ନୂଆଦିଲ୍ଲୀ,୦୭/୧୦: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ୬୦ କୋଟି ଟଙ୍କାର ଠକେଇ ମାମଲାରେ ପୁଲିସ ରାଡାରରେ ରହିଛନ୍ତି । ଏ ନେଇ ଆଜି ତାଙ୍କ ଘରେ ମୁମ୍ବାଇ ପୁଲିସ୍ ପଶିଛି । ମାମଲାରେ ଶିଳ୍ପାଙ୍କୁ ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧିକ ଶାଖା (EOW) ସାଢେ ୪ ଘଣ୍ଟା ପଚରାଉଚରା କରିଛି । ଏଯାବତ୍ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ ଜଣଙ୍କର ବୟାନ ରେକର୍ଡ ହୋଇଛି । ଠକେଇ କରିଥିବା ସଂସ୍ଥାର ନିର୍ଦ୍ଦେଶକ ଥିଲେ ଉଭୟ ଶିଳ୍ପା ଓ କୁନ୍ଦ୍ରା ।
ରିପୋର୍ଟ ଅନୁଯାୟୀ, ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପୁଲିସକୁ ଦେଇଥିବା ତାଙ୍କ ବୟାନରେ କହିଛନ୍ତି ଯେ, ଠକେଇ ଅଭିଯୋଗକାରୀ ଦୀପକ କୋଠାରୀଙ୍କ ମାଲିକାନାରେ ଥିବା ଏକ ଏନବିଏଫସିରୁ ୬୦ କୋଟି ଋଣ ନିଆଯାଇଥିଲା । ଏହି ଋଣକୁ ପରେ କୋଠାରୀଙ୍କ କମ୍ପାନୀରେ ଇକ୍ୱିଟିରେ ରୂପାନ୍ତରିତ କରାଯାଇଥିଲା । ଏହି ପରିମାଣର ୨୦ କୋଟି ସେଲିବ୍ରିଟି ପ୍ରମୋସନ, ପ୍ରସାରଣ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ବାବଦରେ ହୋଇଥିଲା । ବିପାଶା ବାସୁ ଏବଂ ନେହା ଧୂପିଆଙ୍କୁ ଏହି କାମ ପାଇଁ ଟଙ୍କା ଦିଆଯାଇଥିଲା । ରାଜ ପୁଲିସକୁ ପ୍ରମୋସନର ଫଟୋ ମଧ୍ୟ ଦେଇଛନ୍ତି । ପଚରାଉଚରା ସମୟରେ, ଶିଳ୍ପା ସେଟ୍ଟୀ ତାଙ୍କ ବିଜ୍ଞାପନ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ହୋଇଥିବା କଥିତ କାରବାର ବିଷୟରେ ପୁଲିସକୁ ସୂଚନା ଦେଇଛନ୍ତି । ଅନେକ କାଗଜପତ୍ର ପ୍ରଦାନ କରିଥିଲେ, ଯାହାର ଯାଞ୍ଚ କରାଯାଉଛି ।
ଠକେଇ ମାମଲାରେ ଶିଳ୍ପାଙ୍କ ଭୂମିକା- ଅର୍ଥନୈତିକ ଅପରାଧିକ ଶାଖା ଅଧିକାରୀଙ୍କ ଅନୁଯାୟୀ, ତଦନ୍ତାଧୀନ କମ୍ପାନୀରେ ଶିଳ୍ପା ଜଣେ ପ୍ରମୁଖ ଅଂଶୀଦାର ଥିଲେ । ତେଣୁ ତାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଉଛି । ପ୍ରମାଣରୁ ଜଣାପଡିଛି ଯେ, କମ୍ପାନୀରେ ସେୟାରଧାରୀ ହେବା ସତ୍ତ୍ୱେ, ଶିଳ୍ପା ସେଲିବ୍ରିଟି ଫି ଆଦାୟ କରିଥିଲେ, ଯାହାକୁ ଖର୍ଚ୍ଚ ଭାବରେ ଦର୍ଶାଯାଇଥିଲା । ଯାହା ପାଣ୍ଠିର ଅପବ୍ୟବହାରକୁ ସୂଚାଉଛି ।
୬୦ କୋଟି ଠକେଇ ମାମଲା କ’ଣ ? ଅଗଷ୍ଟ ମାସରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ୬୦.୪ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିଥିଲା । ସେପ୍ଟେମ୍ବରରେ ଏକ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା। ବର୍ତ୍ତମାନ ବନ୍ଦ ହୋଇଯାଇଥିବା କମ୍ପାନୀ ବେଷ୍ଟ ଡିଲ୍ ଟିଭି ପ୍ରାଇଭେଟ୍ ଲିମିଟେଡ୍ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଉଭୟଙ୍କ ବିରୁଦ୍ଧରେ ଲୁକଆଉଟ୍ ନୋଟିସ ଜାରି ହୋଇଥିଲା । ୟୁୱାଇ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଦୀପକ କୋଠାରୀ ଏହି ଅଭିଯୋଗ ଦାଖଲ କରିଥିଲେ । ରାଜ ଏବଂ ଶିଳ୍ପା ତାଙ୍କୁ ୨୦୧୫ ରୁ ୨୦୨୩ ମଧ୍ୟରେ ବ୍ୟବସାୟରେ ନିବେଶ କରିବାକୁ ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି ।