ରାୟଗଡା,୨୭/୦୬: ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀଦେବୀ ମା’ ମଝିଘରିଆଣୀଙ୍କ ହୁଣ୍ଡି। ୫ ମାସ ପରେ ମନ୍ଦିରର ୯ଟି ଦାନ ହୁଣ୍ଡି ଖେଲାଯାଇ ଆରମ୍ଭ ହେଲା ଗଣତି। ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୁଲିସ ର କଡ଼ା ସୁରକ୍ଷାରେ ହୁଣ୍ଡି ଟଙ୍କା ଗଣୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଗଣତିରେ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସହଯୋଗ କରୁଥିବା ବେଳେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ୟାଙ୍କରେ ପୈଠ କରାଯିବ । ଆଜିର ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ବେଚ୍ଛାସେବୀ ଭାଗ ନେଇଥିଲେ ।
ସୂଚନା ଅନୁଯାୟୀ, ସୋମବାର ଦିନ ଖୋଲିଛି ମା’ ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ସ୍ଥାନୀୟ ତହସିଲଦାରଙ୍କ ତତ୍ୱାବଧାନରେ ପୋଲିସର କଡ଼ା ସୁରକ୍ଷାରେ ଚାଲିଛି ଗଣତି । ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ୯ଟି ଦାନ ହୁଣ୍ଡିରୁ ସକାଳ ୧୦ଟା ୩୦ରୁ ଗଣତି ଆରମ୍ଭ ହୋଇଛି । ଏହି ଗଣତି କାମରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ମହିଳା ସଂଘର ସଦସ୍ୟମାନେ ।
ଗତ ୫ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା, ୨ କେଜି ୧୫୦ ଗ୍ରାମ ରୁପା ଓ ୩୦ ଗ୍ରାମ ସୁନା ବାହାରିବା ସହ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ସଂଗ୍ରହ ସମସ୍ତ ଅର୍ଥ ଓ ସୁନା-ରୁପା ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ବତନ୍ତ୍ର ବସ୍ରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା ।ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥାଏ।