ମାଲକାନଗିରି/କୋରକୁଣ୍ଡା, ୨୦।୧୨: ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜୁନିଅର ଛାତ୍ରଙ୍କ ଉପରେ ସିନିୟରଙ୍କ ରାଗିଂ । ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଥିବା ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ-୨ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବା ସହ ମାରପିଟ୍ ହୋଇଥି୍ବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଘରଠାରୁ ଦୂରରେ ହଷ୍ଟେଲରେ ରହୁଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ନିଜ ପାଖରେ ରଖିବାକୁ କିଛି ଶୁଖିଲା ଖାଦ୍ୟ ଦେଇଥାନ୍ତି । ତେବେ ଗତ ତିନି ଦିନ ପୂର୍ବେ ଜଣେ ନବମ ଶ୍ରେଣୀର ଛାତ୍ର ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରର କିଛି ଖାଦ୍ୟ ଖାଇ ଦେଇଥିଲେ ।
ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏ ବିଷୟରେ ଏକାଦଶ, ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଙ୍କ କ୍ୟାପଟେନ୍ ଏବଂ କେୟାର ଟେକର ଜାଣିବା ପରେ ନବମ ଶ୍ରେଣୀର କେତେକ ଛାତ୍ରଙ୍କୁ ଏକାଦଶ ଶ୍ରେଣୀର ଛାତ୍ରାବାସକୁ ଡାକି ପଚରାଉଚରା କରିବା ସହ ନିର୍ଧୁମ ମାଡ଼ ମାରିଥିଲେ । ତାଙ୍କ ସହ କେୟାର ଟେକର ବିଶ୍ୱଜିତ୍ ସରକାର ମଧ୍ୟ ନବମ ଶ୍ରେଣୀ ଛାତ୍ରମାନଙ୍କୁ ବାରମ୍ବାର ପାଣି ପିଆଇ ପିଆଇ ମାଡ଼ ମାରି ଚାଲିଥିଲେ । ଫଳରେ କେତେକ ଛାତ୍ରଙ୍କର ପରିସ୍ରା ହୋଇଯାଇଥିଲା । ପରିସ୍ରା କରିବା ପରେ ବି ସେମାନେ ଛାତ୍ରମାନଙ୍କୁ ଛାଡ଼ି ନଥିଲେ ପୁଣି ଥରେ ପାଣି ପିଆଇ ମାଡ଼ ମାରି ଚାଲିଥିଲେ । ଏ ଘଟଣା ପରେ ନବମ ଶ୍ରେଣୀର ଛାତ୍ର ଭୟଭୀତ ଅଛନ୍ତି ।
ହଷ୍ଟେଲରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଏକାଦଶ ଶ୍ରେଣୀର ଛାତ୍ର କ୍ୟାପଟେନ୍ ନିୟୋଜିତ ହୋଇଥାନ୍ତି । କିନ୍ତୁ କ୍ୟାପଟେନ୍ ଏଭଳି ଘଟଣାରେ ସମ୍ପୃକ୍ତ ରହିବା ଠିକ୍ ନୁହେଁ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ରାମୁ ରାଚାଙ୍କୁ ପଚାରିବାରୁ ଉଭୟ ଅଭିଭାବକଙ୍କୁ ଡକାଇ ଆଲୋଚନା ମାଧ୍ୟମରେ ବୁଝାମଣା ହୋଇଛି । ଏକାଦଶ ଶ୍ରେଣୀର ୭ ଜଣ ଛାତ୍ରଙ୍କୁ ସପ୍ତାହେ ପାଇଁ ନିଲମ୍ବିତ କରାଯାଇଥିବା ବେଳେ କେୟାର ଟେକର ବିଶ୍ୱଜିତ୍ ସରକାରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି କହିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଅଭିଭାବକଙ୍କ ମଧ୍ୟରେ କୌଣସି ସମାଧାନ ହୋଇନାହିଁ ବୋଲି କିଛି ଅବିଭାବକ କହିଛନ୍ତି । ଏଥିସହ ବିଦ୍ୟାଳୟରେ ଏଭଳି ଘଟଣାର ପୁନରାବୃତ୍ତିକୁ ଆଶଙ୍କା କରି ୫ ଜଣ ଅଭିଭାବକ ତାଙ୍କ ପିଲାମାନଙ୍କୁ ଘରକୁ ନେଇଯାଇଥିବା ଜଣାପଡ଼ିଛି ।
ବାଲିମେଳା ନବୋଦୟ ବିଦ୍ୟାଳୟରେ କାହିଁକି ଏଭଳି ଗଣ୍ଡଗୋଳ ହେଲା ଏନେଇ କିଛି ଅଭିଭାବକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପଚାରିବାରୁ ଦୀର୍ଘ ଚାରି ଦିନ ପରେ ଗଣ୍ଡଗୋଳ ବାବଦରେ ଜାଣିବାକୁ ପାଇଲେ ବୋଲି ଅଧ୍ୟକ୍ଷ କହିଛନ୍ତି । ଯଦି ଏହି ଘଟଣାର ତୁରନ୍ତ ସମାଧାନ କରାନଯାଏ, ତେବେ ଉଭୟ ଏକାଦଶ ଏବଂ ନବମ ଶ୍ରେଣୀର ଛାତ୍ରମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେବା ସହିତ ବିଦ୍ୟାଳୟର ଶୈକ୍ଷିକ ପରିବେଶ ନଷ୍ଟ ହେବା ଅନୁମାନ କରାଯାଉଛି ।