ୱାଶିଂଟନ, ୨୮/୦୩: ଇରାନ ବିରୋଧରେ ଚାଲିଥିବା ଯୁଦ୍ଧର ୪ ସପ୍ତାହ ଭିତରେ ଆମେରିକା ୮୫୦ରୁ ଅଧିକ ଟମହାକ କ୍ରୁଜ ମିସାଇଲ୍ ମାଡ଼ କରିସାରିଲାଣି । କେବଳ ଫେବ୍ରୁଆରୀ ୨୮ରେ ଯୁଦ୍ଧର ପ୍ରଥମ ଦିନରେ ୩୦ରୁ ଅଧିକ ମିସାଇଲ ମାଡ଼ କରିଛି । ଇରାନର ସୁପ୍ରିମ ଲିଡର ଓ ଅନ୍ୟ ଶୀର୍ଷ ନେତା ତଥା କମାଣ୍ଡରଙ୍କୁ ଟାର୍ଗେଟ କରିବାକୁ ଆମେରିକା ଏଭଳି ପ୍ରଚଣ୍ଡ ହମ୍ଲା କରିଥିଲା । କିନ୍ତୁ ବର୍ତ୍ତମାନ ଏହି ମିସାଇଲ ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ରର ଅଭାବ ପେଣ୍ଟାଗନ ପାଇଁ ଚିନ୍ତାର କାରଣ ହୋଇଛି ।
ବର୍ଷକୁ ମାତ୍ର କିଛି ଶହ ଟମହାକ ମିସାଇଲ ନିର୍ମାଣ ସମ୍ଭବ ହୋଇପାରୁଥିବା ବେଳେ ଆମେରିକା ମାତ୍ର ୧ ମାସ ଭିତରେ ଏତେ ସଂଖ୍ୟାରେ ମିସାଇଲ ବ୍ୟବହାର କରିବା ଯୋଗୁ ଦେଶରେ ଯୁଦ୍ଧାସ୍ତ୍ରର ଅଭାବ ଦେଖାଦେଇଛି । ଏ ସମ୍ପର୍କରେ ପେଣ୍ଟାଗନ ପକ୍ଷରୁ ସତର୍କ ମଧ୍ୟ କରାଯାଇଛି । ଏଥିସହ ଉକ୍ତ ମିସାଇଲ ବ୍ୟବହାର କରିବା ଉପରେ ମଧ୍ୟ ପେଣ୍ଟାଗନ କଡା ନଜର ରଖିଛି । ଆମେରିକା ନୌସେନା ତାର ଯୁଦ୍ଧଜାହାଜ ଓ ବୁଡାଜାହାଜରୁ ଏହି ମିସାଇଲ୍ ମାଡ଼ କରିଥାଏ । ୧୯୯୧ରେ ଉପସାଗରୀୟ ଯୁଦ୍ଧରେ ପ୍ରଥମଥର ପାଇଁ ଆମେରିକା ଏହି ମିସାଇଲ ବ୍ୟବହାର କରିଥିଲା । ଏହାର ଲକ୍ଷ୍ୟଭେଦ ଦୂରତା ପ୍ରାୟ ୧ ହଜାର କି.ମି. ରହିଛି । ହେଲେ ଏହାର ଅଭାବ ଦେଖାଦେଇଥିବାରୁ ଆମେରିକା ପାଇଁ ଏବେ ଏହା ଚିନ୍ତାର କାରଣ ହୋଇଛି ।
ବର୍ତ୍ତମାନ ଏହି ଧରଣର ମିସାଇଲ ବାହାରୁ ଅଣାଯିବ ନା ଆମେରିକା ଉତ୍ପାଦନ ବଢ଼ାଇବ ତାକୁ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି । ବିଶେଷକରି ପେଣ୍ଟାଗନ ଅଧିକାରୀମାନେ ଏହି ବିଷୟରେ ଆଲୋଚନା କରୁଥିବା ଦି ୱାଶିଂଟନ ପୋଷ୍ଟ ଉଲ୍ଲେଖ କରିଛି । ପେଣ୍ଟାଗନ ମୁଖପାତ୍ର ସିନ୍ ପର୍ନେଲ କହିଛନ୍ତି ମିସାଇଲ କେଉଁଠାରେ ବ୍ୟବହାର କରାଯିବ ଓ କାହା ବିରୋଧରେ ହେବ ତାହା ରାଷ୍ଟ୍ରପତି ଭଲ ଭାବେ ଜାଣିଛନ୍ତି । ସେହି ଅନୁସାରେ ପଦକ୍ଷେପ ନିଆଯାଉଛି । କେବଳ କିଛି ଗଣମାଧ୍ୟମ ଆମେରିକା ଭଳି ବିଶ୍ୱର ସବୁଠାରୁ ଶ୍ରେଷ୍ଠ ତଥା ସୁଦୃଢ଼ ସେନା ବିରୋଧରେ ଏଭଳି ଖବର ପ୍ରକାଶ କରୁଛି । ସେପଟେ ଆମେରିକା ପ୍ରେସ ସେକ୍ରେଟାରୀ କାରୋଲିନ୍ ଲେଭିଟ୍ ଟମହାକ୍ ମିସାଇଲ ହ୍ରାସ ପାଇବା ଖବରକୁ ଖଣ୍ଡନ କରିଛନ୍ତି ।
ଆହୁରି ପଢନ୍ତୁ-ଇରାନୀ ମିସାଇଲରେ ‘ଥ୍ୟାଙ୍କ୍ ୟୁ ଇଣ୍ଡିଆ’ ବାର୍ତ୍ତା, ଭାରତୀୟଙ୍କୁ ଜଣାଇଲା ଧନ୍ୟବାଦ
ଆମେରିକା ପାଖରେ ଯଥେଷ୍ଟ ପରିମାଣର ଯୁଦ୍ଧାସ୍ତ୍ର ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ଏପିକ୍ ଫ୍ୟୁରି ସଫଳ ନହେବା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ରର ଅଭାବ ରହିବ ନାହିଁ । ସେହିଭଳି ପେଣ୍ଟାଗନ ମୁଖ୍ୟ ମଧ୍ୟ ପୂର୍ବରୁ କହିଥିଲେ ଯେ ଆମେରିକା ପାଖରେ ଯୁଦ୍ଧାସ୍ତ୍ରର ଅଭାବ ନାହିଁ । ଆମେ ଯେତେଦିନ ପର୍ଯ୍ୟନ୍ତ ଆବଶ୍ୟକ କରୁଥିବୁ ସେତେଦିନ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବ୍ୟବହାର କରିପାରିବୁ । ତେବେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନିମାନଙ୍କୁ ସେ ଉତ୍ପାଦନ ବଢ଼ାଇବା ଲାଗି ପରାମର୍ଶ ଦେଇଥିଲେ । କିନ୍ତୁ ବର୍ତ୍ତମାନ ଆମେରିକା ପାଖରେ ଟମହାକ୍ ମିସାଇଲ କେତେ ଅଛି ଓ କେଉଁସବୁ ଯୁଦ୍ଧାସ୍ତ୍ରର ଅଭାବ ଦେଖାଦେଇଛି ତାହା ଉପରେ ସବିଶେଷ ତଥ୍ୟ ୱାଶିଂଟନ ପୋଷ୍ଟ ପକ୍ଷରୁ ପ୍ରକାଶ ପାଇନାହିଁ ।