ଜାମଗାଁ, ୨୫/୦୫ (ମହେନ୍ଦ୍ର କୁମାର ସାଏ): ବହିର କେଉଁ ପୃଷ୍ଠାରେ କ’ଣ ରହିଛି ସବୁ ତାଙ୍କ ଜିଭ ଅଗରେ । ଜଟିଳ ଗଣିତ ହେଉ କି ଜ୍ୟାମିତି, କଷ୍ଟକର ଇଂରାଜୀ ଅଥବା ଭାଷା ସାହିତ୍ୟ ସେସବୁ ସାବଲୀଳ ଢଙ୍ଗରେ ବୁଝାଇ ଦିଅନ୍ତି । ପଢ଼ିଛନ୍ତି ମାତ୍ର ନବମ । ଶିକ୍ଷକତା ପାଇଁ ଯୋଗ୍ୟତାର ପ୍ରମାଣ ଖୋଜିଲେ ସେ ଦେଇପାରିବେ ନାହିଁ । ଅଥଚ ଦୀର୍ଘ ୩ ଦଶନ୍ଧି ହେଲା ଗ୍ରାମୀଣ ଆଦିବାସୀ ଇଲାକାରେ ସେ ଜାଳି ଚାଲିଛନ୍ତି ଶିକ୍ଷାର ପ୍ରଦୀପ । ତାଙ୍କ ମାର୍ଗଦର୍ଶନରେ ଶତାଧିକ ପିଲା ଏବେ ଉଚ୍ଚ ପଦପଦବିରେ । ମୋଟା ଅଙ୍କର ଦରମା କମାଉଛନ୍ତି, ସମ୍ମାନ ପାଉଛନ୍ତି । ଯଦି ସେ ଶିକ୍ଷକ ଚାକିରି କରିଥାନ୍ତେ ଏତେ ବେଳକୁ ଅବସର ନେଇସାରନ୍ତେଣି । ହେଲେ ଶିକ୍ଷାଦାନର ଝୁଙ୍କ୍‌ ୭୨ ବର୍ଷରେ ବି ସନ୍ତୋଷ ସାର୍‌ଙ୍କୁ ରାତି ପାହିଲେ ଟାଣିନେଉଛି କଳାପଟା ପାଖକୁ । 

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାବର୍ତ୍ତୀ ୧୯ ଖଣ୍ଡ ମୌଜା ରେମତା ପଞ୍ଚାୟତ କିରିତମାଲ ଗ୍ରାମରେ ସନ୍ତୋଷ ପ୍ରଧାନଙ୍କ ଘର । ଶିକ୍ଷାଗତ ଯୋଗ୍ୟତା ନବମ । ଅବଶ୍ୟ ୧୯୭୧ରେ ନବମ ପାସ୍‌ କରିବା କିଛି କମ୍‌ କଥା ନ ଥିଲା । ସେତେବେଳେ ସାମାନ୍ୟ ଉଦ୍ୟମ କଲେ ମିଳିଯାଉଥିଲା ସରକାରୀ ଚାକିରି । କିନ୍ତୁ ଭାଗ୍ୟ ସାଥ୍‌ ଦେଲାନି । ଆର୍ଥିକ ଅନଟନରେ ଅଧୁରା ରହିଗଲା ଉଚ୍ଚଶିକ୍ଷା ସ୍ୱପ୍ନ । ପାଠପଢ଼ାରେ ଯବନିକା ପଡ଼ିଲା ସତ, ହେଲେ ଅର୍ଥାଭାବରୁ କେହି ଯେପରି ଶିକ୍ଷାଦାନରୁ ବଞ୍ଚିତ ନ ରୁହନ୍ତି ସେ ଲକ୍ଷ୍ୟରେ ଖଡ଼ି ଧରିଲେ ସନ୍ତୋଷ ସାର୍‌ । କିରିତମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ କଲେ ଶିକ୍ଷକତା ଜୀବନ । ପାଲଟିଗଲେ ଅବୈତନିକ ଶିକ୍ଷକ । ସେବେଠାରୁ ଦୀର୍ଘ ୩୩ ବର୍ଷ ହେଲା ବିନା କୌଣସି ପାରିଶ୍ରମିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅବିରତ ଶିକ୍ଷାଦାନ କରି ଆସୁଛନ୍ତି । ଅ..ଆ..ରୁ ଆରମ୍ଭ ହୋଇଥିବା ପାଠପଢ଼ା ଧୀରେ ଧୀରେ ଗଣିତ, ଜ୍ୟାମିତି, ତ୍ରିକୋଣମିତି, ଇଂରାଜୀ, ବିଜ୍ଞାନ ଭଳି ଜଟିଳ ବିଷୟ ଆଡ଼କୁ ବଢ଼ିଗଲା । ନିଜର ଅଧ୍ୟବସାୟ ବଳରେ ଶିକ୍ଷାଦାନରେ ନିପୁଣ ହୋଇଗଲେ ସନ୍ତୋଷ । ଯଦିଓ ଶିକ୍ଷକତା ପାଇଁ ଆବଶ୍ୟକ ସରକାରୀ ଯୋଗ୍ୟତା ତାଙ୍କ ପାଖରେ ନାହିଁ ତଥାପି ଶିକ୍ଷାଦାନ ପ୍ରତି ଶ୍ରଦ୍ଧା ଏବଂ ସମାଜସେବା ମନୋଭାବ କାରଣରୁ ସେ ଦୀର୍ଘ ତିନିଦଶନ୍ଧିରୁ ଅଧିକ ସମୟ ଧରି ଏହି ମହତ୍‌ କାର୍ଯ୍ୟରେ ଯୋଡ଼ି ହୋଇ ରହିଛନ୍ତି । କେବଳ ପାଠପଢ଼ା ନୁହେଁ ପିଲାଙ୍କୁ ନୈତିକ ଶିକ୍ଷା ପ୍ରଦାନ, ସ୍ୱାସ୍ଥ୍ୟ ବିଭାଗର ସଚେତନତା କାର୍ଯ୍ୟକ୍ରମ, ବିବିଧ ସାମାଜିକ କାର୍ଯ୍ୟକ୍ରମରେ ସେ ସାଜିଛନ୍ତି ଆଦର୍ଶ ମାର୍ଗଦର୍ଶକ । 

ସନ୍ତୋଷ ସାର୍‌ଙ୍କ ସରଳ ଜୀବନଶୈଳୀ ମଧ୍ୟ ବେଶ୍‌ ଚର୍ଚ୍ଚିତ । ତାଙ୍କ ପାଦରେ କେବେ ଚପଲ ନ ଥାଏ । ଖାଲି ପାଦରେ ବିଭିନ୍ନ ଗ୍ରାମ ଓ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ଶିକ୍ଷାଦାନ କରିବା ତାଙ୍କ ଦୈନନ୍ଦିନ ଜୀବନର ରୁଟିନ୍‌ ପାଲଟିଛି । ତାଙ୍କ ହାତଗଢ଼ା ଅନେକ ଛାତ୍ରଛାତ୍ରୀ ସମାଜର ପ୍ରତିଷ୍ଠିତ ପଦପଦବିରେ ଅଛନ୍ତି । କନକତୋରା କ୍ଲଷ୍ଟର ସିଆର୍‌ସିସି ଶେଷଦେବ ପ୍ରଧାନ, କତରବଗା କେଏନ୍‌ବି ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋହର ପ୍ରଧାନ, ସରଧା ୟୁପି ସ୍କୁଲ୍‌ର ଶିକ୍ଷୟିତ୍ରୀ ମଧୁସ୍ମିତା ପ୍ରଧାନ, ସେମେଲିଆ ୟୁପି ସ୍କୁଲର ଶିକ୍ଷକ ଚନ୍ଦ୍ରାଜିତ ଭୋଇ, କଣ୍ଢେଇକେଲା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଂଯୁକ୍ତା ଭୋଇ, ବଡ଼ଧରା ହାଇସ୍କୁଲର ଅମିତ ପ୍ରଧାନ, ଅଦିତି ପ୍ରଧାନ, ଝାରସୁଗୁଡ଼ା ଜିଲ୍ଲା ପୁଲିସ୍‌ରେ କାର୍ଯ୍ୟରତ ହାବିଲଦାର ବିଶ୍ୱଜିତ୍‌ ପ୍ରଧାନ, ସେବା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଅନିଲ ବିଶି ପ୍ରମୁଖ ତାଙ୍କ ପୁରାତନ ଛାତ୍ର । ଏହାବାଦ୍‌ ଅନେକ ମେଧାବୀ ସେ ତାଙ୍କ ହାତରେ ଗଢ଼ିଛନ୍ତି । ସେମାନଙ୍କ ମଧ୍ୟରୁ କିଏ ପୁଲିସ୍‌ ତ କିଏ ଇଞ୍ଜିନିୟର, କିଏ ରାଷ୍ଟ୍ରାୟତ୍ତ କମ୍ପାନିରେ କାର୍ଯ୍ୟରତ ତ ଆଉ କିଏ ସେନାବାହିନୀ ପଦସ୍ଥ କର୍ମଚାରୀ । 

ସନ୍ତୋଷ ସାର୍‌ଙ୍କ ଦୁଇ ଭାଇ । ପୈତୃକ ଜମି ବଣ୍ଟା ହେବା ପରେ ଭାଗରେ ପଡ଼ିଛି ୯୦ ଡିସିମିଲ । ସ୍ତ୍ରୀ ଶୋଭାବତୀ, ବଡ଼ପୁଅ ଶ୍ରୀମୁଖ, ପୁତ୍ରବଧୂ ରାଜେଶ୍ୱରୀ, ଦୁଇ ନାତିନାତୁଣୀ ଏବଂ ସାନପୁଅ ବ୍ୟାସଦେବଙ୍କୁ ନେଇ ତାଙ୍କର ପରିବାର । ବଡ଼ପୁଅ ଚାଷବାସ କରନ୍ତି । ନାତି ଅଜୟ ଏମ୍‌ଏ ପଢିଛନ୍ତି । ନାତୁଣୀ ନନ୍ଦିନୀ ସଦ୍ୟ ସମାପ୍ତ ଯୁକ୍ତ ଦୁଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ସାନପୁଅ ବ୍ୟାସଦେବ କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଯୋଜନା ଓ ପର୍ଯ୍ୟଟନ ବିଭାଗରେ ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାର୍ଯ୍ୟରତ । ସନ୍ତୋଷ ସାର୍‌ଙ୍କ ଜୀବନ ସଂଘର୍ଷମୟ । ପ୍ରତିକୂଳ ସ୍ଥିତିରେ ମଧ୍ୟ ନିଜ ଦାୟିତ୍ୱରୁ ସେ କେବେ ପଛକୁ ହଟିନାହାନ୍ତି । ବିଦ୍ୟାଳୟର ବିଭିନ୍ନ ଉତ୍ସବକୁ ଆସୁଥିବା ସରକାରୀ ବାବୁମାନେ ସନ୍ତୋଷ ସାରଙ୍କ ମହାନ୍‌ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରନ୍ତି ।

ଏହି ଖବରଟିକୁ ପଢନ୍ତୁOllywood Industry: ବାଃରେ ଓଡ଼ିଆ ଫିଲ୍ମ... ବାଃ... କି ଭାଗ୍ୟ ତୋ’ର, ତିନି ଘର କୁଣିଆ, ତଥାପି ଓପାସ