ନୂଆଦିଲ୍ଲୀ ୧୪/୦୭: ଆଲିୟା ଭଟ୍ଟଙ୍କ ସ୍ପାଇ-ୟୁନିଭର୍ସ ଫିଲ୍ମ ‘ଆଲ୍ଫା’ ବକ୍ସ ଅଫିସ୍ରେ ସଂଘର୍ଷ କରୁଛି । ଏହି ମହିଳା-କୈନ୍ଦ୍ରିକ ଆକ୍ସନ୍ ଫିଲ୍ମକୁ ନେଇ ଖୁବ୍ ଆଶା ଥିଲା, କିନ୍ତୁ ସପ୍ତାହାନ୍ତ ପରେ ଦର୍ଶକଙ୍କୁ ଥିଏଟରଙ୍କୁ ଟାଣିବାରେ ଏହା ସଂଘର୍ଷ କରୁଛି । ଅନ୍ୟପକ୍ଷେ, ସାଉଥ୍ର ମୁଖ୍ୟ ନାୟିକା ସାମନ୍ଥା ରୁଥ୍ ପ୍ରଭୁଙ୍କ ଆକ୍ସନ୍ ଫିଲ୍ମ ‘ମା ଇଣ୍ଟି ବଙ୍ଗାରମ’ ଥିଏଟରରେ ମାସେ ପୂରଣ କରିବାକୁ ଯାଉଛି । ବକ୍ସ ଅଫିସ୍ରେ ଏହା ଖୁବ୍ ଭଲ ବ୍ୟବସାୟ କରିଛି । ତେଲୁଗୁ ଇଣ୍ଡଷ୍ଟ୍ରିରେ ଏହା ସବୁଠୁ ବଡ଼ ଫିମେଲ୍ ଲିଡ୍ ଫିଲ୍ମ ହୋଇଛି ।
ଏହି କ୍ରମରେ ଭାରତୀୟ ସିନେପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି, ଦୁଇଟିଯାକ ଫିଲ୍ମ ମହିଳା-କୈନ୍ଦ୍ରିକ ଓ ଦମ୍ଦାର ଆକ୍ସନ୍-ପ୍ୟାକ୍ଡ । କିନ୍ତୁ ଦୁଇଟି ମଧ୍ୟରେ ଏମିତି କ’ଣ ଅନ୍ତର ଅଛି ଯେ ‘ଆଲ୍ଫା’ ଫ୍ଲପ୍ ହେଉଥିବା ବେଳେ ‘ମା’ ଇଣ୍ଟି ବଙ୍ଗାରମ’ ବ୍ଲକ୍ବଷ୍ଟ ହୋଇଛି? ନିର୍ମାଣରେ ଫରକ ଏହି ଭିନ୍ନତା ପଛର କାରଣ ବୋଲି ଚର୍ଚ୍ଚା ହେଉଛି । ପ୍ରାୟ ୧୨୫ କୋଟି ବଜେଟ୍ରେ ପ୍ରସ୍ତୁତ ୟଶରାଜ ସ୍ପାଇ ୟୁନିଭର୍ସର ‘ଆଲ୍ଫା’ ୧୦ ଦିନରେ ୫୪ କୋଟି କଲେକ୍ସନ୍ କରିପାରିନି । ଅନ୍ୟପକ୍ଷେ, ସାଉଥ୍ରେ ସମନ୍ଥାଙ୍କ ‘ମା’ ଇଣ୍ଟି ବଙ୍ଗାରମ’ ଇଣ୍ଡଷ୍ଟ୍ରିରେ ରେକର୍ଡ କରିଛି । ମାତ୍ର ୨୦-୩୦ କୋଟି ବଜେଟ୍ରେ ପ୍ରସ୍ତୁତ ଏହି ଫିଲ୍ମ ବିଶ୍ୱରେ ୧୦୦ କୋଟିରୁ ଅଧିକ କଲେକ୍ସନ୍ କରିଛି ।
ଆହୁରି ପଢ଼ନ୍ତୁ...ରାସ୍ତାରେ ବୁଲୁଛି ୧୦୦୦ ଟନ୍ର ସିଲ୍ ମାଛ, ସମୁଦ୍ରରୁ ବାହାରି ସହରରେ କରୁଛି ଆରାମ
ସମନ୍ଥା ଜଣେ ହତ୍ୟାକାରୀ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ନୂଆ ଜୀବନ ଆରମ୍ଭ କରିଛନ୍ତି । ଘରର ଗେହ୍ଲୀ ବୋହୂ ହେବାକୁ ସେ ଚେଷ୍ଟା କରୁଛନ୍ତି, କିନ୍ତୁ ଯେତେବେଳେ ଘର ଉପରେ ବିପଦ ଆସିଛି, ସେ ପୁରୁଣା ଅବତାରକୁ ଫେରିଛନ୍ତି । ଗୁପ୍ତଚର କାହାଣୀ ଦର୍ଶକଙ୍କ ପାଇଁ ନୂଆ ନୁହେଁ । ବଜେଟ୍ ଅଧିକ ହେଲେ ଯେ କାହାଣୀ ଦର୍ଶକଙ୍କ ମନ ଛୁଇଁବ ତାହା ଅସମ୍ଭବ । ‘ମା’ ଇଣ୍ଟି ବଙ୍ଗାରମ’ ଏହାର ଜ୍ୱଳନ୍ତ ଉଦାହରଣ ।