ନୂଆଦିଲ୍ଲୀ,୩୧/୦୫: ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ହୋଇଥିବା ସଂପର୍କ ପରେ ଭାଙ୍ଗିଗଲେ କିମ୍ବା ଉଭୟଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇଗଲେ ଏହାକୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲା ଭାବେ ଦର୍ଶାଯାଇ ପାରିବ ନାହିଁ । ଆରମ୍ଭରୁ ଅଭିଯୁକ୍ତଙ୍କର ଠକେଇ ମନୋବୃତ୍ତି ନ ଥିଲେ ଏଭଳି ଅଭିଯୋଗ ଅପରାଧିକ କାର୍ଯ୍ୟାନୁଷ୍ଠାନ ଦାବିର ଆଧାର ହୋଇପାରିବ ନାହିଁ ।
ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣିବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏଭଳି ମାମଲା ଦ୍ୱାରା କେବଳ ଯେ ନ୍ୟାୟବ୍ୟବସ୍ଥା ଉପରେ ଅନାବଶ୍ୟକ ବୋଝ ପଡ଼େ ତା’ ନୁହେଁ, ଅଭିଯୁକ୍ତଙ୍କର ସାମାଜିକ ଭାବମୂର୍ତ୍ତି ବି ଖରାପ ହୋଇଥାଏ ବୋଲି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ କହିଛନ୍ତି । ଏଥିସହ ମହାରାଷ୍ଟ୍ରର ଅମୋଲ ଭଗବାନ ନେହୁଲଙ୍କ ବିରୋଧରେ ଦୁଷ୍କର୍ମ ମାମଲାକୁ ରଦ୍ଦ କରିଦେଇଛନ୍ତି କୋର୍ଟ । ଏହି ମାମଲାରେ ଅଭିଯୁକ୍ତ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଦଳାଇ ଦେଇଛନ୍ତି ।
ଏହି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ଘଟଣାର ୧୩ ମାସ ପରେ ଏଫ୍ଆଇଆର ହୋଇଥିଲା । ଏତେ ବିଳମ୍ବ ଯୋଗୁ ଅଭିଯୋଗର ସତ୍ୟତା ନେଇ ସନ୍ଦେହ ସୃଷ୍ଟି ହେଉଛି । ମହିଳାଙ୍କର ମେଡିକାଲ ରିପୋର୍ଟରେ ମଧ୍ୟ ବଳପୂର୍ବକ ଶାରିରୀକ ସଂପର୍କ ରକ୍ଷା କିମ୍ବା ଅପ୍ରାକୃତିକ ଯୌନ ସଂପର୍କର ପ୍ରମାଣ ମିଳିନାହିଁ । ଉଭୟ ପରସ୍ପର ସହିତ ବର୍ଷେରୁ ଅଧିକ ସମୟ ଧରି ସଂପର୍କରେ ରହିଥିଲେ । ମହିଳା ଅଭିଯୁକ୍ତଙ୍କ ସହିତ ୨ ଥର ଲଜ୍ ମଧ୍ୟ ଯାଇଥିଲେ । ଏଭଳିକ୍ଷେତ୍ରରେ ଅଭିଯୋଗ ଓ ବ୍ୟବହାର ଭିନ୍ନ ହୋଇଥିବାରୁ ମାମଲାକୁ ରଦ୍ଦ କରାଯାଉଛି ବୋଲି ସୁପ୍ରିମକୋର୍ଟ ପ୍ରକାଶ କହିଥିଲେ ।