ଦିଲ୍ଲୀ, ୨୦।୨: ସିଲଂର ମଲାଇ ମୱିଙ୍ଗ ଠାରେ ଫୁଟବଲ ଖେଳୁଥିବା ବେଳେ ଲୋକସଭା ସାଂସଦ ରିକି ଏଜେ ସିଙ୍ଗକନଙ୍କର ଆଜି ହୃଦ୍ଘାତରେ ମୃତ୍ୟୁ ଘଟିଛି । ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ସେ ଭଏସ୍ ଅଫ୍ ଦି ପିପୁଲ୍ସ ପାର୍ଟି (ଭିପିପି)ର ନେତା ଥିଲେ ।
ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ୍ ହେଉଥିଲା । ଏଥିରେ ସାଂସଦ ଅଂଶଗ୍ରହଣ କରିଥିଲେ । ତେବେ ଫୁଟବଲ ଖେଳୁଥିବା ବେଳେ ହଠାତ୍ ହୃଦ୍ଘାତର ଶିକାର ହୋଇଥିଲେ । ସେ ପଡ଼ିଆ ଭିତରେ ଟଳି ପଡ଼ିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମୱିଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ କୌଣସି ଡାକ୍ତର ନଥିବାରୁ ତାଙ୍କୁ ଜାଇୱସ୍ଥିତ ଡକ୍ଟର ଏଚ୍ ଗୋର୍ଡନ ରବର୍ଟସ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତରମାନେ ସମସ୍ତ ଚେଷ୍ଟା କରି ମଧ୍ୟ ତାଙ୍କୁ ବଞ୍ଚାଇପାରି ନଥିଲେ । ସାଂସଦଙ୍କର ଅକାଳ ବିୟୋଗରେ ସମଗ୍ର ରାଜ୍ୟରେ ଶୋକ ପ୍ରକାଶ ପାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ସାଂସଦ ରିକିଙ୍କ ବିୟୋଗରେ ସୋସିଆଲ ମିଡିଆ ଏକ୍ସରେ ଶୋକ ପ୍ରକାଶ କରିଛନ୍ତି । ୨୦୨୪ ନିର୍ବାଚନରେ ରିକି ୩ ଥର କଂଗ୍ରେସ ସାଂସଦ ହୋଇଥିବା ଭିନସେଣ୍ଟ ଏଚ୍ ପାଲାଙ୍କୁ ୩ ଲକ୍ଷ ୭୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ ।
ଅଧିକ ପଢ଼ନ୍ତୁ-ସେମିଫାଇନାଲ ନା ଫାଇନାଲ ? ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମୁକାବିଲା କିପରି ହେବ, ଜାଣନ୍ତୁ ସମୀକରଣ