ନୂଆଦିଲ୍ଲୀ,୫।୭: ପାକିସ୍ତାନ ପ୍ରଧାନମନ୍ତୀ ଶେହବାଜ ସରିଫ୍ ମୁସଲିମ୍ ରାଷ୍ଟ୍ର ଅଜରବୈଜାନରେ ବସି ଭାରତ ବିରୋଧରେ ପୁଣି ବିଷ ଓଗାଳିଛନ୍ତି। ସେ ଅଭିଯୋଗ କରିଛନ୍ତି, ପହଲଗାମ୍ରେ ହୋଇଥିବା ଦୁଃଖଦ ଆତଙ୍କୀ ଆକ୍ରମଣ ପରେ ଭାରତ ଶତ୍ରୁତା ଦେଖାଇ ଆଞ୍ଚଳିକ ଶାନ୍ତିକୁ ଅସ୍ଥିର କରିବାକୁ ଚେଷ୍ଟା କରିଥିଲା। ଶେହବାଜ ଏହି ବୟାନ ଅଜବୈଜାନରେ ଆୟୋଜିତ ଆର୍ଥିକ ସହଯୋଗ ସଂଗଠନ(ଇସିଓ) ସମ୍ମିଳନୀ ବେଳେ କହିଛନ୍ତି। ସେଠାରେ ପହଲଗାମ୍ ଆକ୍ରମଣ ଘଟଣାକୁ ନେଇ ସେ କୁମ୍ଭୀର କାନ୍ଦଣା କରିବା ସହ ଭାରତ ବିରୋଧରେ ବିଷ ଓଗାଳିଛନ୍ତି।
ଶରିଫ୍ ଜମ୍ମୁ-କଶ୍ମୀରରେ ‘ନିର୍ଦୋଷ ଲୋକଙ୍କ ବିରୋଧରେ ବର୍ବରତା’କୁ ନିନ୍ଦା କରି କହିଥିଲେ, ପାକିସ୍ତାନ ପ୍ରତ୍ୟେକ ଅତ୍ୟାଚାର ବିରୋଧରେ ରହିଛି, ଯାହାକି କୌଣସି ଦେଶରେ ନିରୀହ ନାଗରିକଙ୍କ ଉପରେ କରାଯାଇଥାଏ। ତାହା ଗାଜା, କାଶ୍ମୀର କିମ୍ବା ଇରାନ ହେଉ। ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପରେ ଭାରତ ପକ୍ଷରୁ ପାକିସ୍ତାନ ବିରୋଧରେ ଅକାରଣରେ ଶତ୍ରୁତା ପ୍ରଦର୍ଶନ କରାଯାଇଥିଲା। ଏଭଳି କରି ଆଞ୍ଚଳିକ ଶାନ୍ତିକୁ ଅସ୍ଥିର କରିବାର ଚେଷ୍ଟା କରିଥିଲା ଭାରତ।
୨୨ ଏପ୍ରିଲରେ ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପହଲଗାମ୍ ସ୍ଥିତ ବୈସରନ ଘାଟିରେ ଏକ ଭୟଙ୍କର ଆତଙ୍କୀ ହମଲା ହୋଇଥିଲା। ଏଥିରେ ୨୫ ଜଣ ପର୍ଯ୍ୟଟକଙ୍କ ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହା ନିକଟରେ କିଛି ବର୍ଷରେ କାଶ୍ମୀରରେ ହୋଇଥିବା ସବୁଠାରୁ ବଡ଼ ଆତଙ୍କୀ ହମଲା ଥିଲା। ଏହି ହମଲା ପାଇଁ ପାକିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବର ଟିଆରଏଫ୍ ନିଜକୁ ଦାୟୀ କରିଥିଲା। ଆକ୍ରମଣ ପରେ ଭାରତ ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୁର’। ପାକିସ୍ତାନ ଭିତରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଦେଇଥିଲା। ଏହାର ଜବାବରେ ପାକିସ୍ତାନ ମଧ୍ୟ ବହୁ ଡ୍ରୋନ୍ ହମଲା କରିଥିଲା, କିନ୍ତୁ ଭାରତ ମଧ୍ୟ ଏହାର କଡ଼ା ମୁକାବିଲା କରିଥିଲା। ଏହି ଲଢେଇ ୧୦ ମଇରେ ଶେଷ ହୋଇଥିଲା ଯେତେବେଳେ ଅସ୍ତ୍ରବିରତି ପାଇଁ ଭାରତ ସହ ପାକିସ୍ତାନ ଯୋଗାଯୋଗ କରିଥିଲା।