ଭୁବନେଶ୍ୱର,୨୧/୦୭: ‘ହରେ କୃଷ୍ଣ ହରେ ରାମ’କୁ କରାଯାଉଛି ବିକୃତ । ହିନ୍ଦୀ ଗୀତର ତାଳେ ତାଳେ ଏହି ଗୀତ ବୋଲାଯାଉଛି । ଆଶ୍ଚର୍ଯ୍ୟର କଥା ଏହି ଅପଭ୍ରଂଶ ହରେ କୃଷ୍ଣ ହରେ ରାମ ଗୀତ ଗାଇବା ବେଳେ ଏହାର ତାଳେ ତାଳେ କିଛି ଯୁବତୀ ନୃତ୍ୟ ପରିବେଷଣ କରୁଛନ୍ତି । ଏହି ନୃତ୍ୟରେ ମଧ୍ୟ ଆଧୁନିକତାର ସ୍ପର୍ଶ ରହିଛି । ଯାହାକୁ ଦେଖିଲେ ଲାଗୁଛି ଆମ ସଂସ୍କୃତି ଓ ପରମ୍ପରାକୁ କିଭଳି କଦର୍ଯ୍ୟ କରାଯାଉଛି । ହରେ କୃଷ୍ଣ ହରେ ରାମ ଗୀତର ଅପଭ୍ରଂଶ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ରାଗିବା ସହିତ କମେଣ୍ଟ ମାଧ୍ୟମରେ ଗାଳି ଦେଉଛନ୍ତି । କିଏ ଘୋର କଳିଯୁଗ ଲେଖିବା ବେଳେ ଆଉ କିଏ ଏଭଳି ଭଜନର ଅପମିଶ୍ରଣକୁ କିଭଳି ଗ୍ରହଣ କରୁଛନ୍ତି ଲେଖାଯାଇଛି ।
ହିନ୍ଦୀ ଗୀତ ‘ଚୁରାକେ ଦିଲ୍ ମେରା ଗୋରିଆ ଚଲି’ର ଲିରିକ୍ସରେ ହରେ କୃଷ୍ଣ ହରେ ରାମ ଗୀତ ଗାଉଥିବା ଦେଖିବାକୁ ମିଳିଛି । କୌଣସି ଏକ ଗାଁରେ ଅଷ୍ଟପ୍ରହରି କରାଯାଉଥିବା ବେଳେ ଏହି ଗୀତ ପରିବେଷଣ କରାଯାଉଛି । ଜଣେ ପୁରୁଷ ଏହାକୁ ଗାଉଥିବା ବେଳେ ୩ରୁ ଅଧିକ ମହିଳା ନୃତ୍ୟ କରୁଛନ୍ତି । ଗାଁ ଲୋକ ମଧ୍ୟ ଏଭଳି ଏକ କାର୍ଯ୍ୟକ୍ରମ ଦେଖିବା ସହିତ ଭିଡିଓ କରୁଥିବା ଦେଖିବାକୁ ମିଳିଛି ।