ମନମୁଣ୍ଡା ,୨୪।୮ : ବୌଦ୍ଧ ଜିଲ୍ଲା ଶଗଡ଼ା ସେବା ସମବାୟ ସମିତି (ପ୍ୟାକ୍ସ ) ସମ୍ପାଦକ ମାସେ ହେଲା କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଫଳରେ ଚାଷୀ ସାର ପାଇଁ ହନ୍ତସନ୍ତ ହେଉଛନ୍ତି।
ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ହେବ ଶଗଡ଼ା ପ୍ୟାକ୍ସର ସମ୍ପାଦକ ସତ୍ୟନାରାୟଣ ପଣ୍ଡା କାର୍ଯ୍ୟାଳୟରେ ଅନୁପସ୍ଥିତ ରହିଛନ୍ତି। ସେନେଇ ତାଙ୍କ ଅଫିସର କର୍ମଚାରୀଙ୍କୁ ପଚାରିବାରୁ କାରଣ କେହି ଜାଣି ନ ଥିବା କହୁଛନ୍ତି। ବର୍ତ୍ତମାନ ଚାଷୀ ପଞ୍ଜିକରଣ ସମୟରେ ସମ୍ପାଦକଙ୍କ ଅନୁପସ୍ଥିତି ଯୋଗୁଁ ପ୍ୟାକ୍ସରେ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଚାଷୀ ସାର ପାଇଁ ଦୀର୍ଘ ଦିନରୁ ପ୍ୟାକ୍ସରେ ଟଙ୍କା ଜମା ଦେଇଥିଲେ। ବର୍ଷା ଅଭାବରୁ ଅନେକ ଚାଷୀ ବନ୍ଧ , ଗାଡିଆରୁ ପମ୍ପ ଯୋଗେ ଜମିକୁ ପାଣି ନେଇଥିଲେ। ତଳି ପାଇଁ ବର୍ତ୍ତମାନ୍ ସମୟରେ ଅନ୍ୟ ସାର ସହ ୟୁରିଆ ସାର ବିଶେଷ ଭାବେ ଆବଶ୍ୟକ ପଡୁଛି। ସମବାୟ ସମିତିରେ ସାର ଗଚ୍ଛିତ ରହିଥିବାବେଳେ ସମ୍ପାଦକଙ୍କ ଅନୁପସ୍ଥିତି ଯୋଗୁଁ ଚାଷୀ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ସାର ସରକାରୀ ମୂଲ୍ୟ ବସ୍ତା ପ୍ରତି ୨୬୭ ଟଙ୍କା ରହିଥିବାବେଳେ କେତେକ ଚାଷୀ ବସ୍ତା ପ୍ରତି ପ୍ରାୟ ୭୦୦ ଟଙ୍କା ଦେଇ କ୍ରୟ କରି ଜମିରେ ସିଞ୍ଚନ କରିଥିବାବେଳେ ଗରିବ ଚାଷୀ ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି। ସମ୍ପାଦକଙ୍କ ଅନୁପସ୍ଥିତି ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ହାତ ବାନ୍ଧି ବସି ରହିବା ଘଟଣା ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଏନେଇ ଉକ୍ତ ଏସସିଏସର ସହ ସମ୍ପାଦକ ଗଜିନ୍ଦ୍ର ମାଝିଙ୍କୁ ପଚାରିବାରୁ ସେ ଉତ୍ତର ନ ଦେଇ ବାହାନା ଦେଖାଇ କଥାକୁ ଟାଳି ଫୋନ କାଟି ଦେଇଥିଲେ। ଏନେଇ ବୌଦ୍ଧ ସେବା ସମବାୟ ସହକାରୀ ନିବନ୍ଧକ ଫକିର ମୋହନ ବାଗଙ୍କୁ ପଚାରିବାରେ ସମ୍ପାଦକ ସ୍ବାସ୍ଥ୍ୟ ଜନିତ କାରଣରୁ ଛୁଟି ନେଇ ଥିବା କହିଥିଲେ। ତାହା ମିଥ୍ୟା ବୋଲି ଶ୍ରୀ ବାଗ ଜାଣିବାକୁ ପାଇ ଏସସିଏସର ସଭାପତିଙ୍କୁ ସେ ନେଇ ଶ୍ରୀ ବାଗ ୩ ଟି ଚିଠି ଦେଇଥିବା କହିଥିଲେ ।