ଭୁବନେଶ୍ୱର ୨୪/୧୧ (ସମ୍ବିତ କୁମାର ବେହେରା): ବର୍ଷେ କି ଦଶ ବର୍ଷ ନୁହେଁ, ୫୦ ବର୍ଷ ବିତିଗଲା । ହେଲେ ନ୍ୟାୟ ମଳିଲାନି । ବୟସ ୩୦ରୁ ୮୦ ରେ ପହଞ୍ଚିଲାଣି । ବୟସର ଅପରାହ୍ଣରେ ପହଞ୍ଚିଥିବା ଜଣେ ବୃଦ୍ଧା ଏବେ ଚାଲିବାକୁ ବି ଅକ୍ଷମ । ତଥାପି ହାର୍ ମାନି ନାହାନ୍ତି । ପରିବହନ ବିଭାଗ ବିରୋଧରେ ଅର୍ଦ୍ଧ ଶତାବ ଧରି ନ୍ୟାୟର ଲଢ଼େଇ ଲଢ଼ୁଛନ୍ତି । ଆଶା ରଖିଛନ୍ତି, ସ୍ୱାମୀଙ୍କ ଦୁର୍ଘଟଣା ବାବଦକୁ କ୍ଷତିପୂରଣ ମିଳିବ ।
ଶାନ୍ତିଲତା ନନ୍ଦ । ଘର କଟକ ଜିଲ୍ଲା ଜଗତପୁର ଥାନା ଅଧୀନ ବହୁଗ୍ରାମର ସିଂହମାପୁର ଗାଁରେ । ଶାନ୍ତିଲତାଙ୍କ ବୟସ ୮୦ ଟପିଲାଣି । ୧୯୭୫ ମସିହାରେ ରାଜଧାନୀରେ ଘଟିଥିବା ଏକ ଛାତିଥରା ଟ୍ରେନ୍-ବସ୍ ଧକ୍କାରେ ତାଙ୍କ ସ୍ୱାମୀଙ୍କ ଜୀବନ ଯାଇଥିଲା । ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆରଟିସି) ସହ ନ୍ୟାୟ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ବି ଗୁହାରି କରିଛନ୍ତି । ହେଲେ, କ୍ଷତିପୂରଣ ରାଶି ବାବଦକୁ ଏଯାବତ୍ ଟଙ୍କାଟିଏ ପାଇନାହାନ୍ତି ।
୧୯୭୫ ମସିହା ଜୁଲାଇ ୨୯ରେ ସତ୍ୟନଗର ରେଳକ୍ରସିଂରେ ଏକ ଦୁର୍ଘଟଣା ଘଟିଥିଲା । ଓଡିଶା ସଡ଼କ ପରିବହନର ଏକ ଯାତ୍ରୀବାହୀ ବସ୍ଟି ରେଳଧାରଣା ଉପରେ ହିଁ ଖରାପ ହୋଇଗଲା । ହାୱଡା-ହାଇଦ୍ରାବାଦ ଯାଉଥିବା ‘ଜନତା ଏକ୍ସପ୍ରେସ’ ଟ୍ରେନ୍ ଉକ୍ତ ବସ୍କୁ ଧକ୍କା ଦେଲା । ଶାନ୍ତିଲତାଙ୍କ ସ୍ୱାମୀ କ୍ଷେତ୍ରବାସୀଙ୍କ ସହ ଶ୍ୟାମସୁନ୍ଦର ରଥ ନାମକ ଅନ୍ୟ ଜଣେ ଯାତ୍ରୀ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ । ଅନ୍ୟ ଜଣେ ଯାତ୍ରୀ ହସ୍ପିଟାଲ ବେଡ୍ରେ ପ୍ରାଣ ହରାଇଲେ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରତର ଆହତ ବି ହେଲେ ।
ମାତ୍ର ୩୦ ବର୍ଷ ବୟସରେ ଶାନ୍ତିଲତାଙ୍କ ମଥାରୁ ସିନ୍ଦୁର ଲିଭିଗଲା । ସେତେବେଳକୁ ତାଙ୍କ ୨ ଜଣ ପୁଅ, ୪ ଜଣ ଝିଅ । ସମସ୍ତେ ନାବାଳକ । କୁନି ପିଲାଙ୍କୁ ପୋଷିବା ଶାନ୍ତିଲତାଙ୍କ ଚିନ୍ତାର କାରଣ ସାଜିଥିଲା । କିନ୍ତୁ ପରିବହନ ବିଭାଗ ପକ୍ଷରୁ ତାଙ୍କୁ ଟଙ୍କାଟିଏ ବି କ୍ଷତିପୂରଣ ମିଳିଲାନି । କୁନି କୁନି ପୁଅ, ଝିଅଙ୍କ ଭବିଷ୍ୟତ ପାଇଁ ଶାନ୍ତିଲତା ପରିବହନ ବିଭାଗ ବିରୋଧରେ ଲଢ଼ିବେ ବୋଲି ପଣ କଲେ ।
ପ୍ରଥମେ ବ୍ରହ୍ମପୁରସ୍ଥିତ ଓଡ଼ିଶା ସଡ଼କ ପରିବହନ (ଓଆର୍ଟି ) ବିରୋଧରେ ତାଙ୍କର ନ୍ୟାୟର ଲଢ଼େଇ ଆରମ୍ଭ ହେଲା । ୧୯୭୬ ମସିହାରେ ସେ ପୁରୀ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ । ୧୯୭୭ ମସିହା ମାର୍ଚ୍ଚ ୩୧ରେ ପୁରୀ ଟ୍ରିବ୍ୟୁନାଲ କେସ ନଂ ୭/୭୬ର ଶୁଣାଣି କରି ଶାନ୍ତିଲତାଙ୍କ ସପକ୍ଷରେ ରାୟ ପ୍ରକାଶ କରିଥିଲେ । ଯଥାଶୀଘ୍ର କ୍ଷତିପୂରଣ ବାବଦକୁ ୩୭,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଲେ । ମାତ୍ରାଧିକ କ୍ଷତିପୂରଣ ଦର୍ଶାଇ ଓଆର୍ଟି ଏହି ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଯାଇଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ସ୍ୱର୍ଗତ ଏଚ୍. ଏନ୍. ଅଗ୍ରୱାଲ ତଳ କୋର୍ଟରେ ମାମଲାର ପୁନଃ ବିଚାର କରିବା ପାଇଁ ନିର୍ଦ୍ଦେଶ ଦେଲେ ।
୧୯୮୯ ଫେବ୍ରୁଆରୀରେ ପୁରୀ ଟ୍ରିବ୍ୟୁନାଲଙ୍କ ରାୟ ମୁତାବକ, ପରିବହନ ବିଭାଗ ପକ୍ଷରୁ ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ୧୯ ହଜାର ୨୦୦ ଟଙ୍କା ଫିକ୍ସ ଡିପୋଜିଟ୍ କରାଯିବ । ୧୯୭୬ ମସିହା ଜାନୁଆରୀ ୧୯ରୁ ରାୟ ପ୍ରକାଶ ଯାଏଁ ସେହି କ୍ଷତିପୂରଣ ରାଶି ବାବଦକୁ ୧୦ ପ୍ରତିଶତ ସୁଧ ଦିଆଯିବ । ରାୟ ପ୍ରକାଶର ୨ ମାସ ଭିତରେ ଯଦି ପୁରୀ ଟ୍ରିବ୍ୟୁନାଲରେ କ୍ଷତିପୂରଣ ଟଙ୍କା ପୈଠ କରାନଯାଏ, ୧୨ ପ୍ରତିଶତ ହିସାବରେ ସୁଧ ଲାଗୁ କରାଯିବ ବୋଲି ନିର୍ଦ୍ଦେଶମାନାରେ ଉଲ୍ଲେଖ ଥିଲା ।
ଏହି ରାୟ ପରେ ଶାନ୍ତିଲତାଙ୍କୁ ଆଶ୍ୱସ୍ତି ମିଳିଲା । ଭାବିଥିଲେ, କ୍ଷତିପୂରଣ ରାଶିରେ ପିଲାମାନଙ୍କ ପେଟ ପୋଷିବେ ବୋଲି । କିନ୍ତୁ, ବର୍ଷ ପରେ ବର୍ଷ ବିତି ଚାଲିଲା । ଶାନ୍ତିଲତା ସାଲେପୁରରୁ ସୁଦୂର ବ୍ରହ୍ମପୁରସ୍ଥିତ ଓଆର୍ଟି ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେ । ଓଆରଟି କର୍ତ୍ତୃପକ୍ଷଙ୍କୁ ଅତିକମ୍ରେ ୪୦ ଥର ଚିଠି ଲେଖିଲେ । ହେଲେ, ଫଳ ଶୂନ । ୟା’ ଭିତରେ ୨୪ ବର୍ଷ ବିତିଗଲା । କଷ୍ଟେମଷ୍ଟେ ପିଲାମାନଙ୍କୁ ମଣିଷ କଲେ ଶାନ୍ତିଲତା । ଝିଅମାନଙ୍କ ବାହାଘର ବୋଝ ବି ତୁଲାଇଲେ । ଅନ୍ୟପଟେ ୨୦୧୩ ମସିହାରେ ଓଆର୍ଟି କର୍ତ୍ତୃପକ୍ଷ କ୍ଷତିପୂରଣ ଦେବନି ବୋଲି ରୋକ୍ଠୋକ ମନା କରିଦେଲା । ଶାନ୍ତିଲତା ଶେଷରେ ଆର୍ଟିଆଇ ଜରିଆରେ ତଥ୍ୟ ମାଗିଲେ । କ୍ଷତିପୂରଣ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ୍ ଓଏସ୍ଆର୍ଟିସିର ଆଇନ୍ ସେକ୍ସନକୁ ଦିଆଯାଇଥିବା ବ୍ରହ୍ମପୁର ଓଆର୍ଟି ପକ୍ଷରୁ ସଫେଇ ଦିଆଗଲା । ଏହା ପରେ କ୍ଷତିପୂରଣ ଆଶାରେ ଶାନ୍ତିଲତା ଓଏସ୍ଆର୍ଟିସି ଅଫିସକୁ ବାରମ୍ବାର ଧାଇଁଲେ । ୨୦୨୩ ମସିହା ଏପ୍ରିଲ ୨୬ ତାରିଖରେ ଓଏସ୍ଆରଟିସି କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିଲେ, ୧୯୭୫ ମସିହା ଜୁଲାଇ ୧୪ ତାରିଖରେ କ୍ଷତିପୂରଣ ବାବଦକୁ ୧୯ ହଜାର ୨୦୦ ଟଙ୍କା ସ୍ୱର୍ଗତ କ୍ଷେତ୍ରବାସୀଙ୍କ ପରିବାରବର୍ଗଙ୍କୁ ଦିଆଯାଇଛି ।
ଶାନ୍ତିଲତା ଅଭିଯୋଗ କରିଛନ୍ତି ଯେ, ଏହି ଧାର୍ଯ୍ୟ ତାରିଖର ୧୫ ଦିନ ପରେ ଅର୍ଥାତ୍ ୧୯୭୫ ମସିହା ଜୁଲାଇ ୨୯ ତାରିଖରେ ସତ୍ୟନଗର ରେଳକ୍ରସିଂ ଦୁର୍ଘଟଣାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା । ପୁରୀ ଟ୍ରିବ୍ୟୁନାଲ ଏହାର ଦୁର୍ଘଟଣାର ୧୪ ବର୍ଷ ପରେ ଅର୍ଥାତ୍ ୧୯୮୯ ମସିହାରେ ୧୯, ୨୦୦ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାର ୧୫ ଦିନ ପୂର୍ବରୁ କେମିତି କ୍ଷତିପୂରଣ ମିଳିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି, ପୁରୀ ଟିବ୍ୟୁନାଲ ଜରିଆରେ ପୈଠ ହୋଇଥିବା କ୍ଷତିପୂରଣ ରାଶି ତାଙ୍କୁ ଏଯାବତ୍ ମିଳିନାହିଁ । ଯଦି କୌଣସି ରାଷ୍ଟ୍ରାୟତ ବ୍ୟାଙ୍କରେ କ୍ଷତିପୂରଣ ରାଶି ଜମା କରାଯାଇଛି । ଏହି ସଂକ୍ରାନ୍ତୀୟ କୌଣସି ବୈଧ ପ୍ରମାଣପତ୍ର କିମ୍ବା ଦସ୍ତାବିଜ୍ ଓଏସ୍ଆରଟିସି କର୍ତ୍ତୃପକ୍ଷ ଦେଇପାରୁନାହିଁ ।