ପୁରୀ, ୭।୪ : ଏପ୍ରିଲ ୮ ତାରିଖ ଅର୍ଥାତ ବୁଧବାରରୁ ଦ୍ବିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବ । ଦ୍ବିତୀୟ ପର୍ଯ୍ୟାୟରେ ରତ୍ନଭଣ୍ଡାର ଗଣତିମଣତି ଏପ୍ରିଲ ୧୧ ଯାଏ ଚାଲିବ। ଏହା ପରେ ଏପ୍ରିଲ ୧୩ ଏବଂ ୧୬ରୁ ୧୮ ପର୍ଯ୍ୟନ୍ତ ଚାଲିବ ରତ୍ନଭଣ୍ଡାର ଗଣତିମଣତି । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସଂପାଦନ ଚାଲିବ। ଏଥିସହ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ପ୍ରବେଶ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଉକ୍ତ ଦିନମାନଙ୍କରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯାଇ କେବଳ ବାହାର କାଠ ନିକଟରୁ କରାଯିବ। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ବୋପରି ପୂର୍ଣ୍ଣ ସହଯୋଗ ନିମନ୍ତେ ମୁଖ୍ୟ ପ୍ରଶାସକ ନିବେଦନ କରିଛନ୍ତି । ପରବର୍ତ୍ତୀ ଗଣତି ଦିନଗୁଡ଼ିକ ଏହି ପର୍ଯ୍ୟାୟ ପରେ ଘୋଷଣା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ପୂର୍ବରୁ ମାର୍ଚ୍ଚ ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ରତ୍ନଭଣ୍ଡାର ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ଟିମ୍ ମନ୍ଦିର ଭିତରେ ରତ୍ନ ଅଳଙ୍କାର ଗଣତି କରିଥିଲେ। ଗଣତି ମଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀ ଡି ମ୍ୟାପିଂ କରାଯାଇଥିଲା।