ନୂଆଦିଲ୍ଲୀ, ୭।୧: ଜଣେ ପାକିସ୍ତାନୀ ପୁରୁଷଙ୍କୁ ବିବାହ କରିଥିଲେ ଭାରତୀୟ ମହିଳା । ସରବଜିତ୍ ସିଂହ କୌରରୁ ନାଁ ପରିବର୍ତ୍ତନ କରି ହୋଇଥିଲେ ନୁର୍ । ସରବଜିତ୍ ଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଲାହୋରର ଏକ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୱାଘା ସୀମାରେ ତଦନ୍ତ ଶେଷ ହେବା ପରେ ସରବଜିତ୍ ଙ୍କୁ ପ୍ରଥମେ ଭାରତ ଫେରାଇ ଆଣିବାକୁ ଯୋଜନା କରାଯାଇଥିଲା । କିନ୍ତୁ, ତାଙ୍କ ଡକ୍ୟୁମେଣ୍ଟରେ ତ୍ରୁଟି ଯୋଗୁଁ ଭାରତ ଫେରିବାରେ ବାଧା ଉପୁଜିଥିଲା । ଭାରତୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ।
ମଙ୍ଗଳବାର ସରବଜିତ୍ଙ୍କୁ ଲାହୋର ଦାର୍-ଉଲ-ଅମନ ଅଞ୍ଚଳକୁ ପଠାଯାଇଛି । ଅଧିକାରୀମାନେ ତାଙ୍କ ଆଇନଗତ ଓ ପ୍ରଶାସନିକ ସ୍ଥିତି ବିଷୟରେ ଆଲୋଚନା କରୁଛନ୍ତି । ତାଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ । ଏହି ସମୟରେ ପଞ୍ଜାବ ହାଇକୋର୍ଟରେ ସରବଜିତ୍ ଙ୍କୁ ପ୍ରତିନିଧିତ୍ୱ କରୁଥିବା ଓକିଲ ଅଲି ଚଙ୍ଗେଜି ସିନ୍ଧୁ କହିଛନ୍ତି ଯେ, ମାମଲାଟି ଏବେ ବି କୋର୍ଟରେ ବିଚାରଧିନ ଅଛି । ଡିସେମ୍ୱର ୫ ତାରିଖରେ ଏକ ଶୁଣାଣି ସମୟରେ ଜଷ୍ଟିସ୍ ଫାରୁକ ହାଇଦର କ୍ୟାବିନେଟ୍ ଡିଭିଜନ୍, ପଞ୍ଜାବ ପୁଲିସ ମହାନୀରିକ୍ଷକ, କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂସ୍ଥାଗୁଡ଼ିକଠାରୁ ରିପୋର୍ଟ ମାଗିଥିଲେ ।
ସରବଜିତ୍ କୌର ପାକିସ୍ତାନରେ ବିବାହ କରିବାର ମାମଲା ଲାହୋର ହାଇକୋର୍ଟରେ ପହଞ୍ଚିଥିଲା । ପାକିସ୍ତାନରେ ଶିଖ୍ ସମୁଦାୟର ଜଣେ ପୂର୍ବ ବିଧାୟକ ମହେନ୍ଦର ପାଲ୍ ସିଂହ କୋର୍ଟରେ ଏକ ଯାଚିକା ଦାୟର କରିଥିଲେ । ଏହି ଯାଚିକାରେ ସରବଜିତ୍ କୌରଙ୍କୁ ଗିରଫ କରି ଭାରତ ପଠାଇବାକୁ ଦାବି କରିଥିଲେ । କୋର୍ଟରେ କୁହାଯାଇଥିଲା ଯେ, ସରବଜିତ୍ କୌରଙ୍କ ପାକିସ୍ତାନରେ ରହିବା ଲାଗି ଭିସା ଅବଧି ଶେଷ ହୋଇଛି । ଏହା ପରେ ମଧ୍ୟ ସା ପାକିସ୍ତାନରେ ରହିଛନ୍ତି, ସେ ଦେଶର ସୁରକ୍ଷା ପାଇଁ ବିପଦ । ସେ ସନ୍ଦିଗ୍ଧ ଗତିବିଧିରେ ସାମିଲ ଥାଇପାରନ୍ତି । ଅନ୍ୟପଟେ ସରବଜିତ୍ ଓ ନାସିର ହୁସେନ ମଧ୍ୟ କୋର୍ଟରେ ଯାଚିକା ଦାୟର କରିଥିଲେ, ଯେଉଁଥିରେ ପାକିସ୍ତାନ ପୁଲିସ ଓ ଅଧିକାରୀ ତାଙ୍କୁ ଲଗାତାର ହଇରାଣ କରୁଥିବା ଉଭୟେ ଅଭିଯୋଗ କରିଥିଲେ ।
କହିରଖୁଛୁ ଯେ, ସରବଜିତ୍ ଗତ ନଭେମ୍ୱର ମାସ ୪ ତାରିଖରେ ଶୀଖ୍ ତୀର୍ଥଯାତ୍ରୀଙ୍କ ଏକ ଦଳ ସହିତ ଭାରତରୁ ପାକିସ୍ତାନ ପଳାଇଥିଲେ । ସେହି ତୀର୍ଥଯାତ୍ରୀ ଦଳ ସହିତ ଭାରତ ଫେରିବା ପରିବର୍ତ୍ତେ ସେ ପାକିସ୍ତାନରେ ହିଁ ରହିଲେ । ପରେ ସେ ଇସଲାମ ଧର୍ମ ଗ୍ରହଣ କଲେ ଏବଂ ଶେଖପୁରା ବାସିନ୍ଦା ନାସିର ହୁସେନଙ୍କୁ ବିବାହ କଲେ । ଶିଖ ସମ୍ପ୍ରଦାୟରୁ ଅଲଗା ହୋଇ ବିବାହ କରିଥିବା ମହିଳାଙ୍କୁ ଭାରତ ପଠାଇବାକୁ ପୂର୍ବରୁ ପାକିସ୍ତାନର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ, ପାକିସ୍ତାନ ପୋଲିସ ତାଙ୍କୁ ଠାବ କରିଥିଲା । ସୂଚନାନୁଯାୟୀ, ସରବଜିତ୍ ପ୍ରଥମେ ୨୦୧୬ ମସିହାରେ ସୋସିଆଲ ମିଡିଆ ମାଧ୍ୟମରେ ହୁସେନଙ୍କ ସହ ଯୋଗାଯୋଗ କରିଥିଲେ । ଯାହା ପରେ ଏହା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ବିବାହ ପରେ ସେ ତାଙ୍କ ନାମ ପରିବର୍ତ୍ତନ କରି ନୁର୍ ରଖିଥିଲେ । ସରବଜିତ ପାକିସ୍ତାନରେ ଥିବା ଜଣାପଡ଼ିଥିଲା । ପରେ ଏହି ଘଟଣାଗୁଡ଼ିକ ସରକାରୀ ତଦନ୍ତର ଅଂଶ ହେଲା । ତାଙ୍କ ଓକିଲ ଅହମ୍ମଦ ହସନ ପାଶା କହିଥିଲେ ୧୯୪୬ ମସିହାର ବିଦେଶୀ ଆଇନ ଅନୁଯାୟୀ, ସରବଜିତ୍ ପାକିସ୍ତାନରେ ରହିବାକୁ ଅନୁମତି ଦିଆଯାଇନଥିଲା, ତେଣୁ ତାଙ୍କୁ ଭାରତ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ପରେ ସେ ସ୍ପାଉସ୍ ଭିସା ମାଧ୍ୟମରେ ପାକିସ୍ତାନକୁ ଫେରିପାରିବେ ଏବଂ ସ୍ଥାୟୀ ବସବାସ କରିବାକୁ ଆବେଦନ କରିପାରିବେ ।