ନୂଆଦିଲ୍ଲୀ,୧୬/୧୨ : ବିଭାଜନ ପରଠୁ ପ୍ରଥମ ଥର ପାକିସ୍ତାନରଏକ ବିଶ୍ୱବିଦ୍ୟାଳୟରେ ସର୍ବପ୍ରାଚୀନ ଭାଷା ସଂସ୍କୃତ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଲାହୋର ୟୁନିଭର୍ସିଟି ଅଫ୍ ମ୍ୟାନେଜ୍ମେଣ୍ଟ୍ ସାଇନ୍ସେସ୍(ଏଲ୍ୟୁଏମ୍ଏସ୍) ଏହି ପାଠ୍ୟକ୍ରମ ଆରମ୍ଭ କରିଛି । ଏଥିରେ ବିଦ୍ୟାର୍ଥୀ ମହାଭାରତ ଓ ଗୀତାଭଳି ହିନ୍ଦୁ ମହାକାବ୍ୟ ଅଧ୍ୟୟନ କରିବେ ।

ଏ ନେଇ ବିଶ୍ୱବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଶାହିଦରଶିଦ କହିଛନ୍ତି, ଲୋକେ ମୋତେ ପଚାରୁଛନ୍ତି, ମୁଁ କାହିଁକି ସଂସ୍କୃତ ଅଧ୍ୟୟନ କରୁଛି । ମୁଁ ସେମାନଙ୍କୁ କହୁଛି, କାହଁକି ଅଧ୍ୟୟନ କରିବି ନାହିଁ? ଏହାସମଗ୍ର ଅଞ୍ଚଳକୁ ଯୋଡୁଥିବା ଏକ ଭାଷା । ସଂସ୍କୃତ ବ୍ୟାକରଣ ବିଶାରଦ ପାଣିନୀଙ୍କ ଗାଁ ଏହି ଅଞ୍ଚଳରେ ଥିଲା । ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରେ ଅଧିକାଂଶ ସଂସ୍କୃତ ଲେଖାଯାଇଥିଲା । ସଂସ୍କୃତ ଏକ ପର୍ବତ ଭଳି- ଏକ ସାଂସ୍କୃତିକ ସ୍ମାରକ ।ଏହାକୁ ଆମେ ଅଧ୍ୟୟନ କରିବା ଆବଶ୍ୟକ । ଏହା ଆମର ମଧ୍ୟ । ଏହା କୌଣସି ନିର୍ଦ୍ଦିଷ୍ଟ ଧର୍ମସହ ଜଡ଼ିତ ନୁହେଁ ।

ଗୁରମାନି ସେଣ୍ଟର୍ର ନିର୍ଦ୍ଦେଶକ ଅଲି ଉସ ମାନକାସମି କହିଛନ୍ତି, ବିଦ୍ୱାନ ଜେସିଆର୍ ଉଲନର୍ଙ୍କଦ୍ୱାରା ସଂସ୍କୃତ ତାଳପତ୍ର ପୋଥିର ଏକ ଗୁରୁତ୍ୱପୂର୍ଣ୍ଣ ସଂଗ୍ରହ ୧୯୩୦ ଦର୍ଶକରେ ତାଲିକାଭୁକ୍ତ କରାଯାଇଥିଲା । କିନ୍ତୁ ୧୯୪୭ ମସିହାଠୁ କୌଣସି ପାକିସ୍ତାନୀ ଶିକ୍ଷା ସଂସ୍ଥା ଏହି ସଂଗ୍ରହ ସହିତ ଯୋଡ଼ିହେଲେ ନାହିଁ । କେବଳ ବିଦେଶୀ ଗବେଷକମାନେ ଏହାର ଉପଯୋଗ କରନ୍ତି । ତାଲିମପ୍ରାପ୍ତ ବିଦ୍ୱାନ ଏଥିରେ ପରିବର୍ତ୍ତନ ଆଣିବେ ।ଆଗାମି ୧୦-୧୫ ବର୍ଷରେ ଗୀତା ଓ ମହାଭାରତର ପାକିସ୍ତାନ ବିଦ୍ୱାନଙ୍କୁ ଆମେ ଦେଖିପାରିବା । ବର୍ତ୍ତମାନ ୩ ମାସିଆ ସପ୍ତାହାନ୍ତ କର୍ମଶାଳା ଭାବେ ସଂସ୍କୃତ ପାଠ୍ୟକ୍ରମ ଆରମ୍ଭ ହୋଇଛି । ଭଲ ପ୍ରତିକ୍ରିୟା ମିଳିଲେ, ବିଧିବଦ୍ଧ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମ ଭାବେ ଏହାକୁ ଅଧ୍ୟୟନ କରାଯିବ।