ନୂଆଦିଲ୍ଲୀ,୨୩/୦୪; ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ । ଆଖି ପିଛୁଳାକେ ସବୁ ଛାରଖାର । ଉତ୍ତରପ୍ରଦେଶ ମୀର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ୪ ଶିଶୁଙ୍କ ସମେତ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ବ୍ରେକ୍ ଫେଲ୍ ହେବାରୁ ଏକାଧିକ ଗାଡି ଉପରେ ଟ୍ରକ୍ ମାଡିଯାଇଛି । ଘାଟି ରାସ୍ତାରେ ବ୍ରେକ୍ ଫେଲ୍ ହେବାରୁ ଦୁର୍ଘଟଣା ଘଟିଛି । ଆଉ ଏକ ଟ୍ରକ୍ ଓ ବୋଲେରୋ ଧକ୍କା ହୋଇ ଜଳିଯିବା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ତରପ୍ରଦେଶର ମିର୍ଜାପୁର-ରେୱା ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା ୧୧ ଜଣଙ୍କ ଜୀବନ ନେଇଛି । ଡ୍ରମଡଗଞ୍ଜ ଥାନା ଅଞ୍ଚଳର ବଡକା ମୋଡ ଘୁମାନ ନିକଟରେ ଏହି ଦୁର୍ଘଟଣା ଘଟିଛି । ରିପୋର୍ଟ ଅନୁଯାୟୀ, ଏକ ବୋଲେରୋ ଗାଡ଼ି ରାସ୍ତାରୁ ତଳକୁ ଖସୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ ବ୍ରେକ୍ ଫେଲ୍ ହୋଇ ଧକ୍କା ଦେଇଥିଲା। ନିୟନ୍ତ୍ରିଣ ହରାଇ ଟ୍ରକ୍ ବୋଲେରୋକୁ ଧକ୍କା ଦେବା ଫଳରେ ଏହା ଆଗରେ ଥିବା ପଥର ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋଟିରେ ତୁରନ୍ତ ନିଆଁ ଲାଗିଯାଇଥିଲା । ସେଥିରେ ଥିବା ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁଥିରେ ୪ ଜଣ ଶିଶୁ ଥିବା ଜଣାପଡିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ  ସହାୟତା ରାଶି ଘୋଷଣା କରିଛନ୍ତି ।

​​​​​​​

ଏହା ବି ପଢନ୍ତୁ...ଗୁଜୁରାଟର ବଲସାଡରେ ଭୟଙ୍କର ସଡକ ଦୁର୍ଘଟଣା, ପିକଅପ୍ ଟ୍ରକ ଓଲଟି ୬ ମୃତ, ୨୮ ଆହତ…  

ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି ସେଥିରେ ବୋଲେରୋଟି ନିଆଁରେ ପୋଡ଼ିଯାଇଥିବା ଦେଖିବାକୁ ମିଳିଛି । ରାଜପଥରେ ଚିତ୍କାର, କାନ୍ଦ ବୋବାଳିରେ ଫାଟି ପଡୁଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଧକ୍କା ପରେ ପ୍ରବଳ ଅଗ୍ନିକାଣ୍ଡ ଯୋଗୁଁ ବୋଲେରୋରେ ଥିବା ଲୋକମାନେ ବାହାରି ପାରିଲେ ନାହିଁ । ମୃତାହତଙ୍କ ସମ୍ପୂର୍ଣ୍ଣ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡିନାହିଁ। 
ଅଗ୍ନିକାଣ୍ଡ ଯୋଗୁଁ ବୋଲେରୋ ଭିତରେ ଥିବା ସମସ୍ତ ଯାତ୍ରୀ ଫସି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ, କିନ୍ତୁ ନିଆଁର ତୀବ୍ରତା ଯୋଗୁଁ କାହାକୁ ବଞ୍ଚାଇ ପାରି ନଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା ।  ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି ଏବଂ ମୃତକଙ୍କ ଚିହ୍ନଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଦୁର୍ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।