ନୂଆଦିଲ୍ଲୀ: କେରଳ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ତାଙ୍କର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆକାଂକ୍ଷା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ନେଇ କଡ଼ା ସମାଲୋଚନା କରିଛି। ସୂଚନା ମୁତାବକ, ୨୦୨୬ରେ ହେବାକୁ ଥିବା କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଥରୁର ଏକ ସର୍ଭେ ସେୟାର କରିଥିଲେ। ଯେଉଁଥିରେ ୨୮.୩% ଲୋକ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ବୋଲି ମତ ଦେଇଥିବା ନେଇ ସୂଚନା ରହିଥିଲା। ଥରୁରଙ୍କ ଏହି ପୋଷ୍ଟ ପରେ ଦଳ ଭିତରେ ବିବାଦ ସୃଷ୍ଟି ହେବା ଆରମ୍ଭ କରିଛି।
ଏହାର ଜବାବରେ କେରଳ କଂଗ୍ରେସର ବରିଷ୍ଠ ନେତା କେ. ମୁରଲୀଧରନ ଥରୁରଙ୍କୁ ଟାର୍ଗେଟ କରି କହିଛନ୍ତି, "ତାଙ୍କୁ ପ୍ରଥମେ ନିଷ୍ପତ୍ତି ନେବାକୁ ପଡ଼ିବ ସେ କେଉଁ ଦଳରେ ଅଛନ୍ତି।" ସେ ଆହୁରି କହିଛନ୍ତି ଯେ, "ଯଦି ସର୍ଭେରେ ଅନ୍ୟ କେହି ଆଗରେ ଥାଆନ୍ତି, ତେବେ ମଧ୍ୟ ୨୦୨୬ ନିର୍ବାଚନରେ UDF ଜିତିଲେ ମୁଖ୍ୟମନ୍ତ୍ରୀ UDFରୁ ହିଁ ହେବେ।" ମୁରଲୀଧରନ ଦଳର ଆଭ୍ୟନ୍ତରୀଣ ପ୍ରକ୍ରିୟା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚୟନ ହେବ ବୋଲି ଜୋର ଦେଇଛନ୍ତି।
ଅନ୍ୟପକ୍ଷରେ, କେରଳର ଅନ୍ୟ ଜଣେ ବରିଷ୍ଠ ନେତା ରମେଶ ଚେନ୍ନିଥାଲା ଥାରୁରଙ୍କ ଦ୍ୱାରା ମୋଦିଙ୍କୁ ପ୍ରଶଂସା କରିବାକୁ ଭୁଲ ବୋଲି କହିଛନ୍ତି। ଏନେଇ ସେ କହିଛନ୍ତି, "ଜଣେ ସାଂସଦ ତଥା CWC ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ଠିକ ନୁହେଁ। ଏହା କେରଳ ତଥା ସାରା ଦେଶର କଂଗ୍ରେସ କର୍ମୀ ଓ ନେତାମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖର କଥା।"
ଥରୁରଙ୍କ ଏହି ପଦକ୍ଷେପ ଏବଂ ମୋଦିଙ୍କୁ ପ୍ରଶଂସା କରିବା ଦଳ ଭିତରେ ଅସନ୍ତୋଷ ସୃଷ୍ଟି କରିଛି। ଯାହା କେରଳ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳକୁ ଆହୁରି ତୀବ୍ର କରିଛି। ଥରୁର ପୂର୍ବରୁ ମଧ୍ୟ ମୋଦିଙ୍କ ନୀତି ଏବଂ କାର୍ଯ୍ୟକୁ ପ୍ରଶଂସା କରି ବିବାଦ ଘେରକୁ ଆସିଛନ୍ତି, ଯାହା ଦଳରେ ତାଙ୍କ ସ୍ଥିତିକୁ ଆହୁରି ଜଟିଳ କରିଛି।
ଏହି ଘଟଣା କେରଳରେ କଂଗ୍ରେସର ନେତୃତ୍ୱ ଏବଂ ଏକତା ଉପରେ ପ୍ରଶ୍ନ ଉଠାଇଛି। ଆଗାମୀ ନିର୍ବାଚନରେ ଦଳର ସଫଳତା ପାଇଁ ଏକତା ଏବଂ ଶୃଙ୍ଖଳା ରକ୍ଷା କରିବା ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।