ନୂଆଦିଲ୍ଲୀ,୨୭/୧୧: ସେୟାର ବଜାର ଉତ୍ସାହ। ୧୪ ମାସ ଭିତରେ ରେକର୍ଡ ସ୍ତରରେ ନିଫ୍ଟି। ପୁଞ୍ଜି ବଜାରରେ ରେକର୍ଡ ଭାଙ୍ଗିଲା ନିଫ୍ଟି। ୨୬୩୫୫ ଅଙ୍କ ସହ ଛୁଇଁଲା ସର୍ବୋଚ୍ଚ ସ୍ତର। ୮୬ ହଜାର ପାଖରେ କାରବାର କରୁଛି ସେନ୍ସେକ୍ସ। ଗତ ବୁଧବାର ଦିନ, ନିବେଶକମାନେ ବଜାରରୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛନ୍ତି। ସେନସେକ୍ସର ଶୀର୍ଷ ୩୦ ଟି କମ୍ପାନୀ ମଧ୍ୟରୁ ଆଜି ୧୬ ଟି କମ୍ପାନୀରେ ଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ ୧୪ଟି କମ୍ପାନୀରେ ଏପର୍ଯ୍ୟନ୍ତ ହ୍ରାସ ଘଟୁଛି।
ବିଏସଇ ସେନସେକ୍ସ ୪୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇ ୮୬,୦୦୦ ଅତିକ୍ରମ କରିଛି। ସେହିପରି ଏନଏସଇ ନିଫଟି୫୦ ୨୬,୩୦୦ ଉପରେ ରେକର୍ଡ ହାସଲ କରିଛି, ଯାହାକି ୧୪ ମାସ ମଧ୍ୟରେ ଏହାର ପ୍ରଥମ ଶୀର୍ଷ। ୩୦-ଷ୍ଟକ୍ ସେନସେକ୍ସରେ ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ, ବଜାଜ ଫିନସର୍ଭ ଏବଂ ଏସିଆନ୍ ପେଣ୍ଟସ୍ ସର୍ବାଧିକ ଲାଭକାରୀ ରହିଛନ୍ତି , ଯାହା ୦.୮% ଏବଂ ୧.୫% ମଧ୍ୟରେ ବୃଦ୍ଧି ପାଇଛି। ମିଡ୍-କ୍ୟାପ୍ ସୂଚକାଙ୍କ ୦.୧% ବୃଦ୍ଧି ପାଇଥିବା ବେଳେ ସ୍ମଲ୍-କ୍ୟାପ୍ ସୂଚକାଙ୍କ ମଧ୍ୟ ୦.୧% ବୃଦ୍ଧି ପାଇଛି। ଜାପାନ ବାହାରେ ଏମଏସସିଆଇ ସବୁଠୁ ବଡ ଏସୀୟ-ପ୍ରଶାନ୍ତ ଇଣ୍ଡେକ୍ସ ୦.୪% ବୃଦ୍ଧି ପାଇଛି, ଯାହା ୱାଲ ଷ୍ଟ୍ରିଟର ଲାଭକୁ ଅନୁସରଣ କରୁଛି । ଜାପାନର ନିକ୍କେଇ ଏବଂ ଦକ୍ଷିଣ କୋରିଆର କୋସ୍ପି ଉଭୟ ୧% ରୁ ଅଧିକ ବୃଦ୍ଧି ପାଇଛି। ସେହିପରି ଗୁରୁବାର ଦିନ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ୦.୦୭% ଅଧିକ ଶକ୍ତିଶାଳୀ ହୋଇ ୮୯.୨୦୫୦ରେ ଖୋଲିଥିଲା, ଡିସେମ୍ବରରେ ଫେଡ୍ ସୁଧ ହାର ହ୍ରାସ ଏବଂ ଡଲାର ଦୁର୍ବଳ ହେବା ଦ୍ୱାରା ଏହା ଲାଭବାନ ହୋଇଛି। ତଥାପି, ବ୍ୟାଙ୍କରମାନେ କହିଛନ୍ତି ଯେ, ଦୀର୍ଘ ସମୟ ପାଇଁ ଏହି ଲାଭ ବଜାୟ ରଖିବା କଷ୍ଟକର ହୋଇପାରେ। ଏସୀୟ ବାଣିଜ୍ୟରେ ଡଲାର ସୂଚକାଙ୍କ ଆହୁରି ହ୍ରାସ ପାଇଛି। ଏହି ସପ୍ତାହରେ ଏହା ପ୍ରାୟ ୦.୮% ହ୍ରାସ ପାଇଛି।