କଣ୍ଟାବାଞ୍ଜି,୧।୯ :  କଣ୍ଟାବାଞ୍ଜି ଥାନା ତୁରେଇକେଲା ରାସ୍ତାର ଆଶ୍ରମ ପଡାରେ ଜଣଙ୍କ ଘରୁ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ଘଟଣାର ପୁଲିସ ପର୍ଦ୍ଦଫାଶ କରିଛି। ଏହି ଘଟଣାରେ ପୁଲିସ ଉକ୍ତ ଘରେ କାମ କରୁଥିବା ଚାକରାଣୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ମୁରିବାହାଲ ଥାନା ଟେଙ୍ଗରା ଗାଁର ମାଧୁରୀ ପୋଡ଼।

କଣ୍ଟାବାଞ୍ଜି ଥାନା ତୁରେଇକେଲା ରାସ୍ତାର ଆଶ୍ରମ ପଡାରେ ରହୁଥିବା ନସୀମା ତପସୁମଙ୍କୁ ଘରୁ  ରବିବାର ୨୩୦ ଗ୍ରାମର ସୁନା ଗହଣା ଓ କିଛି ଟଙ୍କା ଚୋରି ହୋଇ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରକୁ ନେବା ପରେ ଘରର ଚାକରାଣୀ ଉପରେ ସନ୍ଦେହ କରିଥିଲା।  ପରେ ଚାକରାଣୀ ମାଧୁରୀ ପୋଡ଼କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ପରେ ମାଧୁରୀ ଚୋରି କରିଥିବା ମାନିଯାଇଥିଲା। ମାଧୁରୀଙ୍କ ଘର  ମୁରିବାହାଲ ଥାନା ଟେଙ୍ଗରା ଗାଁରେ।  ମାଧୁରୀ ଗତ ୫ମାସ ହେଲା ନସୀମା ଘରେ ରହି କାମ କରିଆସୁଥିଲା । ପୋଲିସ ମାଧୁରୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ପୋଲିସ ମାଧୁରୀ ଠାରୁ ୨ଟି ସୁନା ହାର, ଗୋଟିଏ ଲକେଟ ଲଗା ସୁନା ଚେନ, ଗୋଟିଏ ମଙ୍ଗଳ ସୂତ୍ର, ୨ ହଳ ସୁନା କାନ ଫୁଲ, ଗୋଟିଏ ହଳ ସୁନା ଚୁଡି ଓ ୨୫ ହଜାର ଟଙ୍କା ଜବତ ହୋଇଥିବା ଥାନା ଅଧିକାରୀ ରଶ୍ମିତା ବେହେରା ପ୍ରକାଶ କରିଛନ୍ତି ।