ନୂଆଦିଲ୍ଲୀ,୧୭/୦୬: ଘରୋଇ ଇଂଲଣ୍ଡ-ଭାରତ ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ବିଜେତା ଦଳକୁ ପଟୌଦି ଟ୍ରଫି ପ୍ରଦାନ  କରାଯାଇଥାଏ । ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ  (ଇସିବି) କିନ୍ତୁ ଏହାକୁ ଅବସର ଦେଇ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ପ୍ରଦାନ  କରାଯିବା ନେଇ ନିଷ୍ପତ୍ତି ନେଇଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନର  ଦୁର୍ଘଟଣା ଯୋଗୁ ନୂଆ ଟ୍ରଫି ଉନ୍ମୋଚନ  କାର୍ଯ୍ୟକ୍ରମ ବିଳମ୍ବ ହେଉଛି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ  ଅନୁସାରେ, ଇସିବିର ଟ୍ରଫି ନାମ ପରିବର୍ତ୍ତନ  ନିଷ୍ପତ୍ତିରେ କିମ୍ବଦନ୍ତୀ ସଚିନ ତେନ୍ଦୁଲକର  ଖୁସି ନୁହଁନ୍ତି । ସେ ଉଭୟ ବିସିସିଆଇ ଓ  ଇସିବିକୁ ପଟୌଦି ଟ୍ରଫି ନାମ ପରିବର୍ତ୍ତନ  ନକରିବାକୁ ଅନୁରୋଧ କରିଛନ୍ତି । ଏ  ବିଷୟରେ ଉଭୟ ବୋର୍ଡ କ’ଣ ନିଷ୍ପତ୍ତି  ନେଉଛନ୍ତି ତାହା ଖୁବ ଶୀଘ୍ର ଜଣା ପଡ଼ିବ । 

ଇସିବିର ଜଣେ ଅଧିକାରୀ କହିଛନ୍ତି  ଯେ, ‘ଇଂଲଣ୍ଡ-ଭାରତ ସିରିଜରେ ପଟୌଦି  ଟ୍ରଫି ବଜାୟ ରହିବାର ଯୋଜନା ହେଉଛି ।’  ମାତ୍ର ଏ ବିଷୟରେ କିଛି ଅଫିସିଆଲ ସୂଚନା  ଇସିବି ପକ୍ଷରୁ ରଖାଯାଇ ନାହିଁ । 

ପଟୌଦି ନାମ ପରିବର୍ତ୍ତନକୁ ନେଇ  କିମ୍ବଦନ୍ତୀ ସୁନୀଲ ଗାଭାସ୍କର ମଧ୍ୟ ଖୁସି ନାହାନ୍ତି । କ୍ରିକେଟ୍‌ ପ୍ରତି ପଟୌଦିଙ୍କ ଅବଦାନ ଅତୁଳନୀୟ । ତେଣୁ ଟ୍ରଫି ନାମ  ପରିବର୍ତ୍ତନର ଯଥାର୍ଥତା ମନେ କରୁ ନାହିଁ  ବୋଲି ଗାଭାସ୍କର କହିଛନ୍ତି ।