ବାଲେଶ୍ୱର,୧୦/୦୫: ଭାରତ-ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧ  ପରିସ୍ଥିତିକୁ ନେଇ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଡିଆର୍‌ଡିଓର  ସୁରକ୍ଷା ସମେତ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି  କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଚାନ୍ଦିପୁରରେ ହାଇଆଲର୍ଟ  ଜାରି କରାଯାଇଛି । ଏନେଇ ଶୁକ୍ରବାର ଚାନ୍ଦିପୁରରେ ପ୍ରଶାସନର  ଜରୁରି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ୮୦ କିମି  ଉପକୂଳ ଅଞ୍ଚଳ ଅଛି । ଜଳପଥ ଦେଇ ଅନୁପ୍ରବେଶକାରୀ  ଜିଲ୍ଲାରେ ପ୍ରବେଶ କରିବାର ଆଶଙ୍କା ରହିଛି । ଏଥିପାଇଁ ସୁରକ୍ଷା  ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ଉପରେ ବୈଠକରେ  ଗୁରୁତ୍ୱ ଦିଆଯାଇଛି ।  

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ମୁତାବକ ଓଡ଼ିଶା ପୁଲିସ୍‌  ଇଣ୍ଟର୍ଣ୍ଣ ରେଞ୍ଜ୍‌ ତତ୍ତ୍ୱାବଧାନରେ ଚାନ୍ଦିପୁର ଡିଆର୍‌ଡିଓ(ରକ୍ଷା  ଅନୁସନ୍ଧାନ ଓ ବିକାଶ ସଙ୍ଗଠନ) ପରିସରସ୍ଥିତ ପ୍ରୁଫ୍‌ ଆଣ୍ଡ୍‌  ଏକ୍ସପେରିମେଣ୍ଟାଲ୍‌ ଏଷ୍ଟାବ୍ଲିସମେଣ୍ଟ୍‌(ପିଏକ୍ସଇ) ପରିସରରେ  ଶୁକ୍ରବାର ଅପରାହ୍ଣରେ ଏହି ବୈଠକ ବସିଥିଲା । ଓଡ଼ିଶା  ପୁଲିସ୍‌ର ଇଷ୍ଟର୍ଣ୍ଣ ରେଞ୍ଜ୍‌ ଡିଆଇଜି ଡ. ସତ୍ୟଜିତ ନାୟକ,  ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍‌ପି  ରାଜ ପ୍ରସାଦ, ଆଇଟିଆର ଓ ପିଏକ୍ସଇର ନିର୍ଦ୍ଦେଶକଙ୍କ  ସମେତ ତଟ ସୁରକ୍ଷା ବାହିନୀର ବହୁ ଅଧିକାରୀ ଉପସ୍ଥିତ  ଥିଲେ । ପ୍ରତିରକ୍ଷା କ୍ଷେତ୍ରରେ ଡିଆରଡିଓ ସ୍ୱତନ୍ତ୍ର ପରିଚୟ  ସୃଷ୍ଟି କରିଛି । ଏହା ପୃଥ୍ୱୀ, ଅଗ୍ନି ଓ ଆକାଶ ଭଳି ବହୁ  କ୍ଷେପଣାସ୍ତ୍ରର ଅନ୍ତୁଡ଼ିଶାଳ ହୋଇଥିବାରୁ ସମସ୍ତ ରାଷ୍ଟ୍ର ଏହା  ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ସମ୍ଭାବ୍ୟ ଯୁଦ୍ଧକୁ ଦୃଷ୍ଟିରେ  ଏହାର ସୁରକ୍ଷାକୁ ନେଇ ଆଲୋଚନା କରାଯାଇଥିଲା ।   

ଅପରପକ୍ଷରେ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର  ତଟ ସୁରକ୍ଷା ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି । ଜିଲ୍ଲାରେ ଥିବା ବଳରାମଗଡ଼ି, ବାହାବଳପୁର,  କଷାଫଳ, ତାଳସାରୀ ସାମୁଦ୍ରିକ ଥାନା ପକ୍ଷରୁ ଉପକୂଳ  ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ  କରାଯାଇଛି । କେବଳ ସାମୁଦ୍ରିକ ଥାନା ପୁଲିସ୍‌ ନୁହନ୍ତି, ମତ୍ସ୍ୟ  ବିଭାଗ, ନୌସେନା ବିଭାଗ, ସ୍ୱତନ୍ତ୍ର ସଶସ୍ତ୍ର ପୁଲିସକୁ ଏହି କାମରେ ନିୟୋଜିତ କରାଯାଇଛି । ଉପକୂଳ ଅଞ୍ଚଳରେ ୨୪  ଘଣ୍ଟିଆ ପାଟ୍ରୋଲିଂ କରାଯାଉଛି । ତାଳସାରୀ, ବାହାବଳପୁର,  କଷାଫଳ, ବଳରାମଗଡ଼ି ଅଞ୍ଚଳରେ ସମୁଦ୍ରକୁ ଯାଉଥିବା  ଏବଂ ଆସୁଥିବା ମତ୍ସ୍ୟଜୀବୀଙ୍କ ଉପରେ ନଜର ରଖାଯାଇଛି ।  

ଯେଉଁ ମତ୍ସ୍ୟଜୀବୀ ସନ୍ଦେହ ପରିସରକୁ ଆସୁଛନ୍ତି  ସେମାନଙ୍କୁ ଯାଞ୍ଚ କରାଯାଉଛି । ଜଳପଥ ବ୍ୟତୀତ ସ୍ଥଳ  ପଥରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ।  ପଶ୍ଚିମବଙ୍ଗ ସୀମାରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ମୁତୟନ  କରାଯାଇଛି । ବାଲେଶ୍ୱର ସହରକୁ ପ୍ରବେଶ କରୁଥିବା  ସମସ୍ତ ବ୍ୟକ୍ତିଙ୍କ ସମେତ ଯାନବାହାନକୁ ମଧ୍ୟ ତନତନ  କରି ଯାଞ୍ଚ କରାଯାଉଛି ।