ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ କାହାକୁ ଅଛପା ନଥିଲା । କିନ୍ତୁ ବିଚ୍ଛେଦ ପରେ ସଲମାନଙ୍କ ହୃଦୟଙ୍କ ଅବସ୍ଥା କିଭଳି ଥିଲା ତାର ପ୍ରମାଣ ଏବେ ମିଳିଛି । ୨୦୦୨ରେ ବ୍ରେକଅପ୍ ହୋଇଥିଲା, କିନ୍ତୁ ୨୦୨୫ରେ ଏହି ଘଟଣାକୁ ନେଇ ବଡ଼ ଖୁଲାସା କରିଛନ୍ତି ବିଶିଷ୍ଟ ଗୀତିକାର ସମୀର ଅଞ୍ଜାନ । ସଲମାନଙ୍କ ଅଭିନୀତ ‘ତେରେ ନାମ’ ଚଳଚ୍ଚିତ୍ର କେତେ ଯେ ପ୍ରେମିକଙ୍କୁ ଦିଓ୍ବାନା କରିଥିଲା ତାର ହିସାବ ନାହିଁ । ଆଉ ଏହି ଫିଲ୍ମ ସୁଟିଂ ବେଳକୁ ହାର୍ଟ ବ୍ରେକ୍ର ଗୁରୁତର ଶିକାର ହୋଇଥିଲେ ସଲମାନ । ସମୀର ଅଞ୍ଜାନ କହିଛନ୍ତି, ତେରେ ନାମ ସେଟ୍ରେ ଗୀତ ଶୁଣି କାନ୍ଦି ପକାଉଥିଲେ ଭାଇଜାନ୍ ।
‘ତେରେ ନାମ’ର ଟାଇଟଲ୍ ଟ୍ରାକ୍ ଏବଂ ‘କ୍ୟୋଁ କିସି କୋ ୱାଫା କେ ବଦଲେ ୱାଫା ନହିଁ ମିଲତି’ଗୀତରେ ସଲମାନ ଖାନ ଅଭିନୟ ମାଧ୍ୟମରେ ନିଜର ହୃଦୟ ବେଦନାକୁ ପରିପ୍ରକାଶ କରୁଥିବା ମନେ ହୁଏ । ସେତେବେଳ ଐଶ୍ବର୍ଯ୍ୟାଙ୍କ ସହ ତାଙ୍କର ବ୍ରେକ୍ଅପ୍ ହୋଇଥିଲା । ଶୁଭଙ୍କର ମିଶ୍ରଙ୍କ ସହିତ ଏକ ସାକ୍ଷାତକାରରେ, ସମୀର ଅଞ୍ଜାନ ଐଶ୍ୱର୍ଯ୍ୟା ରାୟଙ୍କ ସହିତ ବ୍ରେକଅପ୍ ପରେ ସଲମାନ ଖାନଙ୍କ ମନର ଅବସ୍ଥା ସଂପର୍କରେ କହିଛନ୍ତି ।
ସମୀର ଅଞ୍ଜାନ ‘ତେରେ ନାମ’ ଚଳଚ୍ଚିତ୍ରର ଗୀତ ସଂପର୍କରେ କହିଛନ୍ତି ଯେ, ‘ଟାଇଟଲ୍ ଟ୍ରାକ୍ ତାଙ୍କୁ(ସଲମାନ) ମନରେ ରଖି ଲେଖାଯାଇ ନଥିଲା। ଯାହା ଲେଖାଯାଇଥିଲା ତାହା ଥିଲା ଐଶ୍ୱର୍ଯ୍ୟା ରାୟଙ୍କ ସହ ସଲାମାନଙ୍କ ବ୍ରେକଅପ୍ର ବେଦନା । ସଲମାନ ସଟ୍ ଦେବା ପୂର୍ବରୁ ହିମେଶ ରେଶମିଆଙ୍କୁ ଡାକି ଏହି ଗୀତ (ତେରେ ନାମ) ଗାଇବାକୁ ବାଧ୍ୟ କରୁଥିଲେ ଏବଂ କାନ୍ଦୁଥିଲେ । ସେ କହୁଥିଲେ, ତୁମେ ଆସ, ଏହି ଗୀତଟି ଗାଇ ଶୁଣାଅ । ବିଶେଷକରି, ‘କ୍ୟୋଁ କିସି କୋ ୱାଫା କେ ବଦଲେ ୱାଫା ନହିଁ ମିଲତି’ଶୁଣି ବେଶୀ କାନ୍ଦୁଥିଲେ ସଲମାନ । ସେ ଭାବୁଥିଲେ ଯେ, ଏହି ଗୀତଟି ସେଠାରେ ପହଞ୍ଚିବା ଉଚିତ, ଏହା ମୋର ହୃଦୟର ଯନ୍ତ୍ରଣା। ଏହି ଗୀତ ଶୁଣିବା ପରେ ସଲମାନ ସେଟରେ କାନ୍ଦୁଥିଲେ, ଏବଂ ତା'ପରେ ସେ ସଟ୍ ଦେବାକୁ ଯାଉଥିଲେ। ସେତେବେଳେ ତାଙ୍କ ହୃଦୟର କ୍ଷତ ସତେଜ ଥିଲା ।’
ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ସେଟରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଏହି ସମୟରେ ଦୁହେଁ ଦୁହିଁଙ୍କ ନିକଟତର ହେଲେ ଏବଂ କଥା ଆଗକୁ ବଢ଼ିଲା। ସେମାନେ ଡେଟିଂରେ ଯିବା ଆରମ୍ଭ କଲେ। କିନ୍ତୁ ମାତ୍ର ତିନି ବର୍ଷ ପରେ ୨୦୦୨ ମସିହାରେ ସେମାନଙ୍କର ସମ୍ପର୍କ ଭାଙ୍ଗିଗଲା । ସଲମାନଙ୍କ ସହ ବ୍ରେକଅପ୍ ପରେ, ଐଶ୍ୱର୍ଯ୍ୟା ୨୦୦୭ ମସିହାରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ । ଏବେ ତାଙ୍କ ଜଣେ ଝିଅ ଆରାଧ୍ୟା ଅଛି । ଅନ୍ୟପଟେ, ୫୯ ବର୍ଷୀୟ ସଲମାନ ଖାନ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ଏନେଇ ବିଭିନ୍ନ ମଞ୍ଚରେ ତାଙ୍କୁ ପ୍ରଶ୍ନ କରାଯାଉଛି, କିନ୍ତୁ ସେ କୌଣସି ଉତ୍ତର ଦେଉନାହାନ୍ତି । ଏପରିକି ସଲମାନ ଖାନ କେବେ ବିବାହ କରିବେ ବୋଲି ପ୍ରଶ୍ନଟି ଏବେ ମନୋରଞ୍ଜନର ଖୋରାକ ପାଲଟି ଯାଇଛି ।