ନୂଆଦିଲ୍ଲୀ,୮।୩: ଋଷ-ୟୁକ୍ରେନ୍ ଯୁଦ୍ଧକୁ ବିତିସାରିଛି ୩ ବର୍ଷ । ୟୁକ୍ରେନ୍ର ସାହାଯ୍ୟ କରୁଥିବା ଆମେରିକା ଏବେ ପଛକୁ ହଟିଛି। ଏହା ସହ ଯୁଦ୍ଧ ବଦଳରେ ଶାନ୍ତି ଫେରାଇ ଆଣିବାର କରୁଛି ଚେଷ୍ଟା। କିନ୍ତୁ ଏଭଳି ସମୟରେ ଋଷ ଓ ଆମେରିକା ଭିତରେ ଶାନ୍ତିକୁ ନେଇ ହୋଇପାରୁନି ସହମତି। ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ନିକଟରେ କିଛି ସର୍ତ୍ତ ରଖିଛି ଋଷ।
ଋଷ-ୟୁକ୍ରେନ୍ ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ଡୋନାଲ୍ଡୋ ଟ୍ରମ୍ପ। ଆମେରିକାର ରାଷ୍ଟ୍ରପତି ହେବା ପରଠାରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଣିବାକୁ ସେ ଜାରି ରଖିଛନ୍ତି ଉଦ୍ୟମ। ଏପରିକି ୟୁକ୍ରେନ୍କୁ ମଧ୍ୟ ଆମେରିକା ନିଜର ସାମରିକ ସାହାଯ୍ୟ ବନ୍ଦ କରିସାରିଛି। ଟ୍ରମ୍ପ ମଧ୍ୟ ଋଷ ଉପରେ ଶାନ୍ତି ପାଇଁ ଭରସା ପ୍ରକାଶ କରିଥିଲେ। ସେ କହିଥିଲେ ପୁଟିନ୍ ଯୁଦ୍ଧବିରତୀ ଚାହାନ୍ତି। ହେଲେ କ୍ରେମାଲିନ୍ ପକ୍ଷରୁ କୁହାଯାଇଛି ଋଷ ରାଷ୍ଟ୍ରପତି ପୁଟିନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରହିଛି। ଋଷର ଏଭଳି ସର୍ତ୍ତ ପରେ ଟ୍ରମ୍ପ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ଯୁଦ୍ଧ ନରୋକିବା ସ୍ଥିତିରେ ଋଷ ଉପରେ ସବୁ ପ୍ରକାର ଟାରିଫ ଲଗାଇବାର ଦେଇଛନ୍ତି ଧମକ । ଟ୍ରମ୍ପ କହିଛନ୍ତି ଆମେ ଶାନ୍ତି ଚାହୁଁ। କିନ୍ତୁ ସେପଟେ ଋଷ ଓ ୟୁକ୍ରେନ୍ ନିଜ ନିଜର ମିସାଇଲ ଏବଂ ଗୋଳାବାରୁଦ ଭରିଚାଲିଛନ୍ତି। ଏହା ଜବାବ ଦେବା ପଇଁ ଆମେ ଋଷ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇବାକୁ ଯାଉଛୁ। ୟୁକ୍ରେନ ଓ ଋଷ ଉଭୟଙ୍କ ପାଇଁ ଆମର ସମାନ ବାର୍ତ୍ତା। ଦୁଇ ଦେଶ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା କର। ଟ୍ରମ୍ପଙ୍କ ଏଭଳି ଚେତାବନୀ ପରେ ୟୁକ୍ରେନ୍ ଉପରେ ହମଲା ଜୋରଦାର କରିଛି ଋଷ। ଋଷ ପ୍ରତି ଆମେରିକାର ନରମ ମନୋଭାବ ପ୍ରଥମେ ୟୁକ୍ରେନ୍ ମନରେ ଭୟ ସୃଷ୍ଟି କରିଥିଲା। ହେଲେ ଏବେ ଋଷ ଉପରେ ଟ୍ରମ୍ପ ଟାରିଫ୍ ଲଗାଇବାର ଧମକ ପରେ କିଛି ମାତ୍ରରେ ଆଶ୍ବସ୍ଥ ହୋଇଛି।