ଭୁବନେଶ୍ୱର,୩୧/୦୭: ବାଲେଶ୍ୱରରେ କଲେଜ ଛାତ୍ରୀ ଆତ୍ମଦାହ ଘଟଣା ପରେ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶିକ୍ଷାନୁଷ୍ଠାନରେ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଗ୍ରହଣ ଏବଂ ଏହାର ସମାଧାନ ସୁନିଶ୍ଚିତ କରିବା ପାଇଁ  ସି-ବକ୍ସ ପାର୍ଟାଲ୍‌(https://shebox.wcd.gov.in/) ରେ ଅପଲୋଡ ପାଇଁ  କଡ଼ା ନିର୍ଦ୍ଦେଶ ଦେଇଛନ୍ତି । 

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ବିକଶିତ ସି-ବକ୍ସ ପୋର୍ଟାଲରେ ସମସ୍ତ ତଥ୍ୟ ଅପଲୋଡ୍‌ କରିବା ବାଧ୍ୟତାମୂଳକ । ପ୍ରତିଟି ଅଭିଯୋଗ ଏବଂ ତାହାର ତଦନ୍ତ ବିବରଣୀ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବେ । ଶିକ୍ଷାନୁଷ୍ଠାନ ବା କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ନିବାରଣ, ନିଷେଧ  ଏବଂ ପ୍ରତିକାର) ଆଇନ, ୨୦୧୩ ସମ୍ପର୍କିତ ସଚେତନତା ତଥ୍ୟ ଉଲ୍ଲେଖ ରହିବ । ଏହାସହ ଆଭ୍ୟନ୍ତରୀଣ କମିଟି (ଆଇସି) ବା ସ୍ଥାନୀୟ କମିଟିର ସମ୍ପୂର୍ଣ୍ଣ ବିବରଣୀ ପୋର୍ଟାଲରେ ଅପଲୋଡ୍‌ କରିବା ପ୍ରମୁଖ କାର୍ଯ୍ୟ ବୋଲି କୁହାଯାଇଛି । ଏଥିପାଇଁ ନୋଡାଲ୍‌ ଅଫିସର୍‌ ନିଯୁକ୍ତ କରିବା ସହ ସେମାନଙ୍କ ତଥ୍ୟ ସି-ବକ୍ସ ପୋର୍ଟାଲରେ  ଅପଲୋଡ୍‌ କରିବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସହ ଶିକ୍ଷାନୁଷ୍ଠାନର ବିଭିନ୍ନ  ବିବରଣୀ ଅଗଷ୍ଟ ୧ ତାରିଖ ସୁଦ୍ଧା ପୋର୍ଟାଲରେ ଅପଲୋଡ୍‌ କରିବାକୁ ବିଭାଗ ପକ୍ଷରୁ ସମସ୍ତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ସୂଚନାଯୋଗ୍ୟ, ନିକଟରେ ବାଲେଶ୍ୱର ଏଫଏମ୍‌ କଲେଜ ଛାତ୍ରୀ ଆତ୍ମଦାହ  ଘଟଣାରେ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । କଲେଜ, ବିଶ୍ୱବିଦ୍ୟାଳୟରେ କିଭଳି  ଭାବେ ନିର୍ଯାତନା ପ୍ରତିରୋଧ କରାଯିବ, ଏପରି ଅଭିଯୋଗ ଆସିଲେ ତ୍ୱରିତ ତଦନ୍ତ  କରି ସମାଧାନ କରାଯିବ ସେଥିପ୍ରତି ତତ୍ପରତା ପ୍ରକାଶ କରିଛି । ଆଇସିସି କମିଟି  ଗଠନ ହୋଇଛି କି ନାହିଁ? ଏହା କାର୍ଯ୍ୟକ୍ଷମ ଅଛି କି ନାହିଁ? ୱେବସାଇଟ୍‌ କଲେଜ, ବିଶ୍ୱବିଦ୍ୟାଳୟ ନିଜର ସବିଶେଷ ତଥ୍ୟ ଦେଇଛନ୍ତି କି ନାହିଁ, ତାର ତନ୍ନ ତନ୍ନ ଯାଞ୍ଚ  କରାଯାଉଛି । ସେହିପରି କର୍ମଶାଳା ସହ ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।  ସିସି ଟିଭି ସ୍ଥାପନକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଚିଠି ମଧ୍ୟ ହୋଇଛି । ସ୍ୱଚ୍ଛତାର  ସହ ଅଭିଯୋଗକୁ ଠିକ୍‌ ସମୟରେ ଶେଷ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ  ନିଦ୍ଦେର୍ଶ ଦେଇଛି । ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ମଧ୍ୟ କୁହାଯାଇଛି ।