ନୂଆଦିଲ୍ଲୀ, ୧୪।୧: ଚଳିତ ବର୍ଷ ରୁଷିଆର ସବୁଠୁ ବଡ଼ ଆକ୍ରମଣ । ରାତାରାତି ୟୁକ୍ରେନ ସହର ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି । ଏହି ଆକ୍ରମଣରେ ପାଖାପାଖି ୪ ଜଣଙ୍କର ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ, ରୁଷ ୮ଟି ୟୁକ୍ରେନୀୟ ଅଞ୍ଚଳରେ ସାରା ରାତି ଆକ୍ରମଣ କରିଥିବା ବେଳେ ପ୍ରାୟ ୩୦୦ ଡ୍ରୋନ୍, ୧୮ ବାଲିଷ୍ଟିକ୍ ମିସାଇଲ୍ ଏବଂ ୭ଟି କ୍ରୁଜ୍ ମିସାଇଲ୍ ନିକ୍ଷେପ କରିଛି । ଅନ୍ୟପଟେ ୟୁକ୍ରେନୀୟ ବାୟୁ ପ୍ରତିରକ୍ଷା ୟୁନିଟ୍‌ ଗୁଡ଼ିକ ୨୪୭ଟି ଡ୍ରୋନ୍ ଏବଂ ୭ଟି କ୍ଷେପଣାସ୍ତ୍ରକୁ ଖସାଇ ଦେଇଛନ୍ତି ବୋଲି ବାୟୁସେନା କହିଛି । ଟେଲିଗ୍ରାମ୍‌ ଆପ୍‌ରେ ଏହା ମଧ୍ୟ କୁହାଯାଇଛି ଯେ, ରୁଷିଆ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ୨୪ଟି ସ୍ଥାନରେ କ୍ଷତି ପହଞ୍ଚାଇଛି । 

ଶକ୍ତି ମନ୍ତ୍ରଣାଳୟ କହିଛି ଯେ, ରାଜଧାନୀ କିଭ୍ ଏବଂ ଚେର୍ନିହିଭ, ଓଡେସା, ଖାରକିଭ୍, ଡ୍ନିପ୍ରୋପେଟ୍ରୋଭସ୍କ, ଜାପୋରିଝିଆ ଏବଂ ଡୋନେଟସ୍କ ଅଞ୍ଚଳରେ ଏୟାରଷ୍ଟ୍ରାଇକ ଯୋଗୁଁ ଜରୁରୀକାଳୀନ ବିଦ୍ୟୁତ୍ କାଟ୍ ହୋଇଥିଲା । ୟୁକ୍ରେନର ସର୍ବବୃହତ୍ ଘରୋଇ ଶକ୍ତି କମ୍ପାନୀ DTEK କହିଛି ଯେ, ଆକ୍ରମଣରେ ଏହାର ଏକ ଥର୍ମାଲ୍ ପ୍ଲାଣ୍ଟର ଉପକରଣଗୁଡ଼ିକୁ ପ୍ରବଳ କ୍ଷତି ହୋଇଛି । ଜେଲେନସ୍କି ଏକ ଭିଡିଓ ସମ୍ବୋଧନରେ କହିଛନ୍ତି ଯେ, "ଅସାଧାରଣ ଚ୍ୟାଲେଞ୍ଜ" ଏବଂ କିଭ୍‌ ରେ -୧୬ ସେଲସିୟସ (୩ ଫାରେନହାଇଟ୍) ତାପମାତ୍ରା ହ୍ରାସ ପାଇବା ଯୋଗୁଁ ଜରୁରୀକାଳୀନ କର୍ମଚାରୀମାନେ ଗରମ ଏବଂ ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ୨୪ ଘଣ୍ଟା ନିୟୋଜିତ ରହିଥିଲେ । "ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମର ଏତେ ଲୋକ ବୃତ୍ତିଗତ ଭାବରେ କାମ କରୁଛନ୍ତି, ଯୋଗାଣ ପୁନରୁଦ୍ଧାର କରୁଛନ୍ତି ଏବଂ ସାଧାରଣ ଜୀବନ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି" । କିଭ୍ ମେୟର୍ ଭିଟାଲି କ୍ଲିଚ୍କୋ ଟେଲିଗ୍ରାମ୍‌ରେ ପାଇପ୍‌ ମରାମତି କରୁଥିବା କାର୍ମିକମାନଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଅଧିକାଂଶ ଆପାର୍ଟମେଣ୍ଟ ଭବନରେ ଏବେ ତାପ ଯୋଗାଣ ପୁନଃଚାଲୁ ହୋଇଛି, କିନ୍ତୁ ପ୍ରାୟ ୫୦୦ଟି ବାସଗୃହରେ ପୁନଃସ୍ଥାପନ କରିବାକୁ ପଡ଼ିବ ।

ଥଣ୍ଡା ତାପମାତ୍ରାରେ ବିଦ୍ୟୁତ୍ କାଟ:

ଏପରି ସଂଘର୍ଷ ସମୟରେ ରୁଷ ନିରନ୍ତର ଭାବରେ ୟୁକ୍ରେନର ଶକ୍ତି ବ୍ୟବସ୍ଥାକୁ ଟାର୍ଗେଟ୍ କରିଆସିଛି । ଦାବି କରିଛି ଯେଷ ୟୁକ୍ରେନର ଯୁଦ୍ଧ ପ୍ରୟାସକୁ ବାଧା ଦେବା ପାଇଁ ନାଗରିକ ଭିତ୍ତିଭୂମି ଉପରେ ଆକ୍ରମଣ ଯଥାର୍ଥ । କିଭ୍ କହିଛି ଯେ, ମସ୍କୋର ଲକ୍ଷ୍ୟ ହେଉଛି ଜାତୀୟ ଇଚ୍ଛାକୁ ଭାଙ୍ଗିବା ପାଇଁ ଯନ୍ତ୍ରଣା ଦେବା । ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ, ରୁଷିଆ ଆକ୍ରମଣ ତୀବ୍ର ହୋଇଛି । ବର୍ଷ ବର୍ଷ ଧରି କ୍ରମାଗତ କ୍ଷତି ହେଉଛି ଏବଂ ୟୁକ୍ରେନର ଜଳବାୟୁ ପାଇଁ ମଧ୍ୟ ପାଗ ବିପଜ୍ଜନକ ରହିଛି । ଗତ ସପ୍ତାହରେ ହୋଇଥିବା ଶେଷ ବଡ଼ ରୁଷିଆ ଆକ୍ରମଣ ପରେ କିଭ୍‌ ବାସିନ୍ଦାମାନେ ବହୁ ଦିନ ଧରି ବିଦ୍ୟୁତ୍‌ ଓ ତାପ ଯୋଗାଣର ବାଧାକୁ ସହିଆସୁଛନ୍ତି ।   

​​​​​​​

ରୁଷିଆର ରକ୍ଷା ମନ୍ତ୍ରଣାଳୟ କହିଛି ଯେ, ତାଙ୍କ ସେନା ୟୁକ୍ରେନର ସେନା-ଉଦ୍ୟୋଗିକ ସଂସ୍ଥାଗୁଡ଼ିକୁ ଲକ୍ଷ୍ୟ କରି ଏକ ବ୍ୟାପକ ଆକ୍ରମଣ କରିଛି । ରୁଷିଆ ସୀମାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ବାରମ୍ବାର ଆକ୍ରମଣର ଶିକାର ହେଉଥିବା ଖାର୍କିଭ୍ ସହରରେ ଏହି ଆକ୍ରମଣ ସମୟରେ ଏକ ଡାକ ଟର୍ମିନାଲ୍‌କୁ ଲକ୍ଷ୍ୟ କରି କେତେକ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ କରାଯାଇଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଆଞ୍ଚଳିକ ଗଭର୍ନର ଓଲେହ୍ ସିନିଏହୁବୋଭ୍ କହିଛନ୍ତି । “ଆମେ ବ୍ୟାପକ ଶାହେଦ୍ ଡ୍ରୋନ୍ ଓ ମିସାଇଲ୍ ଆକ୍ରମଣର ସମ୍ମୁଖୀନ ହେଲୁ । ଆକ୍ରମଣରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଓ ଘଟଣାସ୍ଥଳରେ ୪ ଜଣ ମୃତ୍ୟୁବରଣ ହୋଇଛନ୍ତି” ବୋଲି ସିନିଏହୁବୋଭ୍ କହିଛନ୍ତି । ଦକ୍ଷିଣ ବନ୍ଦର ସହର ଓଡେସାରେ ମଧ୍ୟ ରାତିରେ ହୋଇଥିବା ରୁଷିଆ ଆକ୍ରମଣରେ ପାଖାପାଖି ୫ ଜଣ ଆହତ ହୋଇଥିବା କଥା ଆପାତକାଳୀନ ସେବା ସଂସ୍ଥା କହିଛି ।