ଭୁବନେଶ୍ୱର, ୦୧/୧୨: ସହିଦ୍‌ ନଗର ସତସଙ୍ଗ ବିହାର ନିକଟରେ ଥିବା ପବ୍‌ରେ ବିଳମ୍ବିତ ରାତି ଯାଏ ଚାଲିଥିଲା ନାଚ ଗୀତ । ନାକେ ଯାଏ ପିଇକି ଝୁମୁଥିଲେ ଗ୍ରାହକ । ହଠାତ୍ ପହଞ୍ଚିଲା ପୁଲିସ । ପବ୍ ବନ୍ଦ କରିବାକୁ କର୍ତ୍ତୃପକ୍ଷଙ୍କୁ ତାଗିଦ କଲା । ଆଉ ଖାକି ପୋଷାକକୁ ଦେଖି ଗ୍ରାହକ ପବ୍ ବାହାରକୁ ଧାଇଁଲେ । କିଛି ଗ୍ରାହକ ପାର୍କିଂ ସ୍ଥଳରେ ଗାଡ଼ି ଛାଡ଼ି ସିଧା ଘରକୁ ପଳାଇଥିଲେ ।

ସତସଙ୍ଗ ବିହାରର ଠିକ୍ ବିପରୀତ ଦିଗରେ ଥିବା ‘ଭକ୍ସ ପପ୍’ ଉପରେ ସହିଦ ନଗର ଥାନା ପୁଲିସ ଚଢ଼ଉ ବେଳେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପବ୍ ଖୋଲା ରଖିବା ପାଇଁ ଧାର୍ଯ୍ୟ ସମୟ ହେଉଛି ରାତି ୧୨ଟା । କିନ୍ତୁ ଉକ୍ତ ବାର୍ଟି ବିଳମ୍ବିତ ରାତି ଯାଏ ଖୋଲା ରହୁଥିଲା । ବାର୍‌ରେ ବାଜୁଥିବା ବିକଟାଳ ମ୍ୟୁଜିକ୍ ସାଉଣ୍ଡ ଯୋଗୁ ସ୍ଥାନୀୟ ବାସିନ୍ଦା ଅତିଷ୍ଠ ହୋଇ ପଡି଼ଥିଲେ । ସେମାନଙ୍କ ଅଭିଯୋଗକ୍ରମେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ ସେଠାରେ ଚଢ଼ଉ କରିଥିଲା । ସେତେବେଳେ ପବ୍ରେ ପ୍ରାୟ ୫୦ରୁ ଅଧିକ ଗ୍ରାହକ ଥିଲେ । ଅଧିକାଂଶ ଯୁବପିଢ଼ି । ପୁଲିସ ଉକ୍ତ ପବ୍‌କୁ ସିଲ୍ କରିଛି । ସେପଟେ ପୁଲିସର ସୁପାରିଶ ପରେ ଅବକାରୀ ଟିମ୍ ସିରିଅସ ରେଗୁଲାରିଟି ରିପୋର୍ଟ (ଏସ୍ଆଇଆର) ମୁତାବକ, ଉକ୍ତ ପବ୍ ଉପରେ ଜରିମାନା କଷିଛି ।