ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶି ଥରୁର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଶଂସା କରି ଚର୍ଚ୍ଚାରେ ଅଛନ୍ତି। ଗୋଟେ ପଟେ ତାଙ୍କର ନିଜ ପାର୍ଟି ଏହି ମାମଲାରେ ତାଙ୍କ ଠାରୁ ଦୂରେଇ ଯାଇଥିବା ବେଳେ ବିଜେପି ତାଙ୍କୁ ସମର୍ଥନ କରିଛି ଏବଂ ମୁଖ୍ୟ ବିରୋଧୀ ଦଳ ଉପରେ ଆକ୍ରମଣ କରିଛି। ବିଜେପି ପକ୍ଷରୁ କଂଗ୍ରେସକୁ କଟାକ୍ଷ କରି କୁହାଯାଇଛି ଯେ , କଂଗ୍ରେସ ତାର ନାଁ ବଦଳାଇ ‘ ଇନ୍ଦିରା ନାଜି କଂଗ୍ରେସ’ କରି ନେବା ଉଚିତ୍, କାରଣ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟବହାର ହିଁ ତାଙ୍କର ପ୍ରକୃତ ଷ୍ଟାଇଲ୍।
ଥରୁରଙ୍କ ବୟାନରେ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ପବନ ଖେଡାଙ୍କ ବିବୃତ୍ତିରେ ପ୍ରତିକ୍ରିୟା ଦେଇ ବିଜେପିର ଜାତୀୟ ପ୍ରବକ୍ତା ଶହଜାଦ ପୁନାୱାଲା କହିଛନ୍ତି , କଂଗ୍ରେସ ପାର୍ଟିକୁ ନିଜ ନାମ ‘ ଭାରତୀୟ ଜାତୀୟ କଂଗ୍ରେସ’ରୁ ବଦଳାଇ ‘ ଇନ୍ଦିରା ନାଜି କଂଗ୍ରେସ’ କରି ନେବା ଉଚିତ୍ , କାରଣ ଏହା ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ମାନସିକତା ଓ ନାଜି ବ୍ୟବହାରର ଷ୍ଟାଇଲ୍। ଉଲ୍ଲେଖନୀୟ ଯେ, ଖେଡା ଥରୁରଙ୍କ ବିବୃତ୍ତିରୁ କଂଗ୍ରେସ୍ ପାର୍ଟିକୁ ଦୂରେଇ ରଖି କହି ଥିଲେ, ସର୍ବଦା ଥରୁର ନିଜର ବ୍ୟକ୍ତିଗତ ଭାବେ କହୁଛନ୍ତି , କେବଳ ଏତିକି ନୁହେଁ , ସେ ଥରୁରଙ୍କ ଏହି ବିବୃତ୍ତିକୁ କଂଗ୍ରେସର ଗଣତାନ୍ତ୍ରିକ ଭାବନା ଦର୍ଶାଇ କହିଛନ୍ତି ଯେ, ଜଣେ କଂଗ୍ରେସ ସାଂସଦ ଓ ସିଡବ୍ଲ୍ୟୁସି ସଦସ୍ୟ ଭାବେ କାମ କରି ମଧ୍ୟ ଥରୁର ଏମିତି ବିବୃତ୍ତି ଦେଉଛନ୍ତି, ଯାହାକି କଂଗ୍ରେସର ବିଶିଷ୍ଟ ଗଣତାନ୍ତ୍ରିକ ଓ ଉଦାରବାଦୀ ଭାବନାକୁ ଦର୍ଶାଉଛି।
କଂଗ୍ରେସ ପକ୍ଷରୁ ଶଶି ଥରୁରଙ୍କ ବିବୃତ୍ତିରେ ଜାରି କରାଯାଇ ଥିବା ଏହି ପ୍ରତିକ୍ରିୟାରେ ନିଜର କଥାକୁ ଆଗକୁ ବଢାଇ ପୁନାୱାଲା ମୁଖ୍ୟ ବିରୋଧୀ ଦଳର ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ସେ କହିଛନ୍ତି , ଆମେ ସବୁ ସାର୍ବଜନିନ ଜୀବନରେ ସୌଜନ୍ୟତା ଜାରି ରଖିଥାଉ। କିନ୍ତୁ ଏହି ଶିଷ୍ଟାଚାର ପାଇଁ କଂଗ୍ରେସ ପାର୍ଟି ତାଙ୍କ (ଥରୁର) ବିରୋଧରେ ଫତୱା ଜାରି କରି ଦେଇଛି। ଏହା କଂଗ୍ରେସର ଅସହିଷ୍ଣୁତା ଭାବନାକୁ ଦର୍ଶାଉଛି। ସେମାନଙ୍କ ପାଇଁ କେହି ବି ପ୍ରତିନ୍ଦ୍ୱନ୍ଦୀ ଶତ୍ରୁ ଭଳି।
କଣ କହିଥିଲେ ଥରୁର ଜାଣନ୍ତୁ –
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡବାଣୀଙ୍କ ୯୮ତମ ଜନ୍ମଦିନରେ ତାଙ୍କ ସହ ଏକ ଫଟୋ ପୋଷ୍ଟ କରି ଥରୁର ତାଙ୍କର ପ୍ରଶଂସା କରିଥିଲେ। ସେ ଲେଖିଥିଲେ , ତାଙ୍କର (ଆଡବାଣୀ) ଜନସେବା ପ୍ରତି ଅତୁଟ ପ୍ରତିବଦ୍ଧତା , ବିନମ୍ରତା ଓ ଶାଳୀନତା ତଥା ଆଧୁନିକ ଭାରତର ଦିଗ ସ୍ଥିର କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ। ଜଣେ ସଚ୍ଚା ରାଜନେତା ଯାହାଙ୍କର ସେବାମୟ ଜୀବନ ଅନୁକରଣୀୟ ରହିଛି।
ଥରୁରଙ୍କ ଏହି ବିବୃତ୍ତି ପରେ ସୋସିଆଲ ମିଡ଼ିଆରେ ଅନେକ ଲୋକ ତାଙ୍କୁ ବିରୋଧ କରିବା ଆରମ୍ଭ କରିଦେଲେ। ଏହାର ଜବାବ ଦେଇ ସେ କହିଥିଲେ ଯେ , କାହାର ସମଗ୍ର ଜୀବନକୁ କୌଣସି ଏକ ଘଟଣାର ଆଧାରରେ ଦେଖିବା ଉଚିତ୍ ନୁହେଁ। ଯେମିତି ନେହେରୁ ଜୀଙ୍କ ଜୀବନକୁ ଚୀନ ଠାରୁ ପରାଜୟ ପାଇଁ ଦେଖି ପାରିବା ନାହିଁ କି ଇନ୍ଦିରା ଜୀଙ୍କ ଜୀବନକୁ କେବଳ ଜରୁରୀକାଳୀନ ପାଇଁ ସ୍ମରଣ କରି ପାରିବା ନାହିଁ। ଠିକ୍ ଏହି ପରି ସୌଜନ୍ୟତା ଆମେ ଆଡବାଣୀ ଜୀଙ୍କ ପାଇଁ ମଧ୍ୟ ରଖିବା ଉଚିତ୍।
ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ , ଯେବେ କଂଗ୍ରେସ ପାର୍ଟି ଥରୁରଙ୍କ ବିରୋଧରେ ଆସିଛି ଏବଂ ବିଜେପି ସମର୍ଥନରେ। ଅପରେସନ ସିନ୍ଦୂର ପରେ ପ୍ରଥମେ ଧିମା ଶବ୍ଦରେ ଏବଂ ଏହାପରେ ଖୋଲାଖୋଲି କଂଗ୍ରେସ ସାଂସଦ ଥରୁର ବିଜେପି ଓ ପିଏମ୍ ମୋଦିଙ୍କ ନୀତି ଗୁଡ଼ିକର ପ୍ରଶଂସା କରିବା ନଜର ଆସିଥିଲା। ଏଥିପାଇଁ ତାଙ୍କର ନିଜ ପାର୍ଟି ସହ ତାଙ୍କର ସଂପର୍କ ଲଗାତାର ନିମ୍ନଗାମୀ ହେବାକୁ ଯାଉଛି। ଅପରେସନ ସିନ୍ଦୂର ପରେ ଯେତେବେଳେ ଥରୁର , ସଂସଦୀୟ ପ୍ରତିନିଧିମଣ୍ଡଳ ସହ ବିଦେଶ ଗସ୍ତରେ ମଧ୍ୟ ଯାଇଥିଲେ। ଏହି ସମୟରେ ମଧ୍ୟ କଂଗ୍ରେସ ପାର୍ଟିର ନେତାଙ୍କ ପକ୍ଷରୁ ତାଙ୍କ ଉପରେ ବାରମ୍ୱାର ଆକ୍ରମଣ କରାଯାଇ ଥିଲା। ହେଲେ ଏହା ପରେ ମଧ୍ୟ ଥରୁର ଏହି ସମୟରେ କଂଗ୍ରେସରେ ଅଛନ୍ତି ଏବଂ ନିଜର କାମ ଜାରି ରଖିଛନ୍ତି।