ବ୍ରହ୍ମପୁର, ୨/୯ : ଗୋପାଳପୁର ଥାନା ପୁଲିସ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ତାଙ୍କ ପୁରୁଷ ବନ୍ଧୁ ଓ ସର୍ଟ ଷ୍ଟେ ହୋମ୍ ମାଲିକକୁ ଗିରଫ କରିଛି । ସେମାନେ ହେଲେ ପୁରୁଷ ବନ୍ଧୁ ନିମଖଣ୍ଡି ଥାନା ଯୋଗିଆପଲ୍ଲୀ ଗାଁର କେଦାର ଦାସ (୨୮) ଓ ମାଲିକ ଗୋପାଳପୁର ଥାନା ଅଞ୍ଚଳର ଯୋଗେନ୍ଦ୍ର କୁମାର ସିଂହ (୩୯) । ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ସୋମବାର ଅପରାହ୍ନରେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ଥାନାରେ ପହଞ୍ଚି ସର୍ଟ ଷ୍ଟେ ହୋମ୍ ମାଲିକ ସେମାନଙ୍କୁ ଅସଦାଚରଣ ଓ ଶୋଷଣ କରିଥିବା ଅଭିଯୋଗ କରିଥିଲେ । ତଦନ୍ତବେଳେ ନାବାଳିକା ୧୭ ବର୍ଷିୟା ଥିବା ଜଣାପଡ଼ିଥିଲା । ଗୋଳନ୍ଥରା ଥାନା ଅଞ୍ଚଳର ନାବାଳିକାଙ୍କ ଅଭିଭାବକଙ୍କୁ ଖବର ଦିଆଯିବା ପରେ ସେମାନେ ଗୋପାଳପୁର ଥାନାରେ ପହଞ୍ଚିଥିଲେ । କିନ୍ତୁ ନାବାଳିକା ତାଙ୍କୁ ଦେଖି ନିଜ ବ୍ୟାଗ୍ରୁ ଏକ ଫିନାଇଲ୍ ବୋତଲ ବାହାର କରି ପିଇ ଦେଇଥିଲା । ତେବେ ପୁଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ସେ ଏବେ ନିରାପଦ ଅଛନ୍ତି । ତଥାପି ତାଙ୍କୁ ୨୪ଘଣ୍ଟା ନିରୀକ୍ଷଣରେ ରଖାଯାଇଛି । ତାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ଉପରୋକ୍ତ ଦୁଇ ଜଣଙ୍କୁ ଗିରଫ କରିଥିଲା। ନାବାଳିକାର ପିଛା କରିବା, ଅପହରଣ ଓ ଯୌନ ଉତ୍ପୀଡ଼ନ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋକ୍ସୋ ଆଇନ ଅନ୍ତର୍ଗତ କେସ୍ ନମ୍ବର ୩୧୬/୨୫ରେ ରୁଜୁ କରାଯାଇଛି । ନାବାଳିକାଙ୍କୁ ଭଡ଼ା ଦେବା ଅଭିଯୋଗରେ ସର୍ଟ ଷ୍ଟେ ହୋମ୍ ମାଲିକକୁ ଗିରଫ କରାଯାଇଛି । ଦୁହିଁଙ୍କ ମୋବାଇଲ୍ ଜବତ କରାଯିବା ସହ ଜବତ ବୋତଲକୁ ଫରେନ୍ସିକ୍ ପରୀକ୍ଷା ପାଇଁ ପଠାଯାଇଛି ।