ନୂଆଦିଲ୍ଲୀ, ୨୬/୦୯: ଧରାପୃଷ୍ଠରେ କେଉଁ ଦେଶର ଲୋକେ ଦୀର୍ଘାୟୁ ? ସୁସ୍ଥ ରହିବାର ଜୀବନ ଶୈଳି କ’ଣ । ବିଶ୍ବର କେଉଁ ସ୍ଥାନ ବ୍ଲୁ-ଜୋନ୍ । ଧରାପୃଷ୍ଠରେ ଏପରି କିଛି ସ୍ଥାନ ରହିଛି ଯେଉଁଠାରେ ଅଧିକାଂଶ ଲୋକ ଦୀର୍ଘାୟୁ ହୋଇଥାନ୍ତି । ସେହି ସ୍ଥାନକୁ ‘ବ୍ଲୁ ଜୋନ୍’ ବୋଲି କୁହାଯାଇଥାଏ । ଏହି ଲିଷ୍ଟରେ ଜାପାନ ସବୁଠାରୁ ଆଗରେ ରହିଛି । ହେଲେ ବର୍ତ୍ତମାନ ବିଶ୍ବରେ ଏପରି କିଛି ସ୍ଥାନ ରହିଛି ଯାହାକୁ ବିଶେଷଜ୍ଞମାନେ ବ୍ଲୁ ଜୋନ୍ ଲିଷ୍ଟରେ ସାମିଲ କରିବାକୁ ଯାଉଛନ୍ତି ।
କ’ଣ ଏହି ବ୍ଲୁ ଜୋନ୍ ?
‘ବ୍ଲୁ ଜୋନ୍’ ଏପରି ଏକ ଭୌଗୋଳିକ କ୍ଷେତ୍ରକୁ କୁହାଯାଇଥାଏ, ଯେଉଁଠାରେ ବସବାସ କରୁଥିବା ଲୋକଙ୍କ ଆୟୁଷ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରହୁଥିବା ଲୋକଙ୍କ ତୁଳନାରେ ଅଧିକ । ଏହି ସ୍ଥାନରେ କିଛି ଲୋକ ୧୦୦ ବର୍ଷରୁ ବି ଅଧିକ ଦିନ ବଞ୍ଚିଥାଆନ୍ତି । ୨୦ ବର୍ଷ ପୂର୍ବେ ଡେନ୍ ବ୍ୟୁଟନର ଏହି ଶବ୍ଦକୁ ବ୍ୟବହାର କରିଥିଲେ। ବର୍ତ୍ତମାନ ବିଶ୍ୱରେ ୫ଟି ବ୍ଲୁ ଜୋନ୍ ରହିଛି । ସେଗୁଡ଼ିକ ହେସା- ଓକିନାବା (ଜାପାନ), ଇକାରିଆ (ୟୁନାନ), ଓଗ୍ଲିୟାସ୍ତ୍ରା (ସାର୍ଡିନିଆ), ନିକୋୟା (କୋଷ୍ଟା ରିକା) ଏବଂ ଲୋମା ଲିଂଡା (କାଲିଫର୍ଣ୍ଣିଆ) ।
ଏବେ ଏହି ତାଲିକାରେ ଫିନ୍ଲ୍ୟାଣ୍ଚର ଓଷ୍ଟ୍ରୋବୋଥନିଆ ସହର ମଧ୍ୟ ସାମିଲ ହେବ । ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଏଠାକାର ଲୋକଙ୍କ ଜୀବନଶୈଳୀ ଅସାଧାରଣ । ହେଲେ ଏଥିପାଇଁ ଆହୁରି ଗବେଷଣାର ଆବଶ୍ୟକତା ରହିଛି ।
କିପରି ହେଲା ଚିହ୍ନଟ ?
ଜର୍ଣ୍ଣାଲ ଅଫ୍ ଏଜିଂ ରିସର୍ଚ୍ଚରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଗବେଷକମାନେ ଫିନଲ୍ୟାଣ୍ଡର ୩ଟି ସ୍ଥାନ ଓଷ୍ଟ୍ରୋବୋଥନିଆ, ଦକ୍ଷିଣ ଓଷ୍ଟ୍ରୋବୋଥନିଆ ଏବଂ ଆଲ୍ୟାଣ୍ଡ ଦ୍ୱୀପକୁ ନେଇ ଅଧ୍ୟୟନ କରିଛନ୍ତି। ଏଥିରୁ ସେମାନେ ଜାଣିବାରୁ ପାଇଲେ ଯେ, ଓଷ୍ଟ୍ରୋବୋଥନିଆର ଉପକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଆୟୁଷ ଏବଂ ଉନ୍ନତ ସ୍ୱାସ୍ଥ୍ୟାବସ୍ଥା ପାଇଁ ଏହାକୁ ବ୍ଲୁ ଜୋନରେ ସାମିଲ କରାଯିବ । ସେଠାକାର ଲୋକଙ୍କ ଆୟୁ ସୀମା ୮୩.୧ ବର୍ଷ ହୋଇଥିବା ବେଳେ ଦେଶର ୮୧.୬ ବର୍ଷ ରହିଛି । ସେହିପରି ବିଶ୍ୱରେ ଏହି ସଂଖ୍ୟା ୭୩.୧ ରହିଛି ।
ସେଠାରେ ବୟସ୍କ ଲୋକମାନେ ସାମାଜିକ କାର୍ଯ୍ୟକଳାପରେ ଅଧିକ ସକ୍ରିୟ ରହିଥାନ୍ତି । ଯାହା ସେମାନଙ୍କୁ ଚାପ ଏବଂ ଏକୁଟିପଣ ଠାରୁ ଦୂରେଇ ରଖେ । ବିଶେଷଜ୍ଞଙ୍କ ମତରେ, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିବା ଏବଂ ସ୍ୱେଚ୍ଛାସେବା କରିବା ଏକ ସୁସ୍ଥ ଜୀବନଶୈଳୀର ଚାବିକାଠି । ଯାହା ଦ୍ୱାରା ଆପଣଙ୍କ ଆୟୁଷ ମଧ୍ୟ ବଢିଥାଏ ।
ତଥାପି, ଏକ ସୁସ୍ଥ ଜୀବନଶୈଳୀ ଏବଂ ସ୍ୱାସ୍ଥ୍ୟସେବା ଥିବା ସତ୍ତ୍ୱେ ଆଲ୍ୟାଣ୍ଡ ଏକ ସୁଖମୟ ବାତାବରଣ ଦେବାରେ ବିଫଳ। ସେଥିପାଇଁ ସେ ବ୍ଲୁ ଜୋନ୍ରୁ ବଞ୍ଚିତ ।