ନୂଆଦିଲ୍ଲୀ,୨୫/୭: ପିଲାର  ହେପାଜତ ସମ୍ବନ୍ଧିତ ଏକ ମାମଲାର  ଶୁଣାଣିବେଳେ ସୁପ୍ରିମକୋର୍ଟରେ ଏକ  ନିଆରା କଥା ଦେଖିବାକୁ ମିଳିଛି । ବାପାଙ୍କ ନିକଟରେ ରହିବା ଲାଗି ଖୋଦ୍‌ ଝିଅ ୧ କୋଟି ଟଙ୍କା ଦାବି କରିଛି । ଝିଅର ଏଭଳି ବ୍ୟବହାର ଦେଖି ପ୍ରଧାନ  ବିଚାରପତି (ସିଜେଆଇ) ଚକିତ ହୋଇଛନ୍ତି । ଏଥିପାଇଁ ସିଜେଆଇ ବି.ଆର ଗଭଇ ଝିଅର ମା’ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ନିଜ ଝିଅର ମାନସିକତା ନଷ୍ଟ କରୁଛନ୍ତି  ବୋଲି ସିଜେଆଇ କହିବା ସହ ଏଭଳି  କୃତ୍ୟ ଦିନେ ତାଙ୍କ ପାଖକୁ ଫେରିବ  ବୋଲି ଚେତାଇଛନ୍ତି । 

ସମ୍ପୃକ୍ତ ବ୍ୟକ୍ତିଙ୍କ ଓକିଲ ପିଆର୍‌ ପଟୱାଲିଆ କହିଛନ୍ତି, ଦମ୍ପତିଙ୍କ ମଧ୍ୟରେ ବୈବାହିକ ବିବାଦ ଲାଗି ରହିଥିଲା । ଉଭୟଙ୍କ ୧୨ ବର୍ଷର ଝିଅ ବାପାଙ୍କ ପାଖରେ ରହିବ ବୋଲି  ଜିଲ୍ଲା କୋର୍ଟ ରାୟ ଦେଇଥିଲେ । ଏହା ବିରୋଧରେ ଝିଅର ମା’ ହାଇକୋର୍ଟରେ ଅପିଲ କରିଥିଲେ । ଏବେ ମାମଲା  ବିଚାରାଧୀନ ଥିଲେ ବି ସେ ଝିଅକୁ ତାଙ୍କ ବାପାଙ୍କୁ ହସ୍ତାନ୍ତର କରି ନ ଥିଲେ । ଏ ନେଇ ଝିଅଙ୍କ ବାପା ହାଇକୋର୍ଟରେ ତାଙ୍କ  ସ୍ତ୍ରୀଙ୍କ ବିରୋଧରେ ଅଦାଲତ ଅବମାନନା  ମାମଲା କରିଥିଲେ । କିନ୍ତୁ ହାଇକୋର୍ଟ  ଏହାକୁ ଖାରଜ କରିଦେଇଥିଲେ ।  ତେଣୁ ଝିଅର ବାପା ସୁପ୍ରିମକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ସିଜେଆଇ ଗଭଇ  ଏବଂ ଜଷ୍ଟିସ କେ ବିନୋଦ ଚନ୍ଦ୍ରନଙ୍କ  ଖଣ୍ଡପୀଠଙ୍କୁ ପଟୱାଲିଆ ଅବଗତ କରାଇଥିଲେ ଯେ, ଝିଅର ମା’ଙ୍କୁ ହରାଇଣ କରାଯାଉଛି ବୋଲି ଝିଅର ମୁଣ୍ଡରେ ଭର୍ତ୍ତି କରାଯାଉଛି । 

ଝିଅଟି ତାଙ୍କ  ବାପାଙ୍କୁ କହୁଛି ଯେ, ମା’ଙ୍କ ବିରୋଧରେ ସେ ମାମଲା କରୁଛନ୍ତି । କୋଟିଏ ଟଙ୍କା ନ ଦେଲେ ସେ ବାପାଙ୍କ ସହ ଯିବେନି । ଏପରିକ ଝିଅଟି ବାପାଙ୍କୁ ଏକ ବାଡ଼ିରେ  ମାଡ଼ ମଧ୍ୟ ମାରିଥିଲା । ଅନ୍ୟପକ୍ଷରେ  ଝିଅର ମା’ ସ୍କୁଲ ରେକର୍ଡରୁ ତାଙ୍କ  ବାପାଙ୍କ ନାଁ ମଧ୍ୟ କାଟି ଦେଇଥିଲେ ।  

ମହିଳାଙ୍କ ଓକିଲ ଅନୁଭା ଅଗ୍ରୱାଲ  କହିଥିଲେ ଯେ, ତାଙ୍କ ମହକିଲ ମଧ୍ୟସ୍ଥତା  ପାଇଁ ରାଜି ଅଛନ୍ତି । ମହକିଲଙ୍କ ସ୍ୱାମୀ  ଅଯଥାରେ ଝିଅକୁ ମାମଲା ଭିତରେ  ଟାଣୁଛନ୍ତି । ଏହା ଉପରେ ବିରକ୍ତ ହୋଇ  ସିଜେଆଇ ସମ୍ପୃକ୍ତା ମହିଳାଙ୍କୁ କହିଥିଲେ,  ତୁମେ ନିଜ ଝିଅର କ୍ୟାରିୟର ଖରାପ କରୁଛ ଏବଂ ମାନସିକତା ବି ନଷ୍ଟ  କରୁଛ । ଉଭୟ ପକ୍ଷ ରାଜି ହେବା ପରେ  ଅଦାଲତ ଏହି ମାମଲାକୁ ମଧ୍ୟସ୍ଥତା ଦ୍ୱାରା  ସମାଧାନ ଲାଗି ନିଷ୍ପତ୍ତି ନେଇଛନ୍ତି।