ଭୁବନେଶ୍ୱର, ୨୯/୦୬: ଶରଧାବାଲିରେ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ ବେଳେ ବଡ଼ ଅଘଟଣ। ଠେଲାପେଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଏହି ବଡ଼ ବିଭ୍ରାଟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବଶୀଘ୍ର ଏନେଇ ପଦକ୍ଷେପ ନେବେ। ଘଟଣାର ପୁରା ତଦନ୍ତ ହେବ । କେଉଁ ଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ଛାନ୍ଭିନ୍ ହେବ । ଏହା ସହିତ ରବିବାର ଦିନ ନିଜେ ପୁରୀ ଗସ୍ତରେ ଯିବେ ବୋଲି ଆଇନମନ୍ତ୍ରୀ କହିଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ । ସକାଳେ ପହଡ ଖୋଲିବା ପରେ ଭକ୍ତଙ୍କ ଭିଡ଼ ମାଡ଼ି ଆସିଥିଲା । ଶ୍ରଦ୍ଧାଳୁ ରାତିରେ ତଳେ ପାରିକି ବସିଥିଲେ । ପହଡ଼ ଖୋଲିବା ପରେ ପଛରେ ଥିବା ଭକ୍ତ ମାଡି ଆସି ଝୁଣ୍ଟି ପଡିଯାଇଥିଲେ । ପୂର୍ବରୁ ଅଧିକାଂଶ ସମୟରେ ନୀତିକାନ୍ତି ବିଳମ୍ବ ଯୋଗୁଁ ଠାକୁର ଅନିଦ୍ରାରେ ରହୁଥିଲେ । ଏଥର ସବୁ ନୀତି କାନ୍ତି ଠିକ୍ ସମୟରେ ହୋଇଥିବାରୁ ୧୨ଟା ବେଳକୁ ପହଡ଼ ପଡ଼ି ଯାଇଥିଲା । ଠାକୁରଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲା । ଆଉ ଏମିତି ଦୁର୍ଘଟଣା ଘଟିଗଲା । ଏଥିପାଇଁ ଆମେ ସମସ୍ତେ ମର୍ମାହତ । ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ଦୋଷୀ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ । ମୁଖ୍ୟମନ୍ତ୍ରୀ ନିଜେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି ତାଙ୍କ ରିପୋର୍ଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନ ନେବେ । ପରବର୍ତ୍ତୀ ପଦକ୍ଷେପ କଣ ହେବ, ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବେ । ଏହା ଏକ ଦୁର୍ଘଟଣା । ହେଲେ ଅବହେଳା ଘଟିଥିବାରୁ ଏଭଳି ଘଟଣା ହୋଇଛି । ଏହାକୁ ଏଡେଇ ଦିଆ ଯାଇପାରିବ ନାହିଁ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କ କ୍ଷମା ପ୍ରାର୍ଥନା ମାଗିଛନ୍ତି । ପରବର୍ତ୍ତୀ ପଦକ୍ଷେପ ଖୁବ୍ଶୀଘ୍ର ନିଆଯିବ ।
ଅନ୍ୟପଟେ ଠେଲାପେଲାକୁ ନେଇ ପ୍ରତ୍ୟକ୍ଷଦର୍ଶୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରଥରେ ଶ୍ରୀଜିଉଙ୍କୁ ଦର୍ଶନ ବେଳେ ଭକ୍ତଙ୍କ ଭିଡ଼ ଭିତରେ ୨ଟି ଟ୍ରକ୍ ପଶିଥିଲା। ହଠାତ୍ ଟ୍ରକ୍ ପଶିବା ଯୋଗୁ ଠେଲାପେଲା ହୋଇଥିଲା। ଭିଡ଼ ନିୟନ୍ତ୍ରଣ ନ ହୋଇପାରିବାରୁ ବଡ଼ ଅଘଟଣ ଘଟିଛି।
କହିରଖୁ କି, ବଡ଼ଦାଣ୍ଡରେ ରବିବାର ଭୋର ସମୟରେ ଠେଲାପେଲା ହୋଇଥିଲା । ଏଥିରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ରବିବାର ଭୋର ୪ଟା ୫୦ରେ ଠେଲାପେଲା ହୋଇଥିବା ଅନୁମାନ କରାଯାଉଛି । ସମସ୍ତ ମୃତକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୨ ଜଣ ପ୍ରଭାତୀ ଦାସ ଏବଂ ବାସନ୍ତୀ ସାହୁ ରଥ ସାମ୍ନାରେ ପ୍ରାଣ ହରାଇଛନ୍ତି । ଆଉ ଜଣେ ୭୦ ବର୍ଷୀୟ ବୃଦ୍ଧ ପ୍ରେମାକାନ୍ତ ମହାନ୍ତି ହସ୍ପିଟାଲରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପବିତ୍ର ମୋହନ ମଲ୍ଲିକ ସୂଚନା ଦେଇଛନ୍ତି ।