ନୂଆଦିଲ୍ଲୀ,୧୭/୦୧: ଗୋଟିଏ ପଟେ ହିଂସା ବଢୁଥିଲା । ଆଉ ଗୋଟିଏ ପଟେ ମନରେ ଭୟ । ଘରଠୁ ଦୂରରେ ଥିବା ପିଲାମାନଙ୍କ ମନରେ ଆତଙ୍କ । ଇଣ୍ଟରନେଟ୍ ଠପ । ଖାଲି ଜଳୁଥିଲା ବିଦ୍ରୋହର ନିଆଁ । କିଏ କାମ ପାଇଁ ତ ଆଉ କିଏ ପଢିବାକୁ ଯାଇଥିଲେ । ହେଲେ ସେଠାରେ ଆନ୍ଦୋଳନ ପାଇଁ ଗୋଟିଏ ଗୋଟିଏ ଦିନ ମୁସ୍କିଲ ମନେ ହେଉଥିଲା । ସରକାର ବିରୋଧୀ ବିକ୍ଷୋଭ ଏବଂ ହିଂସାରେ ଜଳୁଥିବା ଇରାନରୁ ଫେରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ । ଟେନ୍ସନ୍ ଭିତରେ ଭାରତୀୟଙ୍କୁ ନେଇ ପ୍ରଥମ ବ୍ୟାଚ ବିମାନ ତେହରାନରୁ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀରେ ପହଞ୍ଚିବା ପରେ ସେଠାକାର ସ୍ଥିତି ବିଷୟରେ କହିଛନ୍ତି । କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଭାରତକୁ ଫେରିଥିବା ଜଣେ ଭାରତୀୟ କହିଛନ୍ତି ସେଠାରେ ସ୍ଥିତି ସାଙ୍ଘାତିକ । ଭାରତ ସରକାର ବହୁତ ସହଯୋଗ କରିଛନ୍ତି । ଦୂତାବାସ ସୂଚନା ଦେଇଥିଲେ ଜଲଦୀ ଇରାନ୍ ଛାଡ । ଏଠାକାର ଏକ ଷ୍ଟିଲ ପ୍ଲାଣ୍ଟ ପକ୍ଷରୁ ମୁଁ ଇରାନ ଯାଇଥିଲି । କମ୍ପାନୀ ଭିତରେ ସ୍ଥିତି ଠିକ୍ ଥିବା କିନ୍ତୁ ବାହାରେ ସ୍ଥିତି ଭୟଙ୍କର ଥିଲା । ସେଠାକାର ସ୍ଥାନୀୟ ଲୋକ ସ୍ଥିତି ନେଇ ଆମକୁ ସୂଚନା ଦେଉଥିଲେ ।'' ଜମ୍ମୁ କାଶ୍ମୀରର ଜଣେ ଛାତ୍ର ସବିର ହୁସେନ୍ ଇରାନରୁ ଫେରି କହିଛନ୍ତି, ଆନ୍ଦୋଳନ ଭୟଙ୍କର ଥିଲା । ପରିବାର ସହ କଥା ହୋଇନପାରିନଥିଲି । ଚିନ୍ତାରେ ପଡିଥିଲି । ଏବେ ଇରାନରେ ସ୍ଥିତି ସମାନ୍ୟ ସୁଧୁରିଛି । ଧୀରେ ଧିରେ ତେହେରାନ ଠିକ୍ ହେଉଛି ।''
ସେହିପରି ଭାରତକୁ ଫେରିଥିବା ଜଣଙ୍କ ସମ୍ପର୍କୀୟ କହିଛନ୍ତି, ''ମୋ ମାଆ ଏବଂ ମାଉଶୀ ଇରାନରୁ ଫେରିଛନ୍ତି । ଆମେ ବହୁତ ଚିନ୍ତାରେ ଥିଲୁ । ୩ ଦିନ ହେବ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରିନଥିଲା । ଆଜି ସେ ଭାରତ ଫେରିଛନ୍ତି । ବହୁତ ଖୁସି ଲାଗୁଛି ।'' ଆଉ ଜଣେ ଭାରତୀୟଙ୍କ ସମ୍ପର୍କୀୟ କହିଛନ୍ତି ଆଜି ମୋ ସାନ ଭାଇର ପତ୍ନୀ ଇରାନରୁ ଫେରିଛନ୍ତି । ସେ ଇରାନରେ ପହଞ୍ଚିବା ପରେ ସ୍ଥିତି ସଙ୍ଗୀନ ହୋଇଥିଲା । ଇଣ୍ଟରନେଟ ବନ୍ଦ ଥିଲା । ତାଙ୍କ ସହ କଥା ହୋଇ ପାରିନଥିଲୁ । ଆମେ ଚିନ୍ତାରେ ଥିଲୁ । ଆଜି ସେ ସୁରକ୍ଷିତ ଭାରତରେ ପହଞ୍ଚିଛନ୍ତି ଆମେ ଖୁସି । କେନ୍ଦ୍ର ସରକାରଙ୍କୁ ବହୁତ ଧନ୍ୟବାଦ ।''
ଫସିଛନ୍ତି ୯ ହଜାର ଭାରତୀୟ- ଇରାନରେ ସରକାର ବିରୋଧୀ ବିକ୍ଷୋଭ ଏବଂ ହିଂସା ଭିତରେ ସେଠାରେ ପ୍ରାୟ ୯ ହଜାର ଭାରତୀୟ ଫସି ରହିଛନ୍ତି । ସେମାନଙ୍କୁ ଯେ କୌଣସି ମତେ ଇରାନ ଛାଡ଼ିବାକୁ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଇରାନରେ ଥିବା ପ୍ରାୟ ୯ ହଜାର ଭାରତୀୟଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ରଛାତ୍ରୀ । ସମ୍ପ୍ରତି ସ୍ଥିତିକୁ ଦେଖି ଭାରତ ସରକାରଙ୍କ ପକ୍ଷରୁ ୨ରୁ ୩ଟି ମାର୍ଗଦର୍ଶିକା ଜାରି କରାଗଲାଣି । ଏଥିରେ ଭାରତୀୟଙ୍କୁ ଇରାନ ଗସ୍ତ କରିବାକୁ ମନା କରାଯାଇଛି । ଏଥିସହ ସେଠାରେ ଥିବା ଭାରତୀୟମାନେ ଯେ କୌଣସି ମାଧ୍ୟମରେ ସୁଯୋଗ ପାଇଲେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଭାରତ ସରକାରଙ୍କ ପକ୍ଷରୁ ମଧ୍ୟରୁ ଇରାନରୁ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ପ୍ରସ୍ତୁତି ଜାରି ରହିଛି । ସ୍ଥିତି ଉପରେ ନଜର ରଖାଯାଇଛି ।''