିବ ନା ଚାଲିବ ତାକୁ ନେଇ ଦ୍ୱନ୍ଦ
ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ରୁଷ ତରଫରୁ ଓରେସନିକ୍ ହାଇପରସୋନିକ ବାଲିଷ୍ଟିକ ମିସାଇଲ ମାଡ଼ କରାଯାଇଛି । ମିସାଇଲ୍ଟି ରାଜଧାନୀ କିଏଭର ବିଲା ସେର୍କଭା ସହର ଉପରେ ପଡ଼ିଥିଲା । ଦେଶର ବାୟୁସେନା କହିଛି, ରୁଷ୍ ଆକ୍ରମଣରେ ୬୦୦ଟି ଡ୍ରୋନ ଏବଂ ୯୦ଟି ଏୟାର, ସି ଏବଂ ଗ୍ରାଉଣ୍ଡ ଲଞ୍ଚ୍ଡ ମିସାଇଲ ମାଡ଼ କରାଯାଇଥିଲା । ତେବେ ସେଗୁଡ଼ିକ ମଧ୍ୟରୁ ପ୍ରାୟ ୫୪୯ ଡ୍ରୋନ ଏବଂ ୫୫ ମିସାଇଲକୁ ନଷ୍ଟ କିମ୍ବା ନିଷ୍କ୍ରିୟ କରାଯାଇଥିଲା । ୧୯ଟି ମିସାଇଲ୍ ନିଜ ଟାର୍ଗେଟ୍ରେ ପହଞ୍ଚିବାକୁ ବିଫଳ ହୋଇଥିଲା । ଏୟାର ଷ୍ଟ୍ରାଇକ୍ ପରେ କିଏଭର ସେଭଚେଙ୍କୋ ଜିଲ୍ଲାରେ ଏକ ପାଞ୍ଚ ମହଲା କୋଠାରେ ନିଆଁ ଲାଗିଯାଇଥିଲା । ଏଥିରେ ଜଣେ ପ୍ରାଣ ହରାଇଥିଲେ । ଏକ ସ୍କୁଲ କୋଠା ମଧ୍ୟ ଧ୍ୱଂସ ହୋଇଯାଇଥିବା କିଏଭ୍ ମେୟର ଭିଟାଲି କ୍ଲିସ୍କୋ କହିଛନ୍ତି । ଏହାପରେ ଲୋକମାନେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିଥିଲେ । ସ୍ୱିତାଲିନା ଓନୋଫ୍ରିଚୁକ୍ ନାମ୍ନୀ ମହିଳା କହିଛନ୍ତି, ଏବେ ମୋତେ କିଏଭକୁ ବିଦାୟ ଦେବାର ସମୟ ଆସିଯାଇଛି । ଏଠାରେ ଆଉ ରହିବା ସମ୍ଭବ ନୁହେଁ ।