• ଉସମାନ ହାଦି ମୃତ୍ୟୁକୁ ନେଇ ବଡ଼ ଖୁଲାସା
  • ହାଦୀର ହତ୍ୟାକାରୀ ଭାରତ ପଳାଇଆସିଥିବା ଦାବି କରୁଛି ଢାକା
  • ପ୍ରତ୍ୟର୍ପଣ ପାଇଁ ଦାବି କରୁଛି ଢାକା ମେଟ୍ରୋପଲିଟାନ ପୋଲିସ (ଡିଏମପି)
  • ଶେଖ୍ ହସିନା ସରକାର ହଟାଇବାରେ ମୁଖ୍ୟ କାର୍ପଟଦାର ଥିଲା ହାଦି

ନୂଆଦିଲ୍ଲୀ,୨୮/୧୨:ବାଂଲାଦେଶୀ ଛାତ୍ର ନେତା ସରିଫ ଉସମାନ ହାଦିର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ଢାକା ମେଟ୍ରୋପଲିଟାନ ପୋଲିସ (ଡିଏମପି) ଅନୁଯାୟୀ, ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଦୁଇ ମୁଖ୍ୟ ଅଭିଯୁକ୍ତ ଭାରତ ପଳାଇ ମେଘାଳୟରେ ପହଞ୍ଚିଛନ୍ତି ବୋଲି କୁହାଯାଉଛି। ବାଂଲାଦେଶର ପ୍ରମୁଖ ଖବରକାଗଜ, ଦି ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ହୁଲୁଘାଟ ସୀମା ଦେଇ ଭାରତରେ ପ୍ରବେଶ କରିଥିଲେ ଏବଂ ସ୍ଥାନୀୟ ସହଯୋଗୀଙ୍କ ସହାୟତାରେ ମେଘାଳୟରେ ପହଞ୍ଚିଥିଲେ। ହାଦିର ମୃତ୍ୟୁ ପରେ ବାଂଲାଦେଶରେ ବ୍ୟାପକ ବିରୋଧ ଏବଂ ହିଂସା ସୃଷ୍ଟି ହୋଇଥିଲା। ଡିସେମ୍ବର ୧୨ ତାରିଖରେ ଢାକାର ବିଜୟନଗର ଅଞ୍ଚଳରେ ନିର୍ବାଚନ ପ୍ରଚାର ସମୟରେ ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା, ସେଠାରେ ତାର ଡିସେମ୍ବର ୧୮ ତାରିଖରେ ମୃତ୍ୟୁ ହୋଇଥିଲା।

ବାଂଲାଦେଶ ସମ୍ପର୍କିତ ଖବର ପଢ଼ନ୍ତୁ: ନିର୍ବାଚନ ପାଖେଇ ଆସିବା ମାତ୍ରେ କାହିଁକି ହିଂସାରେ ଜଳୁଛି ବାଂଲାଦେଶ?ହସିନାଙ୍କ ପ୍ରସ୍ଥାନ ଠାରୁ ତାରିକ ରହମାନଙ୍କ ପ୍ରବେଶ ଯାଏଁ ସମ୍ପୂର୍ଣ୍ଣ କାହାଣୀ...

ଢାକାର ଡିଏମପି ମିଡିଆ ସେଣ୍ଟରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ ଅଭିଯୁକ୍ତ ଫୈସଲ କରିମ ମାସୁଦ ଏବଂ ଆଲମଗିର ଶେଖ ହୁଲୁଘାଟ ସୀମା ପାର ହୋଇ ଭାରତରେ ପ୍ରବେଶ କରିଥିଲେ। ପୋଲିସର ସୂଚନା ଅନୁଯାୟୀ, ସୀମା ପାର ହେବା ପରେ, ସେମାନଙ୍କୁ ପ୍ରଥମେ ପୂର୍ତି ନାମକ ଜଣେ ବ୍ୟକ୍ତି ସ୍ୱାଗତ କରିଥିଲେ ଏବଂ ତା'ପରେ ସାମି ନାମକ ଜଣେ ଟ୍ୟାକ୍ସି ଡ୍ରାଇଭର ମେଘାଳୟର ତୁରା ସହରକୁ ନେଇଯାଇଥିଲେ। ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ମେଘାଳୟ ପହଞ୍ଚିବାରେ ସାହାଯ୍ୟ କରିଥିବା ଦୁଇ ଜଣଙ୍କୁ ଭାରତରେ ଅଟକ ରଖାଯାଇଛି। ବାଂଲାଦେଶୀ ପୋଲିସ ବିଶ୍ୱାସ ପ୍ରକାଶ କରିଛି ଯେ ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ପ୍ରତ୍ୟର୍ପଣ ସୁନିଶ୍ଚିତ କରିବା ପାଇଁ ସେମାନେ ଭାରତୀୟ ଏଜେନ୍ସିଗୁଡ଼ିକ ସହିତ ଆନୁଷ୍ଠାନିକ ଏବଂ ଅନୌପଚାରିକ ଭାବରେ ସମନ୍ୱୟ କରୁଛନ୍ତି।

ଭାରତ-ବାଂଲାଦେଶ ସମନ୍ୱୟ ଉପରେ ଗୁରୁତ୍ବ,ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି:

ଡିଏମପିର ଅତିରିକ୍ତ କମିଶନର ନଜରୁଲ ଇସଲାମଙ୍କ ଅନୁଯାୟୀ, ଉଭୟ ଦେଶର ଏଜେନ୍ସିଗୁଡ଼ିକ ଘନିଷ୍ଠ ଯୋଗାଯୋଗରେ ଅଛନ୍ତି। ସେ କହିଛନ୍ତି ଯେ ଆଇନ ପରିସର ମଧ୍ୟରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରୟାସ କରାଯାଉଛି। ଏହି ମାମଲାକୁ ଆଞ୍ଚଳିକ ସୁରକ୍ଷା ସହଯୋଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କାରଣ ଏଥିରେ ସୀମାପାର ଅପରାଧ, ରାଜନୈତିକ ହିଂସା ଏବଂ ନିର୍ବାଚନ ସୁରକ୍ଷା ସାମିଲ ଅଛି।

ଆହୁରି ପଢ଼ନ୍ତୁ: 'ଅପରେନସନ୍ ସିନ୍ଦୂର'ଠୁ ନେଇ ଟିମ୍ ଇଣ୍ଡିଆର ବିଜୟ ଯାଏ....ମନ୍ କି ବାତ୍ରେ ଭାରତର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ

କିଏ ଏହି ସରିଫ ଉସମାନ ହାଦି?

ସରିଫ ଉସମାନ ହାଦି ବାଂଲାଦେଶର ଜଣେ ପ୍ରଭାବଶାଳୀ ଛାତ୍ର ନେତା ଥିଲା ଏବଂ ସେ ଶେଖ ହସିନା ବିରୋଧୀ ଆନ୍ଦୋଳନ, ଇନକିଲାବ ମଞ୍ଚ ସହିତ ଜଡ଼ିତ ଥିଲା। ଆଗାମୀ ଫେବୃଆରୀ ନିର୍ବାଚନରେ ସେ ଢାକା-୮ ନିର୍ବାଚନମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରଚାର କରୁଥିଲା, ସେତେବେଳେ ତା ଉପରେ ଆକ୍ରମଣ ହୋଇଥିଲା। ଗତବର୍ଷ ଜୁଲାଇ ଆନ୍ଦୋଳନ ସମୟରେ ଇନକିଲାବ ମଞ୍ଚ ଖବର ଶିଖରରେ ଥିଲା, ଯାହା ଶେଷରେ ଶେଖ ହସିନାଙ୍କୁ କ୍ଷମତାରୁ ବାହାର କରିବା ପାଇଁ ପଥ ପ୍ରସ୍ତୁତ କରିଥିଲା। ହାଦି ଉପରେ ଗୁଳିମାଡ଼ ପରେ, ତାର ସମର୍ଥକ ଏବଂ ଦଳୀୟ କର୍ମୀମାନେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ଚେତାବନୀ ଦେଇଥିଲେ ଯେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆନ୍ଦୋଳନ ତୀବ୍ର ହେବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଧୁରନ୍ଧର ଗୀତରେ ଧୁମ୍ ନାଚିଲେ ପାକିସ୍ତାନର ମହିଳା ପୁଲିସ !, ଏବେ.....