ଭୁବନେଶ୍ୱର, ୨୦/୦୧ : ୨୦୨୧ ମସିହାରେ ବାଲି ହାଇୱା (୧୪ରୁ ୧୬ କ୍ୟୁବିକ୍ ମିଟର) ଦର ଥିଲା ୫ ହଜାର। ଘର ତିଆରି ବା ଅନ୍ୟ ନିର୍ମାଣ କାମ ପାଇଁ ଲୋକ ଏତିକି ଟଙ୍କାରେ ବାଲି ପାଇ ଯାଉଥିଲେ । ଏବେ ବାଲି ଆଉ ବାଲି ହୋଇ ନାହିଁ, ଧଳା ସୁନା ପାଲଟିଛି । ବାଲିର ଏମଏସ୍ପି(ସର୍ବନିମ୍ନ ବିକ୍ରି ମୂଲ୍ୟ) ଆଉ ସରକାର ଧାର୍ଯ୍ୟ କରୁହାନ୍ତି । ନେତା-ମାଫିଆଙ୍କ ସିଣ୍ଡିକେଟ୍ ଧାର୍ଯ୍ୟ କରୁଛି । ସିଣ୍ଡିକେଟ୍ ପାଟିରୁ ଯାହା ବାହାରୁଛି, ଲୋକେ ସେତିକି ଟଙ୍କା ଗଣିବାକୁ ବାଧ୍ୟ ହେଉଛନ୍ତି, ନ ହେଲେ ବାଲି ମିଳୁନି । ଇଏ କେବଳ ଗୋଟିଏ ବାଲି ଘାଟର ହିସାବ ନୁହେଁ । ସବୁ ବାଲି ଘାଟରେ ଦର ଦିନକୁ ଦିନ ବଢ଼ିଚାଲିଛି।
କେଉଁଠି ୬ ହଜାର ତ ଆଉ କେଉଁଠି ୧୮ ହଜାର
ଜିଲ୍ଲା ୱାରି ଦେଖିଲେ ରାୟଗଡ଼ା ଓ ବାରିପଦାରେ ଏବେ ବାଲି ଦର ସବୁଠୁ ଉଚ୍ଚା ରହିଛି । ଏଠାରେ ହାଇୱା ଟ୍ରିପ୍ ଦର ୧୮,୦୦୦ରେ ବିକ୍ରି ହେଉଛି । ସମ୍ବଲପୁରରେ ୧୪ରୁ ୧୮ହଜାର, ନବରଙ୍ଗପୁରରେ ୧୬୦୦୦, ବଲାଙ୍ଗୀରରେ ୧୪୦୦୦, ଝାରସୁଗୁଡ଼ାରେ ୧୨୦୦୦, ଭଦ୍ରକରେ ୧୬୦୦୦, ସୁନ୍ଦରଗଡ଼ରେ ୧୫୦୦୦, ନୂଆପଡ଼ାରେ ୧୫୦୦୦, ଭୁବନେଶ୍ୱରରେ ୧୧୦୦୦, ବାଲେଶ୍ୱର ଜଳେଶ୍ୱରରେ ୧୨ହଜାର, ଗଞ୍ଜାମରେ ୧୪୦୦୦, ଅନୁଗୁଳରେ ୧୪,୫୦୦, ଢେଙ୍କାନାଳ ଓ ବୌଦ୍ଧରେ ୮୦୦୦, ନୟାଗଡ଼ରେ ୯୦୦୦ରେ ବିକ୍ରି ହେଉଛି । ଜଗତ୍ସିଂହପୁରରେ ୬୫୦୦ରୁ ୭୦୦୦ ଓ କଟକରେ ୮୦୦୦ ଟଙ୍କାରେ ବାଲି ପାଉଛନ୍ତି ଲୋକେ । ରାଜ୍ୟରେ ଥିବା ସବୁ ବାଲି ଘାଟ (ଉଭୟ ଲିଜ୍ପ୍ରାପ୍ତ ଓ ବେଆଇନ)କୁ ସିଣ୍ଡିକେଟ୍ ଦ୍ୱାରା ପରିଚାଳିତ ହେଉଛି । ଡିମାଣ୍ଡ୍ ମୁତାବକ ବାଲିର ଦର ଧାର୍ଯ୍ୟ ହେଉଛି। ପ୍ରତି ଜିଲ୍ଲାର ସିଣ୍ଡିକେଟ୍ ବୈଠକରେ ପ୍ରତି ମାସର ବାଲି ଦର ବଦଳୁଛି । ଯିଏ ସିଣ୍ଡିକେଟ୍ ନିୟମ ନ ମାନିଲା, ତାକୁ କଳ ବଳ କୌଶଳ ଲଗାଇ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରାଯାଉଛି । ଅମାନିଆ ଲିଜ୍ଧାରୀଙ୍କ ବାଲି ଘାଟକୁ ବନ୍ଦ ବି କରି ଦିଆଯାଉଛି ।
ପିସି ନେଇ ସମସ୍ତେ ଚୁପ୍
ମିଳିଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ଭିତରେ ବାଲିର ଦର ଆକାଶଛୁଆଁ ହୋଇଛି। ବାଲି ଦର ଧାର୍ଯ୍ୟ ପାଇଁ ଖଣି ବିଭାଗ ଏମଏସ୍ପି ବ୍ୟବସ୍ଥା ଧାର୍ଯ୍ୟ କରିଛି । ବାଲି ଘାଟରେ ବାଲି ଉଠାଇବା ପାଇଁ ହେଉଥିବା ଖର୍ଚ୍ଚକୁ ପ୍ରଥମେ ଆକଳନ କରିବା ବ୍ୟବସ୍ଥା ଅଛି । ଏହାପରେ ଲିଜ୍ଧାରୀ ସରକାରଙ୍କୁ ଦେଉଥିବା ବିଭିନ୍ନ ଦେୟ, ରୟାଲଟି, ଅତିରିକ୍ତ ଶୁଳ୍କ, ଡିଏମ୍ଏଫ, ଇଏମଏଫ, ସରଫେସ୍ ରେଣ୍ଟ ଓ ଅନ୍ୟ ଟିକସକୁ ବିଚାରକୁ ନେଇ ବାଲିର ଏମଏସ୍ପି ବା ବିକ୍ରି ମୂଲ୍ୟ ଧାର୍ଯ୍ୟ କରିବାକୁ ସରକାରୀ ନିୟମ ଅଛି । ଉଭୟ ବାଲି ଉଠାଣ ଖର୍ଚ୍ଚ ଓ ସମସ୍ତ ଟିକସକୁ ମିଶାଇ ଏକ ହାରାହାରି ଆନୁପାତିକ ଖର୍ଚ୍ଚ ହିସାବ ହୁଏ । ଯେତିକି ଖର୍ଚ୍ଚ ବାହାରିବ, ତା ଠାରୁ ସର୍ବାଧିକ ୧୫% ମୂଲ୍ୟରେ ବାଲି ବିକ୍ରି କରିବା ନିୟମ ଅଛି । କିନ୍ତୁ ଏହାଠାରୁ କେଉଁ ଗୁଣା ଅଧିକ ଟଙ୍କାରେ ବାଲି ବିକ୍ରି ହେଉଛି । କିନ୍ତୁ ଖଣି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଯାଞ୍ଚ କରିବା ବଦଳରେ ସୁରକ୍ଷା ଦେଉଛନ୍ତି । ମାସିକିଆ ପିସି ନେଇ ସମସ୍ତେ ଚୁପ୍ ହୋଇ ଯାଉଛନ୍ତି । ବାଲିର କୃତ୍ରିମ ମୂଲ୍ୟ ବୃଦ୍ଧି ପଛରେ ଅନେକ କାରଣ ରହିଛି ।
ନେତା-ମାଫିଆଙ୍କ ବୈଠକରେ ଛିଣ୍ଡୁଛି ବାଲି ଦର
ସବୁଠୁ ବଡ଼ ଆଉ ବିଚଳିତ କରିବା ଭଳି କାରଣ ହେଉଛି, ଏଥିରେ ମାଫିଆଙ୍କ ସଂପୃକ୍ତି ବଢ଼ିଛି । ପୂର୍ବରୁ ସ୍ଥାନୀୟ ଅଞ୍ଚଳର ୧୦ରୁ ୧୫ ଜଣ ଲୋକେ ମିଶି ବାଲି ଘାଟ ନିଲାମ ଧରୁଥିଲେ । ସେମାନେ ନିୟମ ଖିଲାପ କରି ଧାର୍ଯ୍ୟ ସୀମାଠାରୁ ଅଧିକ ବାଲି ଉଠାଉଥିଲେ ସତ, କିନ୍ତୁ ବାଲି ଦର ଅପେକ୍ଷାକୃତ କମ୍ ଥିଲା । କିନ୍ତୁ ଗତ ୩ରୁ ୪ ବର୍ଷ ହେବ ବାଲି ବେପାରକୁ ସିଣ୍ଡିକେଟ୍ ପଶିଆସିଲା । ୪ରୁ ୫ ଜଣ ମାଫିଆ ମିଶି ଜିଲ୍ଲାର ସବୁ ବାମଲି ଘାଟର ନିଲାମକୁ ନିଜ ନିୟନ୍ତ୍ରଣରେ ରଖିଲେ । ପ୍ରଭାବଶାଳୀ ନେତା ପ୍ରଚ୍ଛଦପଟରେ ରହି ସେମାନଙ୍କୁ ସୁରକ୍ଷା ଯୋଗାଇଲେ । ଜିଲ୍ଲାରେ ବାଲି କେତେ ଟଙ୍କାରେ ବିକ୍ରି, ସେମାନେ ସିଧାସଳଖ ଧାର୍ଯ୍ୟ କଲେ । ଫଳରେ ବାଲି ଦର ବଢ଼ିଲା ପଛେ କମିଲାନି । ସାଧାରଣତଃ ବର୍ଷା ଦିନେ ବାଲି ଦର ଅଧିକ ରୁହେ ଓ ଅନ୍ୟ ଦିନ ଦର କମେ । କିନ୍ତୁ ଏବେ ବାଲି ଦର କମିବାର ନାଁ ନେଉନି । ପୁଣି ଲିଜ୍ ହୋଇନଥିବା ବାଲି ଘାଟରୁ ମନଇଚ୍ଛା ବାଲି ଲୁଟ୍ ଚାଲିଲା । ଏହି ସିଣ୍ଡିକେଟ୍ ବେଆଇନ ବାଲିଘାଟରୁ ବି ବେଧଡ଼କ ବାଲି ଚୋରି କଲେ । ସରକାରଙ୍କୁ ଟଙ୍କାଟିଏ ଟିକସ ମିଳିଲାନି, କିନ୍ତୁ କୋଟି କୋଟି ଟଙ୍କାର ଲୁଟ୍ ଚାଲୁଛି । ଆଉ ନେତା-ମାଫିଆଙ୍କ ଏହି ଲୁଟ୍ରେ ପେଶି ହୋଇ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ । ସରକାର ବାଲି ଦରକୁ ନିୟନ୍ତ୍ରଣ କରିବାକୁ ନିକଟରେ ନିୟମ ସଂଶୋଧନ କରିଛନ୍ତି ସତ । କିନ୍ତୁ ଏବେଯାଏ ଏହି ଲୁଟ୍ରେ ରୋକ୍ ଲାଗିପାରିନି । ଏବେ ଗଞ୍ଜାମ ଜିଲ୍ଲାର କିଛି ବାଲି ମାଫିଆଙ୍କ ଘରେ ଇଡି ଚଢ଼ଉ ପରେ ଏ ନେଇ ତନାଘନା ଆରମ୍ଭ ହୋଇଛି । ଲିଜ୍ ଅବଧି ସରିଥିଲେ ମଧ୍ୟ ବାଲି ଉଠାଣ ଚାଲିଥିବାର ଜଣାପଡ଼ିଛି । ଧୀରେ ଧୀରେ ରାଜ୍ୟରେ ବାଲି ଲୁଟ୍ ସମ୍ପର୍କରେ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି ।
ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ଵର ୧ନଂ ହାଟରେ ଭୟାବହ ଅଗ୍ନିକାଣ୍ଡ : ହୁତୁହୁତୁ ହୋଇ ଜଳିଗଲା ୫୦ ଦୋକାନ, ଦୋଷ ଲଦିଲେ ବିଏମସି ମେୟର