ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଋତୁସ୍ରାବ ଅର୍ଥନୀତି

Published By : Rasmita Pradhan | May 28, 2025 2:32 PM

ଋତୁସ୍ରାବ ଅର୍ଥନୀତିର ପରିବେଶଗତ ଦୃଷ୍ଟିକୋଣ ବିଷୟ ମଧ୍ୟ କମ୍‌ ଆଲୋଚିତ । ଭାରତ ବର୍ଷକୁ ୧୨ ବିଲିୟନ ଏକକ ବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍‌ ଉତ୍ପାଦନ କରେ, ସେଥିରୁ ଅଧିକାଂଶ ପ୍ରକୃତିରେ ଅଣ-ଜୈବ ଅପଘଟନଶୀଳ, ଯାହା ସାଧାରଣତଃ ପଲିପ୍ରପିଲିନ୍‌ ଏବଂ ସୁପର ଶୋଷକ ପଲିମର ପାଉଡରରୁ ତିଆରି ହୋଇଥାଏ ।

ଆମେ ପ୍ରାୟତଃ, ଆମର ପାଠ୍ୟପୁସ୍ତକ, ଶ୍ରେଣୀଗୃହ ଆଲୋଚନା ବା ଶିକ୍ଷଣ, ରାଜନୈତିକ ବୈଠକ, ଖବରକାଗଜର ସ୍ତମ୍ଭରେ ଦେଶର ଅର୍ଥନୀତି ବିଷୟରେ ଶୁଣୁ, ପଢ଼ୁ, ଆଲୋଚନା ଓ ସମାଲୋଚନା ମଧ୍ୟ କରୁ। ଏମିତି ଅନେକ ଅର୍ଥନୈତିକ ବିଷୟ ରହିଛି ଯାହା ଆମ ଅର୍ଥବ୍ୟବସ୍ଥା ସହ ଜଡ଼ିତ, ଯାହା ଭିନ୍ନ ମତ ଓ ମନ୍ତବ୍ୟର ଅଧୀନ, ସାମାଜିକ ଗଣାମଧ୍ୟମର ଆକର୍ଷଣ ତଥା ଲେଖକ ବା ନୀତି ନିର୍ଦ୍ଧାରକମାନଙ୍କର ଲକ୍ଷ୍ୟ। ଦେଶର ଅର୍ଥନୀତି ଓ ଅର୍ଥବ୍ୟବସ୍ଥାରେ ଏମିତି ବି ଏକ ବିଷୟ ଅଛି ଯାହା କେବଳ ଶାଢ଼ି କାନି ବା ଚୁନି ତଳେ, ଫୁସ୍‌-ଫୁସ୍‌ କଥାର କ୍ଷୀଣତା ମଧ୍ୟରେ, ସ୍କୁଲ ଓ ପାଠପଢ଼ା ଛାଡ଼ିଦେଉଥିବା ଝିଅଙ୍କ ବ୍ୟଥା ଓ ହରାଉଥିବା ମଜୁରିର ପରିସୀମାରେ ଆବଦ୍ଧ, ଯାହା କ୍ୱଚିତ୍‌ କୌଣସି ଅର୍ଥନୈତିକ ଆଲୋଚନା ପରିସରକୁ ଆସିପାରେ । ତାହା ହେଲା "ଋତୁସ୍ରାବ ଅର୍ଥନୀତି’ ଋତୁସ୍ରାବ, ଲକ୍ଷ ଲକ୍ଷ ମହିଳା ଏବଂ ଝିଅଙ୍କର ଏକ ଦୈନନ୍ଦିନ ବାସ୍ତବତା ଥିଲେ ମଧ୍ୟ ଦେଶର ଆର୍ଥିକ ବ୍ୟବସ୍ଥାରେ ଏହି ପ୍ରଭାବଶାଳୀ ବିଷୟ ସବୁବେଳେ କାହିଁକି ବାଦ୍‌ ପଡ଼ିଯାଏ? କାହିଁକି ଏହା ପାରମ୍ପରିକ ଅର୍ଥନୈତିକ ଯୋଜନାର ଅଂଶ ହୋଇପାରେ ନାହିଁ ? ଋତୁସ୍ରାବ ଭଳି ଏକ ଉତ୍ସବକୁ କିପରି ମିଳିତ ଭାବରେ ସ୍ୱୀକୃତି ଦେଇହେବ ଏବଂ ସମସ୍ତଙ୍କୁ କେମିତି ଅନୁପ୍ରାଣିତ କରିହେବ, ସେହି ଦିଗରେ ଏହି ଲେଖାଟି ଏକ ଛୋଟ ଉଦ୍ୟମ। 

ଋତୁସ୍ରାବ ଯେଉଁଠି ଅସମାନତା, ଅସହାୟତା, ଅସହଯୋଗିତା, ଅସମ୍ଭବତା ଏବଂ ଲଜ୍ଜାକୁ ବର୍ଣ୍ଣନା କରେ, ସେଇଠି "ଋତୁସ୍ରାବ ଅର୍ଥବ୍ୟବସ୍ଥା'ର ବିଶ୍ଳେଷଣ କରିବା ଜରୁରି ହୋଇପଡ଼େ । ମାନବ ପୁଞ୍ଜି ସିଦ୍ଧାନ୍ତ ଢାଞ୍ଚାରେ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିମଳ, ଜଣେ ବ୍ୟକ୍ତିର ଉତ୍ପାଦକତା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଏକ ଅନିବାର୍ଯ୍ୟ ବାସ୍ତବତା। ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍‌ଙ୍କ ମୂଲ୍ୟଭିତ୍ତିକ କ୍ଷମତା ବା ସ୍ୱାଧୀନତା ଦର୍ଶାଏ ଯେ, ବିକାଶ କେବଳ ଆୟ ବୃଦ୍ଧି ନୁହେଁ, ବରଂ ସ୍ୱାଧୀନତା ଏବଂ କାର୍ଯ୍ୟକାରିତାର ସମ୍ପ୍ରସାରଣ ମଧ୍ୟ । ଋତୁସ୍ରାବ ସ୍ୱାସ୍ଥ୍ୟ ସେହି କାର୍ଯ୍ୟଗୁଡିକ ମଧ୍ୟରୁ ଗୋଟିଏ, ଯାହାର ପ୍ରତ୍ୟାଖ୍ୟାନ, ମହିଳାମାନଙ୍କର ପ୍ରକୃତ ସ୍ୱାଧୀନତାକୁ ହ୍ରାସ କରିଥାଏ । ଏହାର ସ୍ପଷ୍ଟ ପ୍ରଭାବ ସତ୍ତେ୍ୱ ମାସିକ ଋତୁସ୍ରାବ ବୃହତ ଅର୍ଥନୈତିକ ଢାଞ୍ଚା, ମୂଲ୍ୟ-ଲାଭ ବିଶ୍ଳେଷଣ ଏବଂ ଶ୍ରମ ଆକଳନରୁ ଅନୁପସ୍ଥିତ । ନାରୀବାଦୀ ଅର୍ଥନୀତିଜ୍ଞମାନେ ମତପୋଷଣ କରନ୍ତି ଯେ, ଅର୍ଥନୀତି ଲିଙ୍ଗ ନିରପେକ୍ଷ ନୁହେଁ, କାରଣ ଲକ୍ଷ ଲକ୍ଷ ମାସିକ ବାସ୍ତବତାକୁ ବିଚାର ନକରି ନୀତିଗୁଡ଼ିକ ପ୍ରଣୟନ କରାଯାଏ । 

ଗ୍ରାମୀଣ ଭାରତରେ ବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଋତୁସ୍ରାବ ଏକ ମାସିକ ଆର୍ଥିକ ବୋଝ । ସାନିଟାରୀ ପ୍ୟାଡ୍‌ ଏତେ ବିଳାସପୂର୍ଣ୍ଣ ଜିନିଷ ଯେ, ଅନେକ ମହିଳା ତାହା କିଣିପାରନ୍ତି ନାହିଁ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ୧୫-୨୪ବର୍ଷ ବୟସର ପ୍ରାୟ ୫୦% ଭାରତୀୟ ମହିଳା ଏବେବି ଋତୁସ୍ରାବ ବେଳେ କପଡ଼ା, ପାଉଁଶ, କୁଟା, ଖବରକାଗଜ, ଶୁଖିଲା ପତ୍ର ଏବଂ ବାଲି ପରି ଅସ୍ୱଚ୍ଛ ବିକଳ୍ପ ଉପରେ ନିର୍ଭର କରନ୍ତି । ଏହା ଏକ ପରିବାରର ମାସିକ ବଜେଟ୍‌ ନିୟନ୍ତ୍ରଣ କରେ, ଯାହା ଖାଦ୍ୟ, ଶିକ୍ଷା ଏବଂ ଏପରିକି ଡାକ୍ତରୀ ପ୍ରାଥମିକତା ଉପରେ ପ୍ରଭାବ ପକାଇଥାଏ । ସାନିଟାରୀ ପ୍ୟାଡ୍‌, ସାଧାରଣତଃ ଅତ୍ୟାବଶ୍ୟକ ପଦାର୍ଥ ତାଲିକାରୁ ବାଦ୍‌ ପଡ଼ିଯାଏ । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ୧୫ରୁ ୨୪ବର୍ଷ ବୟସର କେବଳ ୬୪% ଯୁବତୀ ପ୍ୟାଡ୍‌ ବ୍ୟବହାର କରନ୍ତି । ଗ୍ରାମାଞ୍ଚଳରେ ଏହା ୪୮%କୁ ହ୍ରାସ ପାଇଥାଏ । ଦରିଦ୍ରତମ ଚତୁର୍ଥାଂଶ ପାଇଁ ପ୍ୟାଡ୍‌ ବ୍ୟବହାର, ପାରିବାରିକ ବଜେଟରେ ଖାଦ୍ୟ ଏବଂ ଇନ୍ଧନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥାଏ । ଫଳାଫଳ? ଭାରତରେ ୧୨୧ ନିୟୁତରୁ ଅଧିକ ମହିଳା ଋତୁସ୍ରାବ ବେଳେ ସ୍ୱାସ୍ଥ୍ୟ ବିରୋଧୀ ବିକଳ୍ପ ଉପରେ ନିର୍ଭର କରନ୍ତି, ଯାହା ଅନେକ ରୋଗ ଏବଂ ଏପରିକି ବନ୍ଧ୍ୟାକରଣ ଓ ପ୍ରଜନନ ବ୍ୟାଧିକୁ ଆମନ୍ତ୍ରଣ କରିଥାଏ। 

ପରବର୍ତ୍ତୀ ପର୍ଯ୍ୟାୟରେ ସେଇ ସ୍ୱାସ୍ଥ୍ୟ ବୋଝ ପରିବାର ତଥା ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ ଉପରେ ପଡ଼ିଥାଏ । ଅନେକ ଆଦିବାସୀ ଅଞ୍ଚଳ ଏବଂ ଗ୍ରାମାଞ୍ଚଳରେ, ଋତୁସ୍ରାବର ଆରମ୍ଭ ଶାରୀରିକ ଏବଂ ଆକାଂକ୍ଷାମୂଳକ ବନ୍ଦୀତ୍ୱର ସଙ୍କେତ। ଆଗ୍ରହର ଅଭାବ ଯୋଗୁଁ ନୁହେଁ, ବରଂ ଶୌଚାଳୟ, ପ୍ୟାଡ୍‌ ଏବଂ ଅନ୍ୟାନ୍ୟ ସୁବିଧାର ଅଭାବ ଯୋଗୁଁ ଶ୍ରେଣୀଗୃହ ଖାଲି ପଡ଼ିଯାଏ । ଉପଯୁକ୍ତ ଋତୁସ୍ରାବ ପରିଷ୍କାର ପରିଚାଳନା ସୁବିଧାର ଅଭାବ ଯୋଗୁଁ ପ୍ରତିବର୍ଷ ୨୩ ନିୟୁତ ଝିଅ ସ୍କୁଲ ଛାଡିଦିଅନ୍ତି । ଏହାଛଡ଼ା, ୟୁନିସେଫ ଦ୍ୱାରା କରାଯାଇଥିବା ଏକ ସାମ୍ପ୍ରତିକ ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ ୭୧% କିଶୋରୀ ଝିଅ ସେମାନଙ୍କର ପ୍ରଥମ ଋତୁସ୍ରାବ ନହେବା ପର୍ଯ୍ୟନ୍ତ ଋତୁସ୍ରାବ ବିଷୟରେ ଅଜ୍ଞ ଥାଆନ୍ତି, ଯାହାଫଳରେ ଋତୁସ୍ରାବ ପ୍ରଥମ କରିକି ହେଲେ ସେମାନେ ମାନସିକ ବା ଶାରୀରିକ ଭାବରେ ସ୍ୱୀକାର କରିପାରନ୍ତି ନାହିଁ । ସାମାଜିକ କୁପ୍ରଥା ଏବଂ ଋତୁସ୍ରାବଜନିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଶିକ୍ଷାର ଅଭାବ ହେତୁ, ଭାରତରେ ଅନେକ ଝିଅ ଋତୁସ୍ରାବ ଆରମ୍ଭ ହେଲେ କିମ୍ବା ପ୍ରତି ମାସରେ ଋତୁସ୍ରାବ ଚକ୍ରର ଅବଧି ବେଳେ ସ୍କୁଲ ଓ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଯାନ୍ତି । ଏହି ପରିପ୍ରେକ୍ଷୀରେ ମାସିକ ଋତୁସ୍ରାବ, ଶିକ୍ଷାଗତ ଦାରିଦ୍ର‌୍ୟ ଏବଂ ଆର୍ଥିକ ଦାରିଦ୍ର‌୍ୟରେ ପରିଣତ ହୋଇଯାଏ । ଏହା କେବଳ ନାରୀର ଅଧିକାର ବା ସ୍ୱାଭିମାନକୁ ଆଘାତ ପହଞ୍ଚାଏ ନାହିଁ, ବରଂ ଭାରତର ଭବିଷ୍ୟତ ମୋଟ୍‌ ଘରୋଇ ଉତ୍ପାଦକୁ ମଧ୍ୟ ବ୍ୟାଘାତ କରିଥାଏ। 

ମେନଷ୍ଟ୍ରୁଆଲ୍‌ ହେଲ୍‌ଥ ଆଲାଏନ୍‌ସ ଇଣ୍ଡିଆ ଦ୍ୱାରା ୨୦୨୧ ମସିହାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୬୭% ଅସଙ୍ଗଠିତ ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ସୁରକ୍ଷିତ ଏବଂ ବ୍ୟକ୍ତିଗତ ପରିମଳର ଅଭାବର ସମ୍ମୁଖୀନ ହେଉଥିବା ବେଳେ, ୫୩% ଋତୁସ୍ରାବଜନିତ ଶାରୀରିକ ଅସ୍ୱସ୍ତି ବା ଦୁର୍ବଳତା ହେତୁ ପ୍ରତି ମାସରେ ଅତି କମ୍‌ରେ ଗୋଟିଏ ଦିନ ଛୁଟି ନେଇଥାନ୍ତି । ଯାହାଫଳରେ ମହିଳାଙ୍କ ମଧ୍ୟରେ ଉତ୍ପାଦକତା ହ୍ରାସ ପାଇଥାଏ ଓ ମଜୁରି କାଟ ହୋଇଥାଏ । କୃଷି, ନିର୍ମାଣ ଏବଂ ଘରୋଇ ଶ୍ରମ ଭଳି କ୍ଷେତ୍ରଗୁଡ଼ିକରେ, ଯେଉଁଠାରେ ମଜୁରି ସ୍ୱଳ୍ପ ଏବଂ ସାମାଜିକ ସୁରକ୍ଷା ସର୍ବନିମ୍ନ, ଏହି କ୍ଷତି କେବଳ ମହିଳାଙ୍କ ରୋଜଗାର କ୍ଷମତାରେ ଏକ ପ୍ରତିବନ୍ଧକ ହୁଏନାହିଁ, ବରଂ ଜୀବନଯାପନରେ ଏକ ବାଧକ ସାଜେ । ଏଗୁଡ଼ିକ "ବ୍ୟକ୍ତିଗତ ଛୁଟି’ ଆବରଣ ତଳେ ଛପି ରହିଯାଏ, ଯେତେବେଳେ ପ୍ରକୃତରେ ଏଗୁଡ଼ିକ ନୀତିଗତ ଏବଂ ଭିତ୍ତିଭୂମି ଅବହେଳାର ଏକ ମିଶ୍ରିତ ଫଳାଫଳ । ଏହା ମହିଳା ବା ତାଙ୍କର ସମ୍ପୂର୍ଣ୍ଣ ପରିବାର ପାଇଁ ଏକ "ମାସିକ ଉତ୍ପାଦକତା କର’, ଯାହାର ବୋଝ କୌଣସି ଆଇନ ଦ୍ୱାରା ସୃଷ୍ଟି ହୁଏନାହିଁ, ବରଂ ଋତୁସ୍ରାବ ଭିତ୍ତିଭୂମି, ସହାନୁଭୂତି ଏବଂ ସ୍ପଷ୍ଟ ନୀତିର ଅଭାବ ଯୋଗୁଁ ହୋଇଥାଏ । "ମାସିକ ଉତ୍ପାଦକତା କର’ କେବଳ ନାରୀତ୍ୱ ଉପରେ ନୁହେଁ, ବରଂ ସମଗ୍ର ଦେଶର ଅର୍ଥନୀତି ଉପରେ ଏକ ନିରବ ବୋଝ । ଋତୁସ୍ରାବ ଅର୍ଥନୀତିର ପରିବେଶଗତ ଦୃଷ୍ଟିକୋଣ ବିଷୟ ମଧ୍ୟ ବହୁତ କମ୍‌ ଆଲୋଚିତ । ଭାରତ ପ୍ରତିବର୍ଷ ୧୨ ବିଲିୟନ ଏକକ ବ୍ୟବହାରଯୋଗ୍ୟ ସାନିଟାରୀ ପ୍ୟାଡ୍‌ ଉତ୍ପାଦନ କରେ, ସେଥିମଧ୍ୟରୁ ଅଧିକାଂଶ ପ୍ରକୃତିରେ ଅଣ-ଜୈବ ଅପଘଟନଶୀଳ, ଯାହା ସାଧାରଣତଃ ପଲିପ୍ରପିଲିନ୍‌ ଏବଂ ସୁପର ଶୋଷକ ପଲିମର ପାଉଡରରୁ ତିଆରି ହୋଇଥାଏ । 

ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ,ଏହି ପ୍ରତ୍ୟେକ ସାନିଟାରୀ ପ୍ୟାଡ୍‌ ଚାରିଟି ପ୍ଲାଷ୍ଟିକ୍‌ ବ୍ୟାଗ ସହିତ ସମାନ, ଯାହାକୁ ପଚାଇବାକୁ ୨୫୦-୮୦୦ବର୍ଷ ସମୟ ଲାଗିଥାଏ । ଫଳରେ ସେଗୁଡ଼ିକ ସ୍ଥଳଭାଗ ଏବଂ ସ୍ଥାନୀୟ ଜଳାଶୟରେ ମିଶି ଉଦ୍ଭିଦ ଏବଂ ପ୍ରାଣୀଙ୍କୁ ପ୍ରଦୂଷିତ କରେ । କିଛି ବିଶେଷଜ୍ଞ ଏହା ମଧ୍ୟ ଉଲ୍ଲେଖ କରନ୍ତି ଯେ, ଯେତେବେଳେ ଏହି ପ୍ୟାଡ୍‌ ସଢ଼ିବା ଆରମ୍ଭ କରେ, ସେତେବେଳେ ସେଗୁଡ଼ିକ ଶେଷକୁ ମାଇକ୍ରୋପ୍ଲାଷ୍ଟିକ ହୋଇଯାଏ, ଏବଂ ଏହି ମାଇକ୍ରୋପ୍ଲାଷ୍ଟିକ ମୂର୍ତ୍ତିକା କ୍ଷୟ ଲାଗି ଦାୟୀ । ତେଣୁ ଋତୁସ୍ରାବ କେବଳ ଏକ ସାମାଜିକ ଏବଂ ଆର୍ଥିକ ପଦଚିହ୍ନ ଛାଡ଼ିଯାଏ ନାହିଁ, ବରଂ ଏକ ପାରିବେଶିକ ପଦଚିହ୍ନ ମଧ୍ୟ ଛାଡ଼ିଯାଏ, ଯାହାକୁ ଦେଶର ଅର୍ଥବ୍ୟବସ୍ଥାରେ ସ୍ଥାନ ଦେବା ନିତାନ୍ତ ଜରୁରି । ଓଡ଼ିଶାରେ ‘ଖୁସି ଯୋଜନା' ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମାସିକ ଋତୁସ୍ରାବ ସ୍ୱଚ୍ଛତା ଯୋଜନା ବା ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ମାଧ୍ୟମରେ ସୁଲଭ ସାନିଟାରୀ ପ୍ୟାଡ୍‌ ପ୍ରଦାନ କରାଯାଉଅଛି । ଭାରତର ଟିକସ ନୀତିରେ ସାନିଟାରୀ ଉତ୍ପାଦଗୁଡ଼ିକ ଉପରେ ୧୨% ଜିଏସଟି ଲାଗୁଥିଲା । ୨୦୧୮ ମସିହାରେ "ପ୍ୟାଡ୍‌ ଟିକସ’ ଉଚ୍ଛେଦ କରାଯାଇଥିଲା । ହେଲେ, ଏବେବି ଏ ଦିଗରେ ସଂସ୍କାର ଏବଂ ନବସୃଜନର ଆବଶ୍ୟକତା ରହିଛି । ନୀତିଗତ ବ୍ୟବଧାନ, ଯେପରିକି ପର୍ଯ୍ୟାପ୍ତ ପାଣ୍ଠିର ଅଭାବ, ସୀମିତ ଗ୍ରାମୀଣ ପ୍ରବେଶ, ଜୈବିକ ଉତ୍ପାଦ ପାଇଁ ଜାତୀୟ କାର୍ଯ୍ୟକ୍ରମର ଅଭାବ ଭଳି ଅନେକ ପଦକ୍ଷେପ ବାକି ରହୁଛି । ‘ସ୍ୱଚ୍ଛ ଭାରତ' କିମ୍ବା "ସ୍କିଲ୍‌ ଇଣ୍ଡିଆ' ପରି "ଋତୁସ୍ରାବ ମିଶନ' ହେଉଛି ସମୟର ଆବଶ୍ୟକତା, ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ ଅର୍ଥନୀତିରେ ଏହି ସମସ୍ୟାର ସାମଗ୍ରିକ ସମାଧାନ କରିପାରିବ । 

ଋତୁସ୍ରାବ ଅର୍ଥନୀତି ଏକ ପ୍ରଗତିଶୀଳ ଓ ବହୁ-କ୍ଷେତ୍ରୀୟ ନୀତି ଆବଶ୍ୟକ କରେ, ଯେପରି: ସମ୍ପ୍ରଦାୟ-ଭିତ୍ତିକ ଋତୁସ୍ରାବ ଶିକ୍ଷାକୁ ବୟସ୍କ ସାକ୍ଷରତା କାର୍ଯ୍ୟକ୍ରମ ଏବଂ ସ୍କୁଲ ପାଠ୍ୟକ୍ରମର ଏକୀକରଣ କରିବା, ମହିଳାମାନଙ୍କ ନେତୃତ୍ୱରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସରକାର ସ୍ଥାୟୀ ଏବଂ ଜୈବ-ବିଘଟନଶୀଳ ଋତୁସ୍ରାବ ଉତ୍ପାଦର ଉତ୍ପାଦନ ଏବଂ ବଣ୍ଟନକୁ ପ୍ରୋତ୍ସାହିତ କରିବା, ସ୍ୱଚ୍ଛ ଶୌଚାଳୟ ଏବଂ ଋତୁସ୍ରାବ-ଅନୁକୂଳ କର୍ମକ୍ଷେତ୍ର ନୀତିଗୁଡ଼ିକୁ ବାଧ୍ୟତାମୂଳକ କରିବା, ପ୍ରତ୍ୟେକ ସ୍କୁଲ, କର୍ମକ୍ଷେତ୍ର ଏବଂ ସାର୍ବଜନୀନ କ୍ଷେତ୍ରରେ ଶୌଚାଳୟ, ପାଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା, ଋତୁସ୍ରାବ ସ୍ୱାସ୍ଥ୍ୟ ପରିଚାଳନା ପାଇଁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍ସର୍ଗୀକୃତ ବଜେଟ୍‌ ରେଖା ପ୍ରଚଳନ, ସମସ୍ତ ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା, ପର୍ଯ୍ୟାପ୍ତତା ଏବଂ ଦାୟିତ୍ୱ ସୁନିଶ୍ଚିତ କରିବା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକା ଅଧିକାର ସହିତ ଋତୁସ୍ରାବ ମର୍ଯ୍ୟାଦାକୁ ସଂଯୋଗ କରି ଏହାକୁ ନୀତିଗତ ଆଲୋଚନାରେ ଅବିଭାଜନଯୋଗ୍ୟ କରିବା। 

ଋତୁସ୍ରାବକୁ ଏକ ଅର୍ଥନୈତିକ ସୂଚକ ଭାବରେ ପୁନଃକଳ୍ପନା କରି ଭାରତ ଏକ ନାରୀବାଦୀ ଆର୍ଥିକ ଢାଞ୍ଚାକୁ ଅଗ୍ରଣୀ କରିପାରିବ। ଋତୁସ୍ରାବ ସମାନତାରେ ବିନିଯୋଗ କରିବା କେବଳ ଏକ ସ୍ୱାସ୍ଥ୍ୟଜନିତ ପଦକ୍ଷେପ ନୁହେଁ, ବରଂ ଏହା ଏକ ସାମାଜିକ ଚୁକ୍ତି, ଏକ ସାଂସ୍କୃତିକ ପୁନର୍ଜାଗରଣ ଏବଂ ଏକ ସ୍ଥାୟୀ ବିକାଶ ରଣନୀତି। ଲାଲ ରଙ୍ଗ ଆଉ ନିରବତା ନହେଉ, ବରଂ ଲାଲ ରଙ୍ଗକୁ ନବୀକରଣ, ଅଧିକାର ଏବଂ ସ୍ଥିରତା ପାଇଁ ପୁନଃପରିଭାଷିତ କରି ଆମେ କେବଳ ଏକ କୁତ୍ସିତ ମାନସିକତାରେ ସଂଶୋଧନ ଆଣି ନ୍ୟାୟର ବ୍ୟାକରଣକୁ ପୁନଃ ଲେଖିବାରେ ସଫଳ ହୋଇପାରିବା । ଏହି ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ୨୦୨୫ର ବିଷୟବସ୍ତୁ "୨୦୩୦ ସୁଦ୍ଧା ଋତୁସ୍ରାବକୁ ଜୀବନର ଏକ ସାଧାରଣ ଅଂଶ କରିବା', ବିଶ୍ୱପାଇଁ ଆହ୍ୱାନ, ଯେଉଁଠାରେ ଋତୁସ୍ରାବ ନା କଳଙ୍କର ଉତ୍ସ ହେବ, ନା ସୁଯୋଗ ଓ ପ୍ରଗତି ପାଇଁ ବାଧା ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.