ନୂଆଦିଲ୍ଲୀ,୧୯।୫: ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍ ୧୨ ଓ ୧୩ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଭାଗ ନେବେ। ସମାଚାର ଏଜେନ୍ସି ପିଟିଆଇ ଅନୁସାରେ, ତାଙ୍କର ଜଣେ ବରିଷ୍ଠ ସହଯୋଗୀ ଏହି କଥା କହିଛନ୍ତି। ଏହା ପୂର୍ବରୁ ପୁଟିନ୍ ଡିସେମ୍ବର ୨୦୨୫ ରେ ୨୩ ତମ ଭାରତ- ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିସାରିଛନ୍ତି।

ଏହି ସମୟରେ ପୁଟିନ୍ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ଦେଶ ଭିତରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ। ଉଲ୍ଲେଖନୀୟ ଯେ, ଭାରତ ଓ ରୁଷ ଭିତରେ ବାର୍ଷିକ ଶିଖର ସମ୍ମିଳନୀର ପରମ୍ପରା ରହିଛି, ଯେଉଁଥିରେ ଦୁଇ ଦେଶର ଶୀର୍ଷ ନେତା ଦ୍ବିପାକ୍ଷିକ ସମ୍ପର୍କ, ରଣନୈତିକ ବୁଝାମଣା, ବାଣିଜ୍ୟ ଶକ୍ତି ଓ ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଷ କରିଥାନ୍ତି।

ଏହି ସମ୍ମିଳନୀ ଦୁଇ ଦେଶରେ ଆୟୋଜିତ ହୋଇଥାଏ। ଥରେ ରୁଷରେ ହେଲେ ଆଉ ଥରେ ଭାରତରେ ହୋଇଥାଏ। ଏପର୍ଯ୍ୟନ୍ତ ଏଭଳି ୨୩ଟି ଶିଖର ସମ୍ମିଳନୀର ଆୟୋଜନ ହୋଇସାରିଛି, ଯାହାକି ଦୁଇ ଦେଶର ଗଭୀର ଓ ଦୀର୍ଘ ସମୟ ଧରି ଚାଲି ଆସିଥିବା ସମ୍ପର୍କକୁ ଦର୍ଶାଉଛି। ଏହା ଭିତରେ ପୁଟିନ୍ ମଙ୍ଗଳବାର ଚୀନ୍କୁ ଦୁଇ ଦିବସୀୟ ଯାତ୍ରାରେ ଯାଉଛନ୍ତି। ଏହି ଗସ୍ତ ନିକଟରେ ଟ୍ରମ୍ପଙ୍କ ଚୀନ୍ ଯାତ୍ରାର ତୁରନ୍ତ ପରେ ହେଉଛି, ଯାହାଫଳରେ ଏହାର କୁଟନୈତିକ ଗୁରୁତ୍ବ ମଧ୍ୟ ବଢି ଯାଇଛି।

ଆହୁରି ପଢନ୍ତୁ : ସାମ୍ବାଦିକତା ଆଳରେ ଭାରତ ବିରୋଧି ପ୍ରୋପଗଣ୍ଡା ! ଉତ୍ତର ରଖିଲା ବୈଦେଶିକ ମନ୍ତ୍ରଣାଳୟ : ଭିକ୍ଟିମ୍ କାର୍ଡ ଖେଳିଲେ ନରୱେ ସାମ୍ବାଦିକା