ବିବାଦ ଓ ବିତର୍କରେ ‘ସଞ୍ଚାର ସାଥୀ’ ।  ଟେଲିକମ୍‌ ବିଭାଗର ଏ ଆପକୁ ନେଇ ନାହିଁ  ନଥିବା ଝଡ଼ । ଭାରତରେ ମୋବାଇଲ୍‌  ସୁରକ୍ଷାକୁ ସୁଦୃଢ଼ କରିବାକୁ ଏ ଆପ୍‌ ଉଦ୍ଦିଷ୍ଟ । କେନ୍ଦ୍ର ସରକାର ଏ ଯୁକ୍ତି କରୁଛନ୍ତି । ଏପଟେ  ବିରୋଧୀ କହୁଛନ୍ତି ଏହା ହେଉଛି ପେଗାସସ୍‌  ଭଳି ଗୁପ୍ତଚର ଆପ୍‌ । ଆପ୍‌ର ପ୍ରି-ଇନଷ୍ଟଲ  ଆଦେଶକୁ ସରକାର ହଟାଇ ନେଇଛନ୍ତି ।  ବିତର୍କ କିନ୍ତୁ ଲାଗି ରହିଛି ।

ବନ୍ଧୁ ନା ଗୁଇନ୍ଦା? ସଂସଦରୁ ସୋସିଆଲ ମିଡିଆ । ହୋ ହଲ୍ଲା  ଆଉ ହଙ୍ଗାମା । କିଏ କହିଲା ଆପ୍‌ ନୁହେଁ ଏହା ସାଥୀ, ଆଉ  କିଏ କହିଲା ଗୁଇନ୍ଦାଗିରିର ନୂଆ ଭର୍ସନ । ‘ସଞ୍ଚାର ସାଥୀ’ ଆପ୍‌କୁ  ନେଇ ସାରା ଦେଶରେ ନାହିଁ ନଥିବା ଝଡ଼ । ବିରୋଧୀ କାନ୍ଧରେ  କାନ୍ଧ ମିଳାଇ ସରକାରଙ୍କୁ ଘେରିଲେ । ଏଥିରେ ଗୁଇନ୍ଦାଗିରିର  ପ୍ରଶ୍ନ ଉଠୁନି ବୋଲି ସରକାର ଯେତେ ରାଣ ନିୟମ ଖାଇଲେ ବି  ବିରୋଧୀ ବୁଝିଲେନି । ସଂସଦରେ ହଙ୍ଗାମା କଲେ । ସନ୍ଦେହ ଓ  ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲା । ସରକାର ନିଜେ ପକାଇଥିବା  ଛେପ ଢୋକିଲେ । ୟୁ-ଟର୍ନ ନେଲେ । ବାଧ୍ୟତାମୂଳକ ଆପ୍‌ ଇନଷ୍ଟଲ୍‌ ନିଷ୍ପତ୍ତି ହେଲା ରଦ୍ଦ । ବିତର୍କ ଓ ବିବାଦର ଝଡ଼ ଆଣିଥିବା ‘ସଞ୍ଚାର  ସାଥୀ’କୁ ନେଇ ଏବେ ସବୁଠି ଚର୍ଚ୍ଚା । କେବଳ ଦେଶରେ ନୁହଁ,  ବିଦେଶରେ ବି ଭାରତର ଏ ଖବର ବଡ଼ ଖବର ପାଲଟିଲା ।

 

ଦୂରସଂଚାର ବିଭାଗର ନିର୍ଦ୍ଦେଶ

​​​​​​​

ସବୁ ମୋବାଇଲରେ ଇନଷ୍ଟଲ୍‌ ହେବ ସଞ୍ଚାର ସାଥୀ ଆପ୍‌ । ଏଥିପାଇଁ  ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ନୂଆ ମୋବାଇଲରେ ଏ ଆପ୍‌  ଇନ୍‌ ବିଲଡ୍‌ ଆସିବ । ପୁରୁଣା ମୋବାଇଲ୍‌ରେ ସଫ୍ଟୱେର ଅପଡେଟ୍‌  କରି ଏହି ଆପ୍‌ ଇନଷ୍ଟଲ୍‌ କରାଯିବ । ଏହି ଆପ୍‌କୁ କେହି ଡିଲିଟ୍‌  କରିପାରିବେ ନାହିଁ କି ନିଷ୍କ୍ରିୟ ବି କରିପାରିବେ ନାହିଁ । ଏପରିକି  ମୋବାଇଲ୍‌ ନିର୍ମାତାଙ୍କୁ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ  କରିବାକୁ ଫତୱା ଜାରି ହେଲା । ଦୂର ସଂଚାର ବିଭାଗର ଏ ନିର୍ଦ୍ଦେଶ  ଆସିବା ପରେ ଆରମ୍ଭ ହେଲା ପାଟିତୁଣ୍ଡ । ବିରୋଧୀ କଂଗ୍ରେସ  ସହ ତମାମ ବିରୋଧୀ ଆପତ୍ତି ଉଠାଇଲେ । ଗୋପନୀୟତାର  ଅଧିକାରକୁ ଛଡ଼ାଇନେବାକୁ କେନ୍ଦ୍ର ସରକାରଙ୍କର ଏହା ସୁଚିନ୍ତିତ  ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଲେ ।  ସଂସଦରେ ରାଗ ତମତମ ହୋଇ  ସରକାରଙ୍କୁ ଘେରିଲେ । କାଠଗଡ଼ାରେ  ଛିଡ଼ା କରାଇ ପ୍ରଶ୍ନବାଣ ମାରିଲେ ।  

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଯେତେ ସଫେଇ ଦେଲେ ବି ବିରୋଧୀ  ଶୁଣିଲେନି । ଏ କାନରେ ପୂରେଇ ସେ କାନରେ କାଢ଼ିଲେ ।  ସୋସିଆଲ ମିଡିଆରେ ମଧ୍ୟ ସରକାର ଘେରାବନ୍ଦୀ ହେଲେ ।  ବାଧ୍ୟ ହୋଇ ସରକାର ମୁଣ୍ଡ ନୁଆଁଇଲେ । ରଦ୍ଦ ହେଲା ଟେଲିକମ୍‌  ବିଭାଗର ‘ସଞ୍ଚାର ସାଥୀ’ ପ୍ରି-ଇନଷ୍ଟଲ୍‌ ଆଦେଶ ।  କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ସ୍ପଷ୍ଟ କରିଛନ୍ତି,ଏ ଆପ୍‌ର ଉଦ୍ଦେଶ୍ୟ  ଭାରତରେ ମୋବାଇଲ୍‌ ସୁରକ୍ଷାକୁ ସୁଦୃଢ଼ କରିବା । ଭାରତରେ  ନିର୍ମିତ ଅବା ବିଦେଶରୁ ଆମଦାନି ହେଉଥିବା ପ୍ରତ୍ୟେକ ନୂତନ  ସ୍ମାର୍ଟଫୋନରେ ସଞ୍ଚାର ସାଥୀ ଆପ୍‌ ପୂର୍ବରୁ ଇନଷ୍ଟ୍‌ କରିବାକୁ  ନିଷ୍ପତ୍ତି ହୋଇଥିଲା । ସଞ୍ଚାର ସାଥୀ ଆପ୍‌ ସମ୍ପୂର୍ଣ୍ଣ ଇଚ୍ଛାଧୀନ ।  ଏହାକୁ ଯେକୌଣସି ସମୟରେ ଡିଲିଟ୍‌ କରିପାରିବେ । ନୂଆ  ଫୋନ୍‌ରେ ପ୍ରି-ଇନ୍‌ଷ୍ଟଲ କରିବା କେବଳ ସଚେତନତା ପାଇଁ ।  ଏହାର ବ୍ୟବହାର ବାଧ୍ୟତାମୂଳକ ନୁହେଁ । ଆପ୍‌ ରେଜିଷ୍ଟ୍ରେସନ୍‌  ବିନା ନିଷ୍କ୍ରିୟ ରହେ । ଏହା ଗୁଇନ୍ଦାଗିରି କିମ୍ବା କଲ୍‌ ମନିଟରିଂ  କରିବ ନାହିଁ । ବିରୋଧୀ ରାଜନୀତି ପାଇଁ ତିଳକୁ ତାଳ କରୁଛନ୍ତି ।  ମିଛର ଭ୍ରମ ତିଆରି କରୁଛନ୍ତି । ନାଗରିକଙ୍କ ଅଧିକାର ଛଡ଼ାଇନେବା  ନୁହେଁ, ସୁରକ୍ଷା ପାଇଁ ଆମେ ଏ ନିଷ୍ପତ୍ତି ନେଇଥିଲୁ । ନିଷ୍ପତ୍ତିରେ  ଟେଲିକମ୍‌ ବିଭାଗ ପରିବର୍ତ୍ତନ କରିଛି । ଏବେ ପ୍ରି-ଇନଷ୍ଟଲ୍‌  ବାଧ୍ୟତାମୂଳକ ନୁହେଁ ।

 ‘ସଞ୍ଚାର ସାଥୀ’- ଡିଜିଟାଲ ସୁରକ୍ଷାକବଚ

ସଞ୍ଚାର ସାଥୀ ଆପ୍‌ ମୋବାଇଲ୍‌ ବ୍ୟବହାରକାରୀଙ୍କୁ କେତେ  ସୁରକ୍ଷା ପ୍ରଦାନ କରିବ? ଆପଣ ଜାଣିଛନ୍ତି? ଟେଲିକମ୍‌  ବିଭାଗ କହୁଛି, ଯଦି କୌଣସି ଫୋନ୍‌ ହଜିଯାଏ କିମ୍ବା ଚୋରି  ହୋଇଯାଏ ତେବେ କିଛି ମିନିଟ୍‌ ମଧ୍ୟରେ ରିପୋର୍ଟ କରିହେବ ।  ଫୋନ୍‌କୁ ବ୍ଲକ୍‌ କରିବା ମଧ୍ୟ ସମ୍ଭବ । ମୋବାଇଲ୍‌ ଫୋନରେ  ନକଲି ଲିଙ୍କ୍‌, ସ୍ପାମ୍‌ କଲ୍‌ ଉପରେ ସତର୍କ ଦୃଷ୍ଟି ରଖିବ ଆପ୍‌ ।  ଏହାଛଡ଼ା ସନ୍ଦିଗ୍ଧ ମେସେଜ୍‌ ଉପରେ ନଜର ରଖିବାରେ  ମଧ୍ୟ ଏହା ସାହାଯ୍ୟ କରିବ । ଭାରତରେ ଏବେ ଅନଲାଇନ୍‌  ଠକେଇ କାୟା ମେଲାଇ ଚାଲିଛି । ଲୋକମାନେ ନିଜର ସଞ୍ଚିତ  ଅର୍ଥକୁ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ହରାଉଛନ୍ତି ।  ଏହାକୁ ନିୟନ୍ତ୍ରଣ କରିବାକୁ ଏ ଆପ୍‌ ସହଯୋଗ କରିବ ।  ଆପଣଙ୍କ ନାମରେ କେତେ ସିମ୍‌ କାର୍ଡ ସକ୍ରିୟ ଅଛି ତାହା  ଶୀଘ୍ର ଯାଞ୍ଚ କରି କହିଦେବ । ଟେଲିକମ ବିଭାଗର ଦାବି ଯେ, ସଞ୍ଚାର ସାଥୀ ଆପ୍‌ ଆପଣଙ୍କର ସମସ୍ତ ମୋବାଇଲ୍‌ ଫୋନ୍‌  ସମସ୍ୟା ସମାଧାନର ଏକମାତ୍ର  କେନ୍ଦ୍ର । ଏହି ଆପ୍‌ ଆପଣଙ୍କ ଫୋନ୍‌  ଚୋରି, ଠକେଇ ଏବଂ ନକଲି  ସଂଯୋଗରୁ ରକ୍ଷା କରିବାରେ ସାଥୀ  ଭଳି ସହଯୋଗ କରିବ । ଆଜି  ପର୍ଯ୍ୟନ୍ତ ୨.୬ ନିୟୁତରୁ ଅଧିକ  ଚୋରି ଫୋନ୍‌ ଚିହ୍ନଟ ସହ ୭ ଲକ୍ଷରୁ ଅଧିକ ମାଲିକଙ୍କୁ  ହସ୍ତାନ୍ତର କରାଯାଇଛି । ଏହି ଆପ୍‌ ସାଇବର ଅପରାଧ ସହ  ଜଡ଼ିତ ୧.୨୩୮ ନିୟୁତ ହ୍ୱାଟ୍‌ସଆପ୍‌ ଆକାଉଣ୍ଟକୁ ମଧ୍ୟ ବନ୍ଦ  କରିପାରିଛି ।  

ପେଗାସସ୍‌ ଭଳି ଗୁପ୍ତଚର ଆପ୍‌  

ସରକାରଙ୍କ ନିଷ୍ପତ୍ତି । ବିରୋଧୀ ରାଗି ପାଚି ଲାଲ । ଏହା  ମୋବାଇଲରୁ ବ୍ୟକ୍ତିଗତ ଜୀବନକୁ ଟେକଓଭର କରିବ ।  ଗୋପନୀୟତା ଅଧିକାରକୁ ଛଡ଼ାଇ ନେବ । ‘ସାଥୀ’ ନୁହଁ ଏହା  ହେଉଛି ଗୁପ୍ତଚର ଆପ୍‌ । ପେଗାସସ ପ୍ଲସ । କଂଗ୍ରେସ ଅଭିଯୋଗ  କରୁଛି, ନାଗରିକଙ୍କର ଗୋପନୀୟତା ଅଧିକାର ଅଛି । ପ୍ରତ୍ୟେକଙ୍କ  ପାଖରେ ପରିବାର,ବନ୍ଧୁମାନଙ୍କୁ ବାର୍ତ୍ତା ପଠାଇବାର ଗୋପନୀୟତାର  ଅଧିକାର ରହିବା ଜରୁରୀ । ଶିବସେନାର ଅଭିଯୋଗ ଏହି ଆପ୍‌  ଜରିଆରେ ଲୋକଙ୍କ ଗତବିଧି ଉପରେ ନଜର ରଖିବାର ଏହା ଏକ  ଉପାୟ । ମୋବାଇଲ ଫୋନ ମାଧ୍ୟମରେ ସମସ୍ତ କାର୍ଯ୍ୟକଳାପକୁ  ଟ୍ରାକ କରିବେ ସରକାର । ସମ୍ବିଧାନର ଧାରା ୨୧ ଅନୁଯାୟୀ  ଗୋପନୀୟତା ନାଗରିକଙ୍କ ମୌଳିକ ଅଧିକାରର ଅବିଚ୍ଛେଦ୍ୟ ଅଂଶ ।  ପ୍ରତ୍ୟେକ ଭାରତୀୟଙ୍କ ଉପରେ ନଜର ରଖିବା ପାଇଁ ଡିଜାଇନ୍‌  କରାଯାଇଥିବା ଏକ ନିରୀକ୍ଷଣ ଆପ୍‌ ହେଉଛି ସଞ୍ଚାର ସାଥୀ ।  ବିରୋଧୀଙ୍କ ଅଭିଯୋଗ,ପ୍ରତ୍ୟେକ ନାଗରିକଙ୍କ ପ୍ରତିଟି କାର୍ଯ୍ୟ,  କଥାବାର୍ତ୍ତା ଏବଂ ନିଷ୍ପତ୍ତି ଉପରେ ନଜର ରଖିବାକୁ ‘ସଞ୍ଚାର ସାଥୀ’ର  ପରିକଳ୍ପନା । ଭାରତୀୟ ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ  ଏହା ଆକ୍ରମଣ । ବିଶେଷଜ୍ଞଙ୍କ ଯୁକ୍ତି, ଏ ଆପ୍‌ରେ ନାଗରିକଙ୍କ ବହୁ  ବ୍ୟକ୍ତିଗତ ସୂଚନା ଜାଣି ହେବ । ସଞ୍ଚାର ସାଥୀ ଆପ୍‌ ପାଇଁ ଫୋନର  ବହୁ ଆକ୍ସେସ୍‌ ଆବଶ୍ୟକ । ଗୁଗୁଲ୍‌ ଏବଂ ଆପଲ୍‌ ଆପ୍‌ ଷ୍ଟୋର  ତାଲିକା ଦର୍ଶାଉଛି,ଏହା କ୍ୟାମେରା, ମାଇକ୍ରୋଫାନ୍‌, କି-ବୋର୍ଡ,  ମେସେଜ୍‌, କଲ୍‌ ଲଗ୍‌ ଏବଂ ଲୋକେସନର ଆକ୍ସେସ୍‌ ମାଗିଥାଏ ।  ଅର୍ଥାତ ଆପଣଙ୍କର ବ୍ୟକ୍ତିଗତ ମେସେଜ୍‌ ଏବଂ ବ୍ୟାଙ୍କ ଓଟିପି  ‘ସଞ୍ଚାର ସାଥୀ’ ପଢ଼ିପାରିବ । ଆପଣଙ୍କୁ ଶୁଣି ବି ପାରିବ । ୨୦୨୩ର  ପେଗାସସ୍‌ ସ୍ପାଏୱେର୍‌ ଘଟଣା ମନରୁ ଲିଭିନି । ଏହା ଫୋନ୍‌ ଭିତରକୁ  ପଶି ମେସେଜ୍‌, କ୍ୟାମେରା ଏବଂ ମାଇକ୍ରୋଫାନ୍‌ ଆକ୍ସେସ୍‌ କରିଥିଲା ।  ବିରୋଧୀ ଅଭିଯୋଗ କରୁଛନ୍ତି, ଭାରତ ସରକାର ସାମ୍ବାଦିକମାନଙ୍କୁ  ଟାର୍ଗେଟ କରିବା ପାଇଁ ଯେମିତି ପେଗାସସ୍‌ ସ୍ପାଏୱେର ବ୍ୟବହାର  କରିଥିଲେ, ଏବେ ସମାନ ଫର୍ମୁଲାରେ ସଞ୍ଚାର ସାଥୀ ଆପ୍‌ ଆଣିଛନ୍ତି ।  ସରକାର ଓ ଦୂରସଂଚାର ବିଭାଗ କିନ୍ତୁ ଦାବି କରୁଛନ୍ତି, ଏହି ଆପ୍‌  ଆଦୌ ସ୍ପାଏୱେର ନୁହେଁ । ନାଗରିକମାନଙ୍କୁ ଉତ୍ତମ ସେବା ପ୍ରଦାନ  କରିବାକୁ ସରକାର ଏହାକୁ ପ୍ରଚଳନ କରିଛନ୍ତି ।

ରେକର୍ଡ ଡାଉନଲୋଡ

​​​​​​​

ବିବାଦ ଭିତରେ ନୂଆ ରେକର୍ଡ । କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ  ଦ୍ୱାରା ନାଗରିକଙ୍କ ସୁରକ୍ଷା ପାଇଁ ସାଇବର ସୁରକ୍ଷା ଆପ୍‌ “ସଞ୍ଚାର ସାଥୀ’  ଡାଉନଲୋଡ୍‌ରେ ନୂଆ ରେକର୍ଡ ସୃଷ୍ଟି କରିଛି । ଆପ୍‌ ଡାଉନଲୋଡ୍‌  ସଂଖ୍ୟା ହଠାତ୍‌ ୧୦ ଗୁଣ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଏହା ୬/୭  ଲକ୍ଷକୁ ମଧ୍ୟ ଟପିଛି । ଦେଶର ଦେଢ଼ କୋଟିରୁ ଅଧିକ ଲୋକ ଏହାକୁ  ଡାଉନଲୋଡ଼ କରିଛନ୍ତି । ସରକାର କହୁଛନ୍ତି, ସାଇବର ଠକେଇ ପ୍ରତି  ନାଗରିକଙ୍କ ବଢୁଥିବା ସଚେତନତା ପାଇଁ ଲୋକମାନେ ଆଗ୍ରହର ସହ  ଆପ୍‌ ଆପଣାଉଛନ୍ତି । ବିରୋଧୀ ଖାଲି ଡ୍ରାମା କରୁଛନ୍ତି । ଏପରିକି ବିଶ୍ୱର  ଅଗ୍ରଣୀ ଆଇଓଏସ୍‌ ଏବଂ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ନିର୍ମାତା ଆପଲ୍‌  ଓ ଗୁଗୁଲ୍‌ ଏହାକୁ ବିରୋଧ ମଧ୍ୟ କରିଥିଲେ । ଆପଲ କମ୍ପାନି ଅନ୍ୟ  ଦେଶରେ ଏଭଳି ଆଦେଶ ପାଳନ କରୁନାହିଁ । ଟେଲିକମ୍‌ ବିଭାଗ  ପୂର୍ବ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିଥିଲେ ମଧ୍ୟ ବହୁ ସଂଖ୍ୟାରେ ଲୋକ  ଏହି ଆପକୁ ‘ସାଥୀ’ ଭାବେ ଗ୍ରହଣ କରିଛନ୍ତି । ସରକାରଙ୍କୁ ବିଶ୍ୱାସ  ଓ ଭରସା କରିଛନ୍ତି । ଏହା ହେଉଛି ସରକାରଙ୍କର ସବୁଠାରୁ ବଳି  ବଡ଼ ସଫଳତା । ବିଶେଷଜ୍ଞଙ୍କ ଯୁକ୍ତି, ଭାରତୀୟଙ୍କ ସହ ଧୋକା ନ  ହେଉ । କୌଣସି ପରିସ୍ଥିତିରେ ନାଗରିକଙ୍କ ଗୋପନୀୟତା ଅଧିକାରକୁ  ଗୁପ୍ତଚର ସାଜି ‘ସଞ୍ଚାର ସାଥୀ’ ଛଡ଼ାଇ ନନେଉ । ଅସତ୍ୟ ନୁହେଁ  ସୌଦାଗର, ତୋ ବାକ୍ୟ ତୁହି ରକ୍ଷା କର।