ନୂଆଦିଲ୍ଲୀ, ୨୧।୧: ନୋଏଡ଼ା ସେକ୍ଟର-୧୫୦ରେ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେତାଙ୍କ ମୃତ୍ୟୁ ଘଟଣା । ଯାହା କେବଳ ଏକ ସଡ଼କ ଦୁର୍ଘଟଣା ନୁହେଁ, ବରଂ ବର୍ଷରୁ ବର୍ଷ ଧରି ଚାଲିଆସୁଥିବା ପ୍ରଶାସନିକ ଅବହେଳାର ଏକ ବଡ଼ ଉଦାହରଣ । ଗୁଗୁଲ ଅର୍ଥର ସାଟେଲାଇଟ୍ ଚିତ୍ର ଏବେ ସେହି ସତ୍ୟକୁ ସାମ୍ନାକୁ ଆଣିଛି, ଯାହାକୁ ପ୍ରଶାସନ, ଅଧିକାରୀ ଓ ସମ୍ପୃକ୍ତ ବିଭାଗ ଅଣଦେଖା କରିଛନ୍ତି । ସାଧାରଣ ଲୋକ ଯେଉଁ ଚିତ୍ରକୁ ଗୋଟିଏ କ୍ଲିକ୍ରେ ଦେଖିପାରୁଛନ୍ତି, ସେଥିରେ ସ୍ପଷ୍ଟ ଭାବେ ଦିଶୁଛି ଯେ, ଯେଉଁ ଗଭୀର ଗାତରେ ଯୁବରାଜଙ୍କ ଗାଡ଼ି ପଡ଼ିଥିଲା, ସେଠାରେ ୨୦୨୧ ଶେଷ ବେଳକୁ ଲଗାତାର ପାଣି ଭରି ରହୁଥିଲା । ତିନି ବର୍ଷରୁ ଅଧିକ ସମୟ ଧରି ଏହା ଖୋଲା, ଅସୁରକ୍ଷିତ ଥିଲା ।
ସାଟେଲାଇଟ୍ ଚିତ୍ରରୁ ?
ପିଟିଆଇର ଏପ୍ରିଲ ୨୦୦୯ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଗୁଗୁଲ୍ ଆର୍ଥ ସାଟେଲାଇଟ୍ ଇମେଜେରୀ ସମୀକ୍ଷାରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଏହି ଅଞ୍ଚଳ ଚାଷ ଜମି ଥିଲା । ଚିତ୍ରଗୁଡ଼ିକରେ ସ୍ପଷ୍ଟ ଭାବରେ ଫସଲ ଏବଂ ଜଳସେଚନ ଲାଇନ ଦେଖାଉଛି । ୨୦୧୬-୧୭ରେ, ସ୍ପୋର୍ଟସ୍ ସିଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ପରେ ପରେ ଜମି ବ୍ୟବହାର ବଦଳିଲା, ବ୍ୟାପକ ଖନନ ଆରମ୍ଭ ହୋଇଥିଲା । ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସାଟେଲାଇଟ୍ ଚିତ୍ରରେ କୌଣସି ଜଳବନ୍ଦୀ ଦେଖାଉନାହିଁ । ନଭେମ୍ବର ୨୦୨୧ର ସାଟେଲାଇଟ୍ ଚିତ୍ର ପ୍ରଥମ ଥର ପାଇଁ ପାଣିରେ ଭର୍ତ୍ତି ହୋଇଥିବା ଗାତକୁ ଦେଖାଉଛି । ୨୦୨୨, ୨୦୨୩ ଏବଂ ୨୦୨୪ର ପରବର୍ତ୍ତୀ ଚିତ୍ରଗୁଡ଼ିକରେ ଖରାପ ସ୍ଥିତି ଦେଖାଯାଉଛି । ଏସବୁରୁ ପ୍ରମାଣିତ ହୁଏ ଯେ, ଏହି ସ୍ଥାନଟି ଦୀର୍ଘ ସମୟ ଧରି ପରିତ୍ୟକ୍ତ ରହିଛି । ମାର୍ଚ୍ଚ ୨୦୨୫ର ସଦ୍ୟତମ ସାଟେଲାଇଟ୍ ଫଟୋରେ ମଧ୍ୟ ଗାତଟି ବିନା ମରାମତିରେ ସେହିଭଳି ପଡ଼ି ରହିଛି । ଏହା ପାଣିରେ ପରିପୂର୍ଣ୍ଣ, ଏହାର ଚାରିପାଖ ଅବ୍ୟବସ୍ଥିତ । ଅନ୍ୟପଟେ ଏହାର ସଂଲଗ୍ନ ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ବିକଶିତ ଦେଖାଯାଉଛି ।
ଜାନୁଆରୀ ୧୭ ତାରିଖ ଅପରାହ୍ନ ୧୨ଟା ସମୟରେ ଘଚିଥିଲା ବଡ଼ ଦୁର୍ଘଟଣା । ଗୁରୁଗ୍ରାମରୁ ଘରକୁ ଫେରୁଥିବା ସମୟରେ ୨୭ ବର୍ଷୀୟ ଯୁବରାଜ ମେହେତାଙ୍କ କାର୍ ସେକ୍ଟର-୧୫୦ରେ ଏକ ରାସ୍ତାକଡ଼ରେ ଥିବା ଡ୍ରେନ୍ ପାର୍ ହୋଇ ସିଧା ସ୍ପୋର୍ଟସ୍ ସିଟି ପ୍ଲଟ୍ ନମ୍ବର ୨ର ପ୍ଲଟ୍ A-୩ ରେ ଥିବା ଗଭୀର ପାଣିଭରା ଗାତରେ ପଡ଼ିଥିଲା । କିଛି ମୁହୂର୍ତ୍ତରେ କାର୍ଟି ପାଣିରେ ବୁଡ଼ିଯାଇଥିଲା । ଯୁବରାଜ ତୁରନ୍ତ ତାଙ୍କ ବାପାଙ୍କୁ ଫୋନ୍ କରି ଜଣାଇଲେ । ତାଙ୍କ ବାପା ପୁଲିସକୁ ଖବର ଦେଇଥିଲେ । କିଛି ମିନିଟ୍ ମଧ୍ୟରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଅନ୍ୟାନ୍ୟ ବିଭାଗର ଦଳ ପହଞ୍ଚିଲେ, କିନ୍ତୁ କେହି ପାଣି ଭିତରକୁ ପ୍ରବେଶ କରିବାକୁ ରାଜି ନଥିଲେ । ଯୁବରାଜ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । ଶେଷରେ ପାଣିରେ ବୁଡ଼ି ଯୁବରାଜଙ୍କର ମୃତ୍ୟୁ ହୋଇଥିଲା ।
ମଙ୍ଗଳବାର ବିଳମ୍ବିତ ରାତିରେ, ଗୌତମ ବୌଦ୍ଧ ନଗରର ସାଂସଦ ଡକ୍ଟର ମହେଶ ଶର୍ମା ମୃତ ଯୁବରାଜ ମେହେତାଙ୍କ ବାପା ରାଜକୁମାର ମେହେତାଙ୍କ ଘରକୁ ଯାଇଥିଲେ । ପରେ ଗଣମାଧ୍ୟମ ସହିତ ଆଲୋଚନା କରି ଯୁବରାଜଙ୍କ ବାପା କହିଥିଲେ ଯେ ସରକାରଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଏକ SIT ଗଠନ ଏବଂ ଅଧିକାରୀମାନଙ୍କୁ ନିଲମ୍ବନ କରିବା କିଛିଟା ଶାନ୍ତ୍ୱନା ଦେଇଛି । ସେ ଏବେ ଅନୁଭବ କରୁଛନ୍ତି ଯେ, ତାଙ୍କ ପୁଅର ଆତ୍ମା ନ୍ୟାୟ ପାଇବ ।
ପ୍ରଥମ ଗିରଫଦାରୀ: ୭୨ ଘଣ୍ଟା ପରେ ବିଲ୍ଡର ଅଭୟ କୁମାର ଗିରଫ
ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ନଲେଜ୍ ପାର୍କ କୋତୱାଲି ପୁଲିସ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହେତାଙ୍କ ମୃତ୍ୟୁ ମାମଲାରେ ବେଷ୍ଟଟାଉନ୍ ପ୍ଲାନର୍ସ ପ୍ରାଇଭେଟ୍ ଲିମିଟେଡ୍ ନିର୍ଦ୍ଦେଶକ ଏବଂ ବିଲ୍ଡର ଅଭୟ କୁମାରଙ୍କୁ ନୋଏଡାର ସେକ୍ଟର ୧୫୦ରୁ ଗିରଫ କରିଛି । ଗିରଫ ହେବା ପରେ ଅଭିଯୁକ୍ତ ବିଲ୍ଡରଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଘଟଣାର ପ୍ରାୟ ୨୪ ଘଣ୍ଟା ପରେ ପୁଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଥିଲା, କିନ୍ତୁ ପ୍ରଥମ ଗିରଫଦାରୀ ୭୨ ଘଣ୍ଟା ପରେ ହୋଇଥିଲା । ଏହି ଗିରଫଦାରୀ ମଧ୍ୟ ପ୍ରଶ୍ନ ଉଠାଇଛି, କିନ୍ତୁ ପୋଲିସ କହିଛି ଯେ, ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।