ପୁରୀ,୧୭/୦୭: ଶରଧାବାଲି ଦଳାଚକଟା ମାମଲାରେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ୟରତ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ବୟାନ ରେକର୍ଡ ହୋଇଛି । ବୁଧବାର ସର୍କିଟ ହାଉସ ସମ୍ମିଳନୀ  କକ୍ଷରେ ମାମଲାର ତଦନ୍ତକାରୀ ଅଧିକାରୀ ତଥା  ଉନ୍ନୟନ କମିଶନର ଅନୁ ଗର୍ଗ ମୋଟ ୪୨ ଜଣଙ୍କ  ବୟାନ ରେକର୍ଡ କରିଛନ୍ତି । ଇଣ୍ଟିଗ୍ରେଟେଡ୍‌ କମାଣ୍ଡ  ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି)ରେ ମୁତୟନ  ଥିବା ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ସର୍କିଟ  ହାଉସ୍‌ରେ ସେମାନଙ୍କ ବୟାନ ରଖିଥିଲେ । 

ଅଦ୍ୟାବଧି ତଦନ୍ତକାରୀ ଅଧିକାରୀ ଭୁବନେଶ୍ୱରରେ  ଗୋଟିଏ ଓ ପୁରୀ ସର୍କିଟ ହାଉସ୍‌ଠାରେ ୩ଟି  ତଦନ୍ତ କମିଟି ବୈଠକ କଲେଣି । ଘଟଣା ସମୟର  ପ୍ରତ୍ୟକ୍ଷଦର୍ଶୀ ବା ଏ ବାବଦରେ ଘଟଣାସ୍ଥଳରେ ଥିବା  ସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କ ସମେତ ଡ୍ୟୁଟିରେ  ମୁତୟନ ବିଭିନ୍ନ ବିଭାଗର ଅଧିକାରୀଙ୍କ ବୟାନ  ନେଇଛନ୍ତି । ମାସକ ଭିତରେ ତଦନ୍ତ ପ୍ରକ୍ରିୟା ସାରିବାକୁ  ସରକାର ତଦନ୍ତକାରୀ ଅଧିକାରୀଙ୍କୁ ସମୟ ଦେଇଛନ୍ତି ।  

୩ ରଥ ସୁରକ୍ଷା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରାଶାସନିକ  ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ,  ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ବରିଷ୍ଠ ପୁଲିସ ଅଧିକାରୀ  ପ୍ରମୁଖ ଦାୟିତ୍ୱରେ ଅବହେଳା କରିଛନ୍ତି ବୋଲି ପ୍ରଶ୍ନ  ଉଠିଥିଲା । ରାଜ୍ୟ ସରକାର ଘଟଣାର ତଦନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଶାସନ ପାଖରେ ଘଟଣା ସମୟର  ସିସିଟିଭି ଫୁଟେଜ୍‌ ଥିବାସତ୍ତେ୍ୱ ଖିଲାପ କରିଥିବା ସମସ୍ତ  ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ହୋଇନଥିବା ଅଭିଯୋଗ ହୋଇଆସୁଛି।