ଭୁନେଶ୍ୱର : ସମ୍ଭାବ୍ୟ ବାତ୍ୟା ପାଇଁ ସ୍କୁଲ ଛୁଟି ଘୋଷଣା। ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ସ୍କୁଲ ଓ ଗଣଶିକ୍ଷା କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି । ରାଜ୍ୟ ସରକାର ୧୪ଟି ଜିଲ୍ଲାରେ ୩ ଦିନିଆ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଏହି ୧୪ଟି ଜିଲ୍ଲା ହେଉଛି- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।

ଅକ୍ଟୋବର ୨୩ରେ ବାତ୍ୟାର ରୂପ ନେବ ଅବପାତ। ଏହା କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖରେ ଅବପାତରେ ପରିଣତ ହେବ। ପରେ ଏହା ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ। ପରେ ଏହା ଅକ୍ଟୋବର ୨୪ ରାତି କିମ୍ବା ଅକ୍ଟୋବର ୨୫ ଭୋର ସମୟରେ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ରହିବ । ବେଳେ ବେଳେ ପବନର ବେଗ ୧୨୦ କିଲୋମିଟର ଯାଏଁ ଯାଇପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।