ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ସିକନ୍ଦରାବାଦ ପୌରପାଳିକାର ଅଧ୍ୟକ୍ଷ ତଥା ବିଜେପି ନେତା ଡକ୍ଟର ପ୍ରଦୀପ ଦୀକ୍ଷିତ ଦେଇଥିବା ବିବାଦୀୟ ମନ୍ତବ୍ୟର ଜବାବ ରଖିଛନ୍ତି ଟିଏମସି ସାଂସଦ ସାୟୋନୀ ଘୋଷ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ପ୍ରଶ୍ନ କରିଛନ୍ତି। ଘୋଷ ଅଭିଯୋଗ କରିଛନ୍ତି ଯେ, ଉତ୍ତର ପ୍ରଦେଶର ସିକନ୍ଦରାବାଦର ବିଜେପି ନେତା ତଥା ପୌରପାଳିକା ଅଧ୍ୟକ୍ଷ ତାଙ୍କର ମୁଣ୍ଡ କାଟିବା ପାଇଁ ସର୍ବସାଧାରଣରେ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି।

ସାୟୋନି ଘୋଷ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ କ’ଣ ଦାବି କରିଛନ୍ତି ?

ସାଂସଦ ସାୟୋନି ଘୋଷ କହିଛନ୍ତି, "ମୋର ମୁଣ୍ଡ କାଟିବା ପାଇଁ ସୋସିଆଲ ମିଡିଆ ଏବଂ ମୁଖ୍ୟଧାରାର ଗଣମାଧ୍ୟମ ୧ କୋଟି ଟଙ୍କାର ପୁରସ୍କାର ରିପୋର୍ଟ କରୁଥିବା ଦେଖି ମୁଁ ଆଶ୍ଚର୍ଯ୍ୟ। ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ବିଜେପି ସଭାପତି ନୀତିନ ନବୀନଙ୍କୁ ପଚାରିବାକୁ ଚାହୁଁଛି କି, ଜଣେ ବିଜେପି ଜନପ୍ରତିନିଧି କ'ଣ ଜଣେ ମହିଳା ଏବଂ ବର୍ତ୍ତମାନର ସାଂସଦଙ୍କ ମୁଣ୍ଡ କାଟିବା ପାଇଁ ପୁରସ୍କାର ଘୋଷଣା କରୁଛନ୍ତି । ଏହା କ’ଣ ନୂତନ ଭାରତରେ ନାରୀ ଶକ୍ତି ବନ୍ଦନର ଅସଲ ଚେହେରା ?"

ବିଜେପି ନେତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ...

ସାୟୋନି ଘୋଷ କହିଛନ୍ତି, "ଗୋଟିଏ ପଟେ, ପଶ୍ଚିମବଙ୍ଗର ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ବିଜେପି ନେତୃତ୍ୱ ମହିଳାଙ୍କ ସୁରକ୍ଷା ଏବଂ ପ୍ରତିନିଧିତ୍ୱକୁ ଏକ କେନ୍ଦ୍ରୀୟ ନିର୍ବାଚନୀ ପ୍ରସଙ୍ଗ କରିଛନ୍ତି। ଅନ୍ୟପଟେ, ସେମାନଙ୍କ ନିଜ ଦଳର ଜଣେ ସଦସ୍ୟ ଏବେ ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ହତ୍ୟା କରିବାକୁ ଖୋଲାଖୋଲି ଧମକ ଦେଉଛନ୍ତି। ପଶ୍ଚିମବଙ୍ଗ ପୋଲିସ ଏବଂ କୋଲକାତା ପୋଲିସ କ'ଣ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋର ସୁରକ୍ଷା ସୁନିଶ୍ଚିତ କରିବେ ? ମୁଁ ଦାବି କରୁଛି ଯେ ବୁଲନ୍ଦସହର ପୋଲିସ ଏବଂ ଉତ୍ତର ପ୍ରଦେଶ ପୋଲିସ ସ୍ପଷ୍ଟ ଦିବାଲୋକରେ ମୋ ହତ୍ୟାକୁ ଉସୁକାଇଥିବା ଏହି ବିଜେପି ନେତାଙ୍କ ବିରୋଧରେ ତୁରନ୍ତ ଆଇନଗତ ଏବଂ ରାଜନୈତିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।"

ସେ କହିଛନ୍ତି, "ମୁଁ ମୋର ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ମୋ ସୁରକ୍ଷା ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ମୁଁ ସଂସଦ ଭିତରେ ଏବଂ ବାହାରେ ପ୍ରତିବାଦ କରିବାର ମୋର ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବି ଏବଂ ଏପରି ଧମକ ଦ୍ୱାରା ଚୁପ୍ ହେବି ନାହିଁ। ଜୟ ହିନ୍ଦ।"

ଏହା ସହ ପଢନ୍ତୁ : ପଶ୍ଚିମବଙ୍ଗ ଭଳି ପଲଟିଯିବ ତେଲେଙ୍ଗାନା ରାଜନୀତି, ରେବନ୍ତ ରେଡ୍ଡି ହେବେ ଆଗାମୀ ଶୁଭେନ୍ଦୁ ଅଧିକାରୀ !​​​​​​​