ଚେନ୍ନାଇ ୦୭/୦୪: ତାମିଲନାଡୁର ମଦୁରାଇ ସେସନ୍ସ କୋର୍ଟ ସୋମବାର ବହୁଚର୍ଚ୍ଚିତ ତୁତିକୋରିନ୍ ଜିଲ୍ଲା ସଥାନକୁଲମ୍ ହାଜତ ମୃତ୍ୟୁ ମାମଲାରେ ବଡ଼ ଆଦେଶ ଦେଇଛନ୍ତି । କୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣ ପୁଲିସ କର୍ମୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ସମୟରେ କୋର୍ଟ ଏହାକୁ ବିରଳରୁ ବିରଳତମ ମାମଲା ଦର୍ଶାଇଛନ୍ତି । ଏହା ଅତ୍ୟଧିକ ବର୍ବରତା ଏବଂ କ୍ଷମତାର ଦୁରୁପଯୋଗ ମାମଲା ବୋଲି କହିଛନ୍ତି । ଏଥିସହ ମୃତକଙ୍କ ପରିଜନଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦୋଷୀମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାଟି ଏହିପରି । କୋଭିଡ୍-୧୯ ଲକଡାଉନ୍ ବେଳେ ଧାର୍ଯ୍ୟ ସମୟ ପରେ ବି ଦୋକାନ ଖୋଲା ରଖିବା ଅଭିଯୋଗରେ ୨୦୨୦ ଜୁନ୍ ୧୯ ତାରିଖ ସନ୍ଧ୍ୟାରେ ସଥାନକୁଲମ୍ ପୁଲିସ ମୋବାଇଲ୍ ବ୍ୟବସାୟୀ ପି. ଜୟରାଜ(୫୯) ଏବଂ ତାଙ୍କ ପୁଅ ଜେ. ବେନିକ୍ସ(୩୧)ଙ୍କୁ ଅଟକ ରଖିଥିଲା । ଉଭୟଙ୍କୁ ସଥାନକୁଲମ ଥାନାକୁ ନିଆଯାଇଥିଲା । ରାତିରେ ପୁଲିସକର୍ମୀ ସେମାନଙ୍କୁ ନିର୍ଧୁମ ପିଟିଥିଲେ । ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । ପରଦିନ ସେମାନଙ୍କୁ କୋଭିଲପାଟ୍ଟି ଉପକାରାଗାରକୁ ନିଆଯାଇଥିଲା । ଗୁରୁତର ଆହତ ହୋଇଥିବା ବେନିକ୍ସ ଜୁନ୍ ୨୨ରେ କୋଭିଲପାଟ୍ଟି ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଥିଲେ ।
ଜୁନ୍ ୨୩ରେ ବାପା ଜୟରାଜଙ୍କ ମୃତ୍ୟୁ ଘଟିଥିଲା । ହାଜତରେ ପୁଲିସ ଅତ୍ୟାଚାରରେ ଉଭୟଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ ପ୍ରଦର୍ଶନ ହେବାରୁ ମାଡ୍ରାସ ହାଇକୋର୍ଟ ସେହିବର୍ଷ ଜୁନ୍ ୨୪ରେ ଏ ସଂପର୍କରେ ସ୍ୱତଃ ସଂଜ୍ଞାନ ନେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସିବିଆଇକୁ ମାମଲା ହସ୍ତାନ୍ତର କରାଯାଇଥିଲା । ସିବିଆଇ ଏହି ମାମଲାରେ ଇନ୍ସପେକ୍ଟର ଏସ୍. ଶ୍ରୀଧର, ସବ୍ ଇନ୍ସପେକ୍ଟର କେ ବାଲାକ୍ରିଷ୍ଣନ୍, ପି ରଘୁ ଗଣେଶ, ପାଲଦୁରାଇ, ହେଡ୍ କନ୍ଷ୍ଟେବଳ ଏସ୍ ମୁରୁଗାନ, ଏ ସମାଦୁରାଇ, ୪ ଜଣ କନ୍ଷ୍ଟେବଳ ଏମ୍ ମୁଥୁରାଜ, ଏସ୍ ଚେଲାଦୁରାଇ, ଏକ୍ସ ଥୋମାସ୍ ଫ୍ରାନସିସ୍ ଏବଂ ଏସ୍ ବାଲିମୁଥଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଥିଲା । ପରବର୍ତ୍ତୀ ସମୟରେ ଜଣେ ଅଭିଯୁକ୍ତ ସବ୍ ଇନ୍ସପେକ୍ଟର ପାଲଦୁରାଇ ୨୦୨୦ ଅଗଷ୍ଟରେ କୋଭିଡ୍ରେ ପ୍ରାଣ ହରାଇଥିଲେ । ସିବିଆଇ ସେହିବର୍ଷ ସେପ୍ଟେମ୍ବର ୨୫ରେ ବାକି ୯ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ପ୍ରାୟ ୬ ବର୍ଷ ଧରି ମାମଲାର ଶୁଣାଣି ଚାଲିଥିଲା । ଶେଷରେ କୋର୍ଟ ଗତ ମାର୍ଚ୍ଚ ୨୩ ତାରିଖରେ ଏହି ଡବଲ ମର୍ଡର ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ଅଧିକ ପଢ଼ନ୍ତୁ :- ସାମ୍ନାକୁ ଆସିଲା ସିସିଟିଭି ଭିଡିଓ : ଜଣା ପଡ଼ିଲା କିଏ ଗେଟ୍ ଭାଙ୍ଗି ବିଧାନସଭାରେ ପଶିଥିଲା