ମୁମ୍ବାଇ ୧୮/୧୧: ଚଳିତବର୍ଷ ଅଗଷ୍ଟ ମାସରେ ବଲିଉଡ୍ ଅଭିନେତ୍ରୀ ଶୋଭିତା ଧୁଲିପାଲା ଓ ଦକ୍ଷିଣ ଭାରତୀୟ ଅଭିନେତା ନାଗା ଚୈତନ୍ୟଙ୍କର ନିର୍ବନ୍ଧ ଅନୁଷ୍ଠିତ ହୋଇଥିଲା । ଇତିମଧ୍ୟରେ ସେମାନେ ଡିସେମ୍ବର ୪ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି କୁହାଯାଉଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଦମ୍ପତିଙ୍କର ବିବାହ କାର୍ଡରୁ ଏହା ଜଣାପଡି଼ଛି । ସେହି ବିବାହ କାର୍ଡରେ ପରମ୍ପରା ଓ ଆଧୁନିକତାର ସମ୍ମିଶ୍ରଣ ଦେଖିବାକୁ ମିଳୁଛି । ସେଥିରେ ବରବଧୂଙ୍କ ନାମ ସହିତ ଉଭୟ ପରିବାରର ଲୋକଙ୍କ ନାମ, ବିବାହ ତାରିଖ ପ୍ରଭୃତି ଉଲ୍ଲେଖ ରହିଛି ।

ସେ ଅନୁସାରେ, ହାଇଦ୍ରାବାଦସ୍ଥିତ ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ଶୁଭକାର୍ଯ୍ୟ ସମାପନ ହେବ । ବିବାହ କାର୍ଡ ସହିତ ଅତିଥିମାନଙ୍କୁ ଏକ ଉପହାର ବାକ୍ସ ବି ଦିଆଯିବ । ସେଥିରେ ଖାଦ୍ୟ ପ୍ୟାକେଟ୍, ପୋଷାକ, ଫୁଲ ଆଦି ରହିଛି । ସେହି ଉପହାର ବାକ୍ସର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଭାଇରାଲ୍ ହେଉଥିବା କାର୍ଡ ସଂପର୍କରେ ଶୋଭିତା କିମ୍ବା ନାଗା ଚୈତନ୍ୟ କେହି ସ୍ପଷ୍ଟୀକରଣ ରଖିନାହାନ୍ତି । ନାଗା ଚୈତନ୍ୟ ୨୦୧୭ରେ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ । ତେବେ ୨୦୨୧ ଅକ୍ଟୋବର ମାସରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଶୋଭିତାଙ୍କୁ ଶେଷ ଥର ଲାଗି ‘ଲଭ୍, ସୀତାରା’ରେ ଦେଖିବାକୁ ମିଳିଥିଲା । ତାହା ଚଳିତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ରିଲିଜ୍ ହୋଇଥିଲା ।