ନୂଆଦିଲ୍ଲୀ, ୪।୩: ଏବେ ଚାବିରୁ ମିଳିବ ମୁକ୍ତି ! ସାମସଙ୍ଗ ଫୋନ୍ରେ ଖୋଲିବ ଘରର କବାଟ । କମ୍ପାନୀ ଏହାର ବହୁ ପ୍ରତିକ୍ଷିତ ‘ଡିଜିଟାଲ୍ ହୋମ୍ କି’ ଫିଚରକୁ ବଜାରକୁ ଆଣିବାକୁ ପ୍ରସ୍ତୁତ ହୋଇଛି, ଯାହା ସ୍ମାର୍ଟ ହୋମ୍ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ । ସାମସଙ୍ଗ୍ ନିଜର ସ୍ମାର୍ଟ ହୋମ୍ ଇକୋସିଷ୍ଟମକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସାମସଙ୍ଗ୍ ୱାଲେଟରେ ‘ଡିଜିଟାଲ୍ ହୋମ୍ କି’ ସୁବିଧା ଯୋଡ଼ିଛି । ଏହି ଟେକ୍ନୋଲୋଜି ଆଲିରୋ ସ୍ମାର୍ଟ ହୋମ ଷ୍ଟାଣ୍ଡାର୍ଡ ଉପରେ ଆଧାରିତ, ଯାହା ଫିଜିକାଲ୍ ଚାବିର ଆବଶ୍ୟକତାକୁ ଦୂର କରିବ ।
କ’ଣ ଏହି ଡିଜିଟାଲ୍ ହୋମ୍ କି ?
ଏହା ଏଭଳି ଏକ ଫିଚର ଯେଉଁଥିରେ ଆପଣଙ୍କ ସ୍ମାର୍ଟଫୋନ୍ ଏକ ଚାବି ଭଳି କାମ କରିବ । ଏଥିରେ ଦୁଇ ପ୍ରକାରର ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଇଛି:
NFC (Near Field Communication): ଏଥିରେ ଫୋନକୁ ସ୍ମାର୍ଟ ଲକ୍ ପାଖରେ ଟ୍ୟାପ୍ କଲେ କବାଟ ଖୋଲିବ ।
UWB (Ultra-Wideband): ଏହି ସୁବିଧା ଥିଲେ, ଆପଣ ଘର କବାଟ ପାଖକୁ ଯିବା ମାତ୍ରେ କବାଟ ଆପେ ଆପେ ଅନଲକ୍ ହୋଇଯିବ ।
ଏହା ବି ପଢ଼ନ୍ତୁ... ଭି-ମାର୍ଟର ଆଣିଲା ହୋଲି କଲେକ୍ସନ, ସପିଂ କଲେ ମିଳିବ ରିହାତି ସହ ପୁରସ୍କାର
କେମିତି ବ୍ୟବହାର କରିବେ ?
ପ୍ରଥମେ ସ୍ମାର୍ଟ ଥିଙ୍ଗ୍ସ ଆପ୍ ଜରିଆରେ ଏକ କମ୍ପାଟିବଲ୍ ସ୍ମାର୍ଟ ଲକ୍ ସେଟଅପ୍ କରିବାକୁ ହେବ ।
ଏହାପରେ ସେହି ଲକ୍କୁ ସାମସଙ୍ଗ୍ ୱାଲେଟ ସହ ଯୋଡ଼ିବାକୁ ପଡ଼ିବ ।
ସେଟଅପ୍ ସରିବା ପରେ ଆପଣ ନିଜ ସୁବିଧା ଅନୁଯାୟୀ NFC କିମ୍ବା UWB ବିକଳ୍ପ ବାଛିପାରିବେ ।
ଏହା କେତେ ସୁରକ୍ଷିତ ?
ଡିଜିଟାଲ୍ ଚାବି ହୋଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । କିନ୍ତୁ, ସାମସଙ୍ଗ ଏହାକୁ ନିଜର ନକ୍ସ ସିକ୍ୟୁରିଟି ପ୍ଲାଟଫର୍ମ (Knox Security Platform) ଜରିଆରେ ସୁରକ୍ଷିତ ରଖିଛି । ଯଦି ଆପଣଙ୍କ ଫୋନ୍ ହଜିଯାଏ, ତଥାପି ବାୟୋମେଟ୍ରିକ୍ କିମ୍ବା ପିନ୍ ବିନା କେହି ଆପଣଙ୍କ ଘରର ଲକ୍ ଖୋଲିପାରିବେ ନାହିଁ ।
କେଉଁ ଫୋନ୍ରେ ମିଳିବ ଏହି ସୁବିଧା ?
ମାର୍ଚ୍ଚ ମାସରୁ ଏହି ଫିଚର କିଛି ନିର୍ଦ୍ଦିଷ୍ଟ ମଡେଲରେ ଉପଲବ୍ଧ ହେବ । Galaxy Z Fold 4 ଓ ତା’ର ପରବର୍ତ୍ତୀ ମଡେଲ ଏବଂ Galaxy S22 Ultra ସମେତ ସମସ୍ତ ନୂଆ ଫ୍ଲାଗସିପ୍ ଫୋନରେ ଏହି ସୁବିଧା ଉପଲବ୍ଧ ହେବ । NFC ସପୋର୍ଟ ମାର୍ଚ୍ଚରୁ ଏବଂ ହାଇ-ଟେକ୍ UWB ସପୋର୍ଟ ଏପ୍ରିଲ୍ ମାସରୁ ମିଳିବା ଆରମ୍ଭ ହେବ ।