ନୂଆଦିଲ୍ଲୀ,୧୭/୧୧; ଜଳୁଛି ବାଂଲାଦେଶ । ରାଜନୈତିକ ଉତ୍ତେଜନା ଚରମସୀମାରେ ପହଞ୍ଚିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍ ରାୟ ପୂର୍ବରୁ ବାଂଲାଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ ଆଇଇଡି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ପକ୍ଷରୁ ଦେଶରେ ବନ୍ଦ ପାଳନ ହୋଇଛି । ଶେଖ୍ ହାସିନାଙ୍କ ଉପରେ ରାୟ ଆସିବା ପୂର୍ବରୁ ବ୍ୟବସାୟୀ ବର୍ଗ ଭୟ କରୁଛନ୍ତି ଯେ, ରାଜନୈତିକ ଅସ୍ଥିରତା ପୂର୍ବରୁ ଦୁର୍ବଳ ଥିବା ଅର୍ଥନୈତିକ ପରିସ୍ଥିତିକୁ ଆହୁରି ଖରାପ କରିପାରେ । ଉତ୍ତେଜନାକୁ ନେଇ ବାଂଲାଦେଶ ହାଇଆଲର୍ଟରେ ରହିଛି । ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଗୁଳି କରିବାକୁ ପୁଲିସ୍କୁ ନିର୍ଦ୍ଦେଶ ହୋଇଛି ।
ଆଜି ଆସିବ ରାୟ- ବାଂଲାଦେଶର ଆନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT-BD) ଆଜି ୭୮ ବର୍ଷୀୟ ଶେଖ୍ ହାସିନାଙ୍କ ବିରୋଧରେ ରାୟ ଶୁଣାଇବେ । ତାଙ୍କ ଅନୁପସ୍ଥିତିରେ ଏହି ମାମଲାର ଶୁଣାଣି ହୋଇଥିଲା । ଆଇସିଟି-ବିଡି ପବ୍ଲିକ ପ୍ରସିକ୍ୟୁଟର ଗାଜି ଏମ.ଏଚ. ତମିମ କହିଛନ୍ତି, " ଆମେ ଶେଖ୍ ହାସିନାଙ୍କ ପାଇଁ ସର୍ବାଧିକ ସମ୍ଭାବ୍ୟ ଦଣ୍ଡ ଦାବି କରିଛୁ । ଏହା ବ୍ୟତୀତ, ଆମେ ଅନୁରୋଧ କରିଛୁ ଯେ, ଦୋଷୀଙ୍କ ସମ୍ପତ୍ତି ଜବତ କରାଯାଇ ଗତବର୍ଷର ପ୍ରତିବାଦ ସମୟରେ ସହିଦ ଏବଂ ଆହତଙ୍କ ପରିବାରକୁ ଦିଆଯାଉ। " ଏହି ମାମଲାରେ ଶୁଣାଣି ଅକ୍ଟୋବର ୨୩ ତାରିଖରେ ଶେଷ ହୋଇଥିଲା ।
ଆୱାମୀ ଲିଗ୍ର ବନ୍ଦ ଡାକରା- ରବିବାର ବାଂଲାଦେଶ ଶାନ୍ତ ଥିଲା । ଦୋକାନ ବିଳମ୍ବରେ ଖୋଲିଲା । କିଛି ଲୋକ ଘରେ ରହିବା ପସନ୍ଦ କଲେ । ଚିନ୍ତା ସେବେ ବଢିଲା ଯେବେ ଶେଖ୍ ହାସିନାଙ୍କ ପାର୍ଟି ଆୱାମୀ ଲିଗ୍ ଦୁଇ ଦିନିଆ ବନ୍ଦ ଡାକରା ଘୋଷଣା କଲା । ଅନ୍ତରୀଣ ସରକାର ପାର୍ଟି ଏବଂ ତାଙ୍କ ସହଯୋଗୀଙ୍କ ଗତିବିଦ୍ଧି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ତେଣୁ ଆୱାମୀ ଲିଗ୍ ନେତା ଅଜ୍ଞାତ ସ୍ଥାନରୁ ସୋସିଆଲ ମିଡିଆ ବ୍ୟବହାର କରି ବନ୍ଦ ଘୋଷଣା କରିଛନ୍ତି । ଶେଖ୍ ହାସିନାଙ୍କ ବିରୋଧରେ ଏହି ମାମଲା ୨୦୨୪ ଜୁଲାଇ ଏବଂ ଅଗଷ୍ଟରେ ବାଂଲାଦେଶକୁ ଦୋହଲାଇ ଦେଇଥିବା ହିଂସା ସମୟରେ ହୋଇଥିଲା । ଛାତ୍ର ନେତୃତ୍ୱ ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ । ହାସିନା ଏହି ଘଟଣାରେ ମାନବାତ ବିରୋଧରେ ଅପରାଧ ସହ ଜଡ଼ିତ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।
ହିଂସା ଚେତାବନୀ ଦେଲେ ପୁଅ- ବାଂଲାଦେଶ କ୍ଷମତାରୁ ବହିଷ୍କୃତ ହାସିନାଙ୍କ ବିରୋଧରେ ରାୟ ଆସିବା ପୂର୍ବରୁ ହଂସା ଚେତାବନୀ ଦେଇଛନ୍ତି ତାଙ୍କ ପୁଅ ସଜୀବ ବାଜେଦ । ବଡ଼ ବୟାନ ନେଇ ହାସିନାଙ୍କ ପୁଅ କହିଛନ୍ତି,''ଭାରତରେ ମାଆ ସୁରକ୍ଷିତ ଅଛନ୍ତି । ଯଦି ଆୱାମୀ ଲିଗ୍ ଉପରୁ ବ୍ୟାନ ନ ହଟାଯାଏ ତେବେ ଫେବୃଆରୀରେ ନିର୍ବାଚନ ହେବାକୁ ଦେବୁନି । ଆୱାମୀ ଲିଗ୍ ଫେବୃଆରୀରେ ହେବାରୁ ଥିବା ସାଧାରଣ ନିର୍ବାଚନକୁ ରୋକିବେ । ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇପାରେ । ସେମାନେ ହୁଏତେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବେ ହେଲେ ମୋ ମାଆ ଭାରତରେ ସୁରକ୍ଷିତ ଅଛନ୍ତି । ଭାରତ ତାଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଉଛି । ତାଙ୍କୁ ରାଜ୍ୟ ମୁଖ୍ୟଙ୍କ ପରି ସମ୍ମାନ ମିଳୁଛି ।''
ପ୍ରଦର୍ଶନକାରୀଙ୍କୁ ଫାୟାରିଂ ନିର୍ଦ୍ଦେଶ- ଢାକା ମେଟ୍ରୋପଲିଟାନ ପୁଲିସ୍ କମିଶନ ମୋହମ୍ମଦ ସଜ୍ଜାଦ ଅଲି ଅଧିକାରୀଙ୍କୁ ହିଂସା ଭିଆଇଲେ ସେମାନଙ୍କୁ ତୁରନ୍ତ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ କରି ପୁଲିସ୍ ଉପରେ ଆକ୍ରମଣ କଲେ ଗୁଳି କରିବାକୁ ଆଦେଶ ହୋଇଛି । ରାୟ ଆସିବା ପୂର୍ବରୁ ଢାକାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।